ସଟ୍ ଡାଉନ୍-୨ : ୧୧ଟି ଜିଲ୍ଲାରେ ୪୮ ଘଣ୍ଟା ବନ୍ଦ, ଖୋଲା ରହିବ ହାଇୱେ କଡ ଢାବା
13/06/2020 at 9:16 AM

ଭୁବନେଶ୍ବର ୧୩।୬: ଦ୍ବିତୀୟ ସପ୍ତାହରେ ୨ ଦିନଆ ସଟ୍ ଡାଉନ୍ । ଆଜି ସକାଳ ୬ଟାରୁ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ୧୧ ଜିଲ୍ଲାରେ ସଟ୍ ଡାଉନ୍ ବଳବତ୍ତର ରହିବ । ଏହି ସମୟରେ ଅତ୍ୟାବଶ୍ୟକ ସେବାକୁ ଛାଡ଼ି ଅନ୍ୟ ସବୁ ବନ୍ଦ ରହିବ । ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, ବଲାଙ୍ଗୀରରେ ସଂପୂର୍ଣ୍ଣ ସଟ୍ ଡାଉନ୍ ।

ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣ କରିବା ପାଇଁ ଜୁନ୍ ମାସର ପ୍ରତି ଶନିବାର ଓ ରବିବାର ଦୁଇ ଦିନ ସଟ୍ ଡାଉନ୍ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ସଟ୍ ଡାଉନ୍ରେ କେବଳ ହସ୍ପିଟାଲ, ଔଷଧ ଦୋକାନ ଭଳି ଜରୁରୀ ସେବା ସଂସ୍ଥା ଖୋଲା ରହିବ । ପେଟ୍ରୋଲ ପମ୍ପ, ଜଳ ଯୋଗାଣ, ପରିମଳ, ଟେଲିଫୋନ୍, ଆମ୍ବୁଲାନସ୍, ଗଣମାଧ୍ୟମ ସଂସ୍ଥା ଆଦି ଖୋଲା ରହିବ । ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ମଧ୍ୟ କଟକଣାମୁକ୍ତ ରହିବ । ସଟ୍ ଡାଉନ୍ ସମୟରେ ସ୍ବାସ୍ଥ୍ୟ ସେବା କିମ୍ବା ଜରୁରୀକାଳୀନ ସେବା ପାଇଁ ଜଣେ ବାହାରକୁ ଯାଇପାରିବେ ।

ପୋଲିସ ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରି ଅନାବଶ୍ୟକ ଯାତାୟତ ଉପରେ ରୋକ୍ ଲଗାଇଛି । ତେବେ ରାତ୍ରିକାଳୀନ କର୍ଫ୍ୟୁ ଏବଂ ସଟ୍ ଡାଉନରେ ଜାତୀୟ ଓ ରାଜ୍ୟ ରାଜପଥ କଡରେ ଥିବା ଢାବା ଖୋଲା ରହିବ । କିନ୍ତୁ ସେଠାରେ ଖାଇ ହେବନାହିଁ, କେବଳ ଖାଦ୍ୟ କିଣି ଘରକୁ ନେଇ ହେବ ।
ସେହିପରି ସଟ୍ ଡାଉନ୍ ସମୟରେ ଧାନ କିଣା, ଚାଉଳ ଯୋଗାଣ, ଚିନାବାଦାମ ଓ ଡାଲି କିଣିବା ପ୍ରକ୍ରିୟା ଚାଲି ପାରିବ । ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।