ସଂସଦ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ସୋମବାର, କାଣ୍ଟଛାଣ୍ଟ ହୋଇପାରେ କାର୍ଯ୍ୟଦିବସ

Published By : Prameya-News7 Bureau | March 07, 2021 IST

ନୂଆଦିଲ୍ଲୀ ୭।୩: ସଂସଦ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ୮ ମାର୍ଚ୍ଚ ସୋମବାର ଆରମ୍ଭ ହେବ। ତେବେ ୫ଟି ରାଜ୍ୟରେ ହେଉଥିବା ବିଧାନସଭା ନିର୍ବାଚନ ଲାଗି ଏହି ଅଧିବେଶନର କାର୍ଯ୍ୟଦିବସ ସଂକ୍ଷିପ୍ତ ହୋଇପାରେ ବୋଲି ଅନୁମାନ କରାଯାଉଛି। ଆସାମ, ବେଙ୍ଗଲ, ତାମିଲନାଡୁ, କେରଳ ଓ କେନ୍ଦ୍ର ଶାସିତ ପ୍ରଦେଶ ପୁଡୁଚେରୀ ବିଧାନସଭା ଅଧିବେଶନ ଲାଗି ସାଂସଦମାନେ ପ୍ରଚାର କାର୍ଯ୍ୟରେ ଯୋଗ ଦେବେ। ଏଣୁ କାର୍ଯ୍ୟ ଦିବସ ସଂକ୍ଷିପ୍ତ କରାଯାଇପାରେ ବୋଲି ଅନୁମାନ କରାଯାଉଛି।

ତେବେ ଅଧିବେଶନ ଆରମ୍ଭରେ କୃଷି ସଂଶୋଧନ ଆଇନ ସବୁଠୁ ବଡ଼ ପ୍ରସଙ୍ଗ ହେବ ବୋଲି ଅନୁମାନ କରାଯାଉଛି। ସରକାର ପ୍ରସଙ୍ଗରେ କୃଷକଙ୍କ ସହ ଆଲୋଚନା କରୁ ନାହାନ୍ତି। ଏଣୁ ବିରୋଧୀ ଦଳ ଗୃହରେ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହୋଇ ରହିଛନ୍ତି। ସେପଟେ ସରକାର ଅଧିବେଶନର ଏହି ପର୍ଯ୍ୟାୟରେ ପେନସନ୍ ସଂଶୋଧନ, ଡିଜିଟାଲ କରେନ୍ସି ନିୟମ ଭଳି ବିଧେୟକଗୁଡିକୁ ସଂସଦରେ ଗୃହୀତ କରିବା ଲାଗି ମଧ୍ୟ ପ୍ରସ୍ତୁତ ହୋଇ ରହିଛନ୍ତି।

ସୋମବାରଠାରୁ ଆରମ୍ଭ ହେବାକୁ ଯାଉଥିବା ସଂସଦର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଲାଗି ବିରୋଧୀ ଦଳ ନେତ୍ରୀ ସୋନିଆ ଗାନ୍ଧି ରବିବାର ପାର୍ଟିର ରଣନୈତିକ ସମୂହ ସହ ଆଲୋଚନା କରିଥିବା ଜଣାପଡିଛି। ଭର୍ଚୁଆଲ ମିଟିଂରେ ଏ ନେଇ ସୋନିଆ ଆଲୋଚନା କରିଛନ୍ତି। ଏଥିରେ ସୋମବାର ସଂସଦ ଅଧିବେଶନ ଆରମ୍ଭରେ ବିରୋଧୀ ଦଳ ସରକାରଙ୍କୁ ପେଟ୍ରୋଲ, ଡିଜେଲ ଓ ରୋଷେଇ ଗ୍ୟାସ୍‌ ଦର ବୃଦ୍ଧି ନେଇ ଘେରିବାକୁ ଚୂଡାନ୍ତ ହୋଇଛି।

ଦିଲ୍ଲୀ ସୀମାରେ ଚାଷୀଙ୍କ ଆନ୍ଦୋଳନକୁ ୧୦୦ ଦିନ ପୂରଣ ହୋଇଛି। ଚାଷୀଙ୍କୁ ନେଇ ସରକାରଙ୍କ ଆଭିମୁଖ୍ୟ ଏବେବି ସ୍ପଷ୍ଟ ହେଉନି। ଏଣୁ ସଦନରେ ପ୍ରସଙ୍ଗରେ ସ୍ୱତନ୍ତ୍ର ଆଲୋଚନା ଲାଗି ବିରୋଧୀ ଦଳ ଦାବି କରିବେ ବୋଲି ମଧ୍ୟ ନିଷ୍ପତ୍ତି ହୋଇଛି। ତେବେ ଏହି ଅଧିବେଶନ ନିର୍ଦ୍ଧାରିତ କାର୍ଯ୍ୟକାଳ ପର୍ଯ୍ୟନ୍ତ ଚାଲିନପାରେ। କାରଣ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଲାଗି ପ୍ରଚାର ନିମନ୍ତେ ବିଜେପି  ଅନଧିକାରୀକ କଂଗ୍ରେସ ସମେତ ଟିଏମସି, ଡିଏମକେ ଓ ଅନ୍ୟ ରାଜନୈତିକ ଦଳଙ୍କ ସହ ଆଲୋଚନା କରିଛି। ଯେଉଁଥିରେ ସଂସଦ ଅଧିବେଶନକୁ ସଂକ୍ଷିପ୍ତ କରିବା ଲାଗି ମଧ୍ୟ ସବୁ ଦଳ ସହମତ ହୋଇଥିବା ଜଣାପଡିଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.