'କୋଭିସିଲ୍‌ଡ' ଟିକାର ୨ୟ ପର୍ଯ୍ୟାୟ ହ୍ୟୁମାନ୍‌ ଟ୍ରାଏଲ୍, ଡିସେମ୍ବର ସୁଦ୍ଧା ଭ୍ୟାକ୍‌ସିନ୍‌ !

Published By : Prameya-News7 Bureau | August 27, 2020 IST

ନୂଆଦିଲ୍ଲୀ ୨୭।୦୮: କରୋନା ମହାମାରୀ ସହ ଏବେ ଭାରତ ସଂଘର୍ଷ କରୁଥିବା ବେଳେ ବ୍ରିଟେନ୍‌ର ଅକ୍ସଫୋର୍ଡ ୟୁନିଭର୍ସିଟି ଦ୍ୱାରା ପ୍ରସ୍ତୁତ ଟିକାକୁ ନେଇ ଆଶା ବଢ଼ିବାରେ ଲାଗିଛି । ଟିକାର ପ୍ରଥମ ପର୍ଯ୍ୟାୟ ମାନବ ପରୀକ୍ଷଣ ସଫଳ ହେବା ପରେ ବୁଧବାରଠୁ ଭାରତରେ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ ହୋଇଛି । ପୁନେର ଏକ ହସ୍ପିଟାଲରେ ଦୁଇଜଣଙ୍କୁ ଏହାର ଡୋଜ୍‌ ଦିଆଯାଇଛି । ସବୁ କିଛି ଠିକ୍‌ଠାକ୍‌ ରହିଲେ, ତୃତୀୟ ପର୍ଯ୍ୟାୟ ହ୍ୟୁମାନ୍‌ ଟ୍ରାଏଲ୍‌ ଶୀଘ୍ର ଆରମ୍ଭ ହେବ । ଏହାପରେ ଚଳିତବର୍ଷ ଡିସେମ୍ବରରେ ଟିକା ବଜାରକୁ ଆସିବ ।

ପୁନେର ଭାରତୀ ବିଦ୍ୟାପୀଠ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଟିକାର ପରୀକ୍ଷା ପାଇଁ ୫ ଜଣଙ୍କୁ ନାମାଙ୍କନ କରାଯାଇଥିଲା । ପ୍ରଥମେ ସେମାନଙ୍କର ଆଣ୍ଟିବଡି ପରୀକ୍ଷା ହୋଇଥିଲା । ୩ ଜଣ ସ୍ୱେଚ୍ଛାସେବୀ କରୋନା ପଜିଟିଭ୍‌ ଚିହ୍ନଟ ହେବାରୁ ସେମାନଙ୍କୁ ଅଯୋଗ୍ୟ ବିବେଚିତ କରାଯାଇଥିଲା । ବାକି ଦୁଇଜଣଙ୍କୁ ଅକ୍ସଫୋର୍ଡ ଟିକା କୋଭିସିଲ୍‌ଡ (ବ୍ରିଟେନ୍‌ରେ ଏଜେଡ୍‌ଡି୧୨୨୨)ର ୦.୫ମିଲି ଡୋଜ୍‌ ଦିଆଯାଇଥିଲା । ଟିକା ଦିଆଯିବାର ଅଧ ଘଣ୍ଟା ପରେ ସେମାନଙ୍କୁ ଘରକୁ ପଠାଇ ଦିଆଯାଇଥିଲା । ସେମାନଙ୍କ ଉପରେ ୭ ଦିନ ପର୍ଯ୍ୟନ୍ତ ନଜର ରଖାଯିବ । ଟିକା ଡୋଜ୍‌ ନେବା ପରେ ସେମାନଙ୍କଠାରେ କୌଣସି ପାଶ୍ୱର୍ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ । ଭାରତୀ ବିଦ୍ୟାପୀଠ ମେଡିକାଲ କଲେଜ ଓ ହସ୍ପିଟାଲର ଚିକିତ୍ସା ନିର୍ଦ୍ଦେଶକ ଡା. ସଞ୍ଜୟ ଲାଲୱାନି କହିଛନ୍ତି, ଆଗାମୀ ଦିନରେ ୨୫ ସ୍ୱେଚ୍ଛାସେବୀଙ୍କୁ ଟିକା ଦିଆଯିବ । ସାରା ଦେଶରେ ଏଥିପାଇଁ ମୋଟ ୧୦୦ ଜଣଙ୍କର ନାମାଙ୍କନ ହୋଇଛି । ଯଦି ଏହି ୧୦୦ ଜଣଙ୍କ ଉପରେ ଟିକା ପରୀକ୍ଷା ସଫଳ ହୁଏ । ତେବେ ୧,୫୦୦ ସ୍ୱେଚ୍ଛାସେବୀଙ୍କୁ ନେଇ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରାଯିବ । ସରକାର ପୂର୍ବରୁ ଏଥିପାଇଁ ଅନୁମତି ପ୍ରଦାନ କରିସାରିଛନ୍ତି ।

ମେଡିକାଲ ଜର୍ଣ୍ଣାଲ ଦ ଲାନ୍‌ସେଟ୍‌ରେ ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ କରୋନା ଟିକା କୋଭିସିଲ୍‌ଡ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ଏବଂ ପ୍ରଭାବୀ ପ୍ରମାଣିତ ହୋଇଛି । ଟିକା ଦୌଡ଼ରେ ଏବେ ଏହା ବେଶ୍‌ ଆଗରେ ରହିଛି । ଅକ୍ସଫୋର୍ଡ ୟୁନିଭର୍ସିଟି କହିଛି ଯେ ବ୍ରିଟେନ୍‌ରେ ଏଜେଡ୍‌ଡି୧୨୨୨ ଟିକା ଲଗାଯିବା ଦ୍ୱାରା ଲୋକଙ୍କଠାରେ ଉତ୍ତମ ପ୍ରତିରୋଧୀ ପ୍ରତିକ୍ରିୟା ଦେଖିବାକୁ ମିଳିଛି । କରୋନା ଭୂତାଣୁକୁ ଏହା ନିଶ୍ଚିତ ମାତ୍‌ ଦେଇପାରିବ ।

ଅକ୍ସଫୋର୍ଡ ଟିକାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ପାଇଁ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌କୁ ଅଗଷ୍ଟ ୩ ତାରିଖରେ ଭାରତୀୟ ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) ପକ୍ଷରୁ ଅନୁମତି ଦିଆଯାଇଛି । ପୁନେର ଭାରତୀ ବିଦ୍ୟାପୀଠ ମେଡିକାଲ କଲେଜ ଓ ହସ୍ପିଟାଲ ବ୍ୟତୀତ ଭାରତର ଆଉ କିଛି ହସ୍ପିଟାଲ ମଧ୍ୟ ଏହି ଟିକା ପରୀକ୍ଷା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ତାମିଲନାଡୁର ରାଜୀବ ଗାନ୍ଧୀ ଗଭର୍ଣ୍ଣମେଣ୍ଟ ଜେନେରାଲ ହସ୍ପିଟାଲ ଏବଂ ଶ୍ରୀ ରାମଚନ୍ଦ୍ର ହସ୍ପିଟାଲ କୋଭିସିଲ୍‌ଡ ଟିକାର ମାନବ ପରୀକ୍ଷଣ କରାଇବାକୁ ସହମତି ପ୍ରକାଶ କରିଛନ୍ତି । ୧୮ରୁ ଅଧିକ ବୟସର ୩୦୦ ସ୍ୱେଚ୍ଛାସେବୀଙ୍କଠାରେ ସେମାନେ ଟିକା ପରୀକ୍ଷା କରିବେ ବୋଲି କହିଛନ୍ତି ।

ସାମ୍ବାଦିକମାନଙ୍କୁ ସୂଚନା ଦେଇ ତାମିଲନାଡୁ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ସି. ବିଜୟ ଭାସ୍କର କହିଛନ୍ତି, ଅକ୍ସଫୋର୍ଡ ଟିକାର ମାନବ ପରୀକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀ କେ ପାଲାନିସ୍ୱାମୀ ନିର୍ଦ୍ଦେଶ ଜାରି କରିଛନ୍ତି । ତେଣୁ ଖୁବଶୀଘ୍ର ଏହି ପରୀକ୍ଷା ଆରମ୍ଭ କରାଯିବ । ଏହି ପ୍ରକଳ୍ପକୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପ୍ରତ୍ୟକ୍ଷ ଭାବେ ତଦାରଖ କରିବେ । ଟିକାର ପ୍ରଥମ ପର୍ଯ୍ୟାୟ ପରୀକ୍ଷାରୁ ଜଣାପଡ଼ିଛି, ଟିକା ଦିଆଯିବାର ୧୪ ଦିନ ମଧ୍ୟରେ ଶରୀରରେ ଟି-ସେଲ୍‌ ସୃଷ୍ଟି ହେଉଛି ଏବଂ ୨୮ ଦିନ ମଧ୍ୟରେ କରୋନା ଆଣ୍ଟିବଡି ସୃଷ୍ଟି ହେଉଛି । ଟି-ସେଲ୍‌ ହେଉଛି ଶ୍ୱେତ ରକ୍ତ କଣିକା, ଯାହା କି କରୋନା ସଂକ୍ରମିତ କୋଷଗୁଡ଼ିକୁ ଆକ୍ରମଣ କରିପାରିବ ଏବଂ ଆଣ୍ଟିବଡି ହେଉଛି ପ୍ରୋଟିନ୍‌ ମୋଲିକ୍ୟୁଲ୍‌ ଯାହା ଭୂତାଣୁକୁ ନିଷ୍କ୍ରିୟ କରିପକାଇବ । ଫଳରେ ଏହା କୋଷଗୁଡ଼ିକୁ ଆଉ ସଂକ୍ରମିତ କରିପାରିବ ନାହିଁ ।

ଟିକା ପ୍ରସ୍ତୁତକାରୀ କମ୍ପାନି ସେରମ୍‌ ଇନଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ (ଏସ୍‌ଆଇଆଇ) ଅକ୍ସଫୋର୍ଡ ଟିକାର ଏକ ବିରାଟ ଭାଗ ଉତ୍ପାଦନ କରିବ । ଏଥିନିମନ୍ତେ ଭାରତୀୟମାନଙ୍କ ଶରୀରରେ ପ୍ରଭାବ ଜାଣିବା ପାଇଁ କମ୍ପାନି ଏହି ଟିକାର ମାନବ ପରୀକ୍ଷଣ ପରିଚାଳନା କରୁଛି। ଏସ୍‌ଆଇଆଇ ଭାରତରେ ଏହି ଟିକାର ୧୦୦ କୋଟି ଡୋଜ୍‌ ଉତ୍ପାଦନ ଲାଗି ବ୍ରିଟିସ-ସ୍ୱିଡିଶ ଔଷଧ କମ୍ପାନି ଆଷ୍ଟ୍ରାଜେନେକା ସହ ଚୁକ୍ତି କରିଛି । ଏଥିରୁ ଭାରତକୁ ଅଧିକ ଡୋଜ୍‌ ଟିକା ମିଳିବା ସମ୍ଭାବନା ଅଧିକ ରହିଛି। ବ୍ରିଟେନ୍‌ର ଅକ୍ସଫୋର୍ଡ ୟୁନିଭର୍ସିଟି ଏବଂ ଆଷ୍ଟ୍ରାଜେନେକା ଦ୍ୱାରା ମିଳିତ ଭାବେ ଏହାକୁ ପ୍ରସ୍ତୁତ କରାଯାଇଛି। ଅନ୍ୟପକ୍ଷରେ ଭାରତରେ ବିକଶିତ ହୋଇଥିବା ୩ଟି କରୋନା ଟିକାର ବିଭିନ୍ନ ପର୍ଯ୍ୟାୟ ପରୀକ୍ଷା ଜାରି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.