୨୭ତାରିଖ ରାତିରେ ପାକିସ୍ତାନ ଉପରେ ଭାରତ କରିଛି ଦ୍ବିତୀୟ ସର୍ଜିକାଲ ଷ୍ଟ୍ରାଇକ୍, ବହୁ ବଂକର ଧ୍ବଂସ, ୧୫ପାକ୍ ଜବାନ ମୃତ !

Published By : Prameya-News7 Bureau | September 30, 2018 IST

ନୂଆଦିଲ୍ଲୀ ୩୦|୯: ପାକିସ୍ତାନ ବିରୋଧରେ ଦ୍ବିତୀୟ ସର୍ଜିକାଲ ଷ୍ଟ୍ରାଇକହୋଇସାରିଛି ଏବଂ ଏଥିରେ ବହୁ ପାକିସ୍ତାନୀ ବଂକର ଧ୍ବଂସ ହେବା ସହ ୧୫ରୁ ଅଧିକ ପାକିସ୍ତାନ ଜବାନଙ୍କୁ ଭାରତୀୟ କାମାଣ୍ଡୋମାନେ ମାରି ଦେଇଛନ୍ତି । ଏଭଳି ଖବର ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଏପରିକି ଏହି ସର୍ଜିକାଲ ଷ୍ଟ୍ରାଇକ୍ ସମ୍ପର୍କରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ଗତ ଶୁକ୍ରବାର ଦିନ ମୁଜାଫରନଗରଠାରେ ଏକ ସଭାରେ ସଙ୍କେତ ଦେଇଥିଲେ । ଗତ ଗୁରୁବାର ଆର୍ଥାତ ୨୭ତାରିଖ ମଧ୍ୟରାତ୍ରିରେ ଏହି ସର୍ଜିକାଲ ଷ୍ଟ୍ରାଇକ୍ ହୋଇଥିବା ସୂଚନା ମିଳିଛି । ଏହି ସର୍ଜିକାଲ ଷ୍ଟ୍ରାଇକ୍ ପରଠୁ ପାକିସ୍ତାନ ପଟକୁ ୫ କିଲୋମିଟର ଅଞ୍ଚଳରେ ଥିବା ଗାଁ ଗୁଡିକୁ ଖାଲି କରିଦିଆଯାଇଛି । ସୀମାରେ ଅଧିକ ସେନା ମୁତୟନ ମଧ୍ୟ ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁସାରେ ଜଣେ ବିଏସଏଫ ହେଡ୍ କନେଷ୍ଟେବଳଙ୍କୁ ଅପହରଣ କରି ହତ୍ୟା କରିବାଭଳି ପାକିସ୍ତାନ ସେନାର ବର୍ବର କାଣ୍ଡର ପ୍ରତିଶୋଧ ନେବାକୁ ଯାଇ ଭାରତୀୟ ସେନା ଏହି ସର୍ଜିକାଲ ଷ୍ଟ୍ରାଇକ୍ କରିଛି । ସୂଚନା ଯୋଗ୍ୟ ଯେ, ଏହି ଦ୍ବିତୀୟ ସର୍ଜିକାଲ ଷ୍ଟ୍ରାଇକ୍ ପାଇଁ ଜମ୍ମୁକାଶ୍ମୀରର ଜମ୍ମୁ ଏବଂ ରାଜୌରୀ ଜିଲ୍ଲାର ମଧ୍ୟବର୍ତ୍ତୀ ସ୍ଥାନରେ ସୀମାକୁ ଲାଗି ରହିଥିବା କେରି ଉପ-ସେକ୍ଟରକୁ ଭାରତୀୟ ସେନା ବାଛିଥିଲା । ଭାରତୀୟ ଭାରତୀୟ ସେନାବାହିନୀର ସ୍ପେଶାଲ ଫୋର୍ସ ଏବଂ ସୀମା ସୁରକ୍ଷା ବାହିନୀର କମାଣ୍ଡୋମାନେ ଏହି ସର୍ଜିକାଲ ଅପରେସନରେ ସାମିଲ ହୋଇଥିଲେ । ଏହି ଜବାନମାନେ ରାଜୌରୀ ଜିଲ୍ଲାର ସୁନ୍ଦରବନୀ ତହସିଲଠାରୁ ପ୍ରାୟ ୧୫କିଲୋମିଟର ଦୂରରେ ଥିବା ମଲ୍ଲା ଅଞ୍ଚଳକୁ ଦୁଇଟି ହେଲିକପ୍ଟର ମାଧ୍ୟମରେ ୨୭ ତାରିଖ ରାତିରେ ପହଞ୍ଚିଥିଲେ । ଏଠାରୁ ଜବାନମାନେ ପାକିସ୍ତାନ ସୀମା ମଧ୍ୟରେ ପ୍ରବେଶ କରି ମାତ୍ର ଗୋଟିଏ ଘଣ୍ଟାର ଅପରେସନ କରି ସୁରକ୍ଷିତ ଭାବେ ଫେରିଥିଲେ । ଭାରତର ଏହି ଅଘୋଷିତ ସର୍ଜିକାଲ ଷ୍ଟ୍ରାଇକ୍ ପାକିସ୍ତାନ ସେନାଙ୍କ ନିଦ ହଜେଇ ଦେଇଛି । ଆଗକୁ ଆହୁରି ବଡ ଧରଣର କାର୍ଯ୍ୟାନୁଷ୍ଠାନ ଆଶଙ୍କାରେ ସୀମାରେ ପାକିସ୍ତାନ ସେନା ସଜାଗ ହୋଇଛି । ସରକାରୀ ଭାବେ ଏହି ସର୍ଜିକାଲ ଷ୍ଟ୍ରାଇକ୍ ସମ୍ପର୍କରେ କୌଣସି ସୂଚନା ଦିଆଯାଇନାହିଁ । ତେବେ ପାକିସ୍ତାନ ବର୍ବରତାର ପ୍ରତିଶୋଧ ନିଆଯାଇସାରିଛି ବୋଲି ରାଜନାଥ ସିଂଙ୍କ ବକ୍ତବ୍ୟରୁ ଏହାର ସତ୍ୟତା ଜଣାପଡୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.