ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍

Published By : Prameya-News7 Bureau | December 03, 2021 IST

ମୁମ୍ବାଇ,୦୩/୧୨: ଶୁକ୍ରବାରଠୁ ୱାଙ୍ଖଡେ ଷ୍ଟାଡିୟମ୍‌ରେ ଆରମ୍ଭ ହେବ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ୍ ଗତ ଟେଷ୍ଟ ଚାମ୍ପିଅନ୍‌ସିପ୍‌ ଚକ୍ରର ସମସ୍ତ ପରାଜୟର ପ୍ରତିଶୋଧ ନେବାକୁ ଭାରତ ଯୋଜନା କରିଛି । ଅନ୍ୟ ପଟରେ ପ୍ରଥମ(କାନପୁର) ଟେଷ୍ଟ ଭଳି ଲଢୁଆ ଖେଳ ପ୍ରଦର୍ଶନ କରିବା ସହ ନ୍ୟୁଜିଲାଣ୍ଡ ସିରିଜ ପରାଜୟ ଏଡ଼ାଇବାକୁ ପ୍ରୟାସ କରିବାକୁ ଲକ୍ଷ୍ୟ ରଖିବ ।

ଶେଷ ଥର ପାଇଁ ୨୦୦୩ ଭାରତ ଗସ୍ତ ସମୟରେ ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜ ଡ୍ର’ କରିଥିଲା । ୨ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ଗୋଟିଏ ହେଲେ ମ୍ୟାଚ୍‌ ଜିତିପାରି ନଥିଲା । ୫ବର୍ଷ ପରେ ୱାଙ୍ଖଡେକୁ ଟେଷ୍ଟ ଫେରିଛି । ଫଳରେ ସ୍ଥାନୀୟ ଦର୍ଶକ ମ୍ୟାଚ୍‌କୁ ନେଇ ବେଶ ଉତ୍ସାହିତ ହୋଇପଡ଼ିଛନ୍ତି । କାନପୁର ଭଳି ଏଠାରେ ମଧ୍ୟ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ । ହେଲେ ଏହା ପୂର୍ବରୁ ଚୂଡ଼ାନ୍ତ ଏକାଦଶ ଚୟନକୁ ନେଇ କ୍ରିକେଟ୍‌ ପ୍ରେମୀଙ୍କ ଉତ୍କଣ୍ଠା ଲାଗି ରହିଛି।

ପ୍ରଥମ ଟେଷ୍ଟ ଖେଳିନଥିବା ବିରାଟ କୋହଲି ଦଳକୁ ଫେରିଛନ୍ତି । ସେ ନେତୃତ୍ୱ ନେବେ । ଫଳରେ ପ୍ରଥମ ଟେଷ୍ଟ ଖେଳିଥିବା ୧୧ଙ୍କ ମଧ୍ୟରୁ ଜଣେ ବାଦ ପଡ଼ିବେ । ମଧ୍ୟକ୍ରମରେ ଚେତେଶ୍ୱର ପୂଜାରା, ଶ୍ରେୟାସ ଆୟର ଓ ଅଜିଙ୍କ୍ୟ ରାହାଣେ ରହିଛନ୍ତି । କୋହଲି ଫେରିବା ଫଳରେ ଏମାନଙ୍କ ମଧ୍ୟରୁ ଜଣଙ୍କୁ ବାଦ ଦିଆଯିବ । ସେହିପରି ଫର୍ମ ହରାଇଥିବା ଈଶାନ୍ତ ଶର୍ମାଙ୍କ ସ୍ଥାନକୁ ନେଇ ମଧ୍ୟ ଆଲୋଚନା ଚାଲିବ । ନ୍ୟୁଜିଲାଣ୍ଡ ମଧ୍ୟ ଏକାଦଶରେ ପରିବର୍ତ୍ତନ କରିବା ଆଶା କରାଯାଉଛି । ୱାଙ୍ଖଡେ ପିଚ୍‌ ଓ କୋହଲା ପାଗକୁ ନଜରରେ ରଖି ନିଲ ୱାଗନରଙ୍କୁ ଖେଳାଇବା ପାଇଁ ନ୍ୟୁଜିଲାଣ୍ଡ ଯୋଜନା କରୁଛି । ଫଳରେ ସ୍ପିନର ୱିଲ ସମରଭିଲ ଏକାଦଶରୁ ବାଦ ପଡ଼ିବେ ।

ଦ୍ୱିତୀୟ ଟେଷ୍ଟରେ କୋହଲିଙ୍କ ବ୍ୟାଟିଂ ଦେଖିବାକୁ ଦର୍ଶକ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ଗଣା ହେଉଥିବା କୋହଲି ୨୦୧୯ରେ ଇଡେନ ଗାର୍ଡେନରେ ଶତକ ଅର୍ଜନ କରିଥିଲେ । ଏହା ତାଙ୍କ କ୍ୟାରିୟର୍‌ର ୭୦ତମ ଶତକ ରହିଥିଲା । ଏହା ପରଠୁ ତାଙ୍କ ବ୍ୟାଟ୍‌ରୁ ଶତକୀୟ ଇନିଂସ ଦେଖିବାକୁ ମିଳିନାହିଁ । ଭାରତୀୟ ଦଳ କାନପୁରରେ ପ୍ରଥମ ଟେଷ୍ଟ ଖେଳୁଥିବାବେଳେ କୋହଲି ଏହି ସମୟରେ ମୁମ୍ବାଇ ଠାରେ ଜୋରଦାର ଅଭ୍ୟାସ ଚଳାଇଥିଲେ । ଟେକ୍‌ନିକ୍‌ରେ ଛୋଟ ମୋଟ ପରିବର୍ତ୍ତନ ପାଇଁ ସଞ୍ଜୟ ବାଙ୍ଗର ତାଙ୍କୁ ସହାୟତା କରୁଥିଲେ ।

ପ୍ରଥମ ଟେଷ୍ଟରେ ଆହତ ହୋଇଥିବା ରିଦ୍ଧିମାନ ଶାହା ଫିଟ୍‌ ଘୋଷିତ ହୋଇଛନ୍ତି । ଫଳରେ ଦ୍ୱିତୀୟ ଟେଷ୍ଟରେ ସେ ଖେଳିବା ଆଶା କରାଯାଉଛି । ଶାହାଙ୍କ ଅନୁପସ୍ଥିତିରେ ୱିକେଟ୍‌ କିପିଙ୍ଗ୍‌ କରି ପ୍ରଶଂସା ସାଉଁଟିଥିବା କେ ଏସ୍‌ ଭରତଙ୍କୁ ମଧ୍ୟ ବିଚାରକୁ ନିଆଯାଇପାରେ ।

ପିଚ୍‌: ୱାଙ୍ଖଡ଼େ ପିଚ୍‌ ମୁଖ୍ୟତଃ ସ୍ପିନରଙ୍କୁ ସହାୟତା କରିବାର ନଜିର ରହିଛି । ଅବଶ୍ୟ ପେସ୍‌ ବୋଲରମାନେ ଏହି ପିଚ୍‌ରେ ବଲ୍‌କୁ ଅତିରିକ୍ତ ବାଉନ୍ସ କରାଇ ପାରିବେ । ମୁମ୍ବାଇରେ ବର୍ଷା ଓ କୋହଲା ପାଗ ଥିବାରୁ ପିଚ୍‌ରେ ଆଦ୍ରତା ଭରି ରହିବ । ଫଳରେ ପେସ୍‌ ବୋଲରମାନେ ମଧ୍ୟ ବଲକୁ ଏଠାରେ ସୁଇଂ କରାଇପାରିବେ ବୋଲି ଆଶା କରାଯାଉଛି । ଉଭୟ ଦଳ ଅତିରିକ୍ତ ପେସ୍‌ ବୋଲର ନେଇ ଗ୍ରାଉଣ୍ଡକୁ ଓହ୍ଲାଇବାକୁ ଯୋଜନା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.