ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ

Published By : Prameya-News7 Bureau | January 21, 2022 IST

ନୂଆଦିଲ୍ଲୀ, ୨୧|୦୧:  କର ବା ମର ସ୍ଥିତିରେ ଭାରତ । କରି ପାରିବ କି କମ୍ ବ୍ୟାକ୍ ? ନା ସିରିଜ୍ ହାତଛଡା କରିବ ? ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଶୁକ୍ରବାର ଦ୍ବିତୀୟ ଦିନିକିଆ ଖେଳାଯିବ। ପ୍ରଥମ ଦିନିକିଆକୁ ୩୧ ରନରେ ଜିତିନେବା ପରେ ଏବେ ସିରିଜ୍‌ ଜିତିବା ଲକ୍ଷ୍ୟରେ ଘରୋଇ ଦକ୍ଷିଣ ଆଫ୍ରିକା । ବୋଲୋଣ୍ଡ ପାର୍କରେ ଦ୍ବିତୀୟ ଦିନିକିଆ ଖେଳାଯିବାକୁ ଥିବାବେଳେ ଉଭୟ ଟିମ ବିଜୟ ଲକ୍ଷ୍ୟରେ ରହିଛନ୍ତି ।

ପ୍ରଥମ ଦିନିକିଆରେ ଅଧିନାୟକ ଭାର ସମ୍ଭାଳିଥିବା ଲୋକେସ୍ ରାହୁଲ ଫେଲ ମାରିବା ପରେ ଦ୍ବିତୀୟ ମ୍ୟାଚରେ ଦଳ ତାଙ୍କଠାରୁ ବଡ ଇନିଂସ ଆଶା କରୁଛି । ଶ୍ରେୟସ ଆୟର, ଋଷଭ ପନ୍ତ ଏବଂ ଭେଙ୍କଟେସ୍‌ ଆୟର ମଧ୍ୟ ପ୍ରଥମ ମ୍ୟାଚରେ ବେପରୁଆ ଭାବେ ଓ୍ବିକେଟ୍‌ ଫିଙ୍ଗିଥିଲେ । ତେବେ ଦ୍ବିତୀୟ ମ୍ୟାଚରେ ଏମାନଙ୍କ ଠାରୁ ବଡ ଇନିଂସ ଆଶା କରାଯାଉଛି ।

ବିରାଟ କୋହଲି ଅଧିନାୟକ ଥିବାବେଳୁ ହିଁ ମିଡିଲ୍‌ ଅର୍ଡରରେ ସଂଘର୍ଷ କରୁଛି ଭାରତୀୟ ଦଳ । ଯାହାର ସମାଧାନ ବର୍ତ୍ତମାନ ସୁଦ୍ଧା ହୋଇପାରି ନାହିଁ । ଦୀର୍ଘଦିନ ହେଲା ଫର୍ମରେ ନଥିବା ଶିଖର ଧାଓ୍ବନ କିନ୍ତୁ ନିଜକୁ ପ୍ରମାଣିତ କରିଦେଖାଇଛନ୍ତି । ପ୍ରଥମ ଦିନିକିଆରେ ସେ ଗୁରୁତ୍ବପୂର୍ଣ୍ଣ ୭୯ରନ କରି ଭାରତୀୟ ଦଳକୁ ଏକ ମଜବୁତ ଆରମ୍ଭ ଦେଇଥିଲେ । କିନ୍ତୁ ଧାଓ୍ବନଙ୍କ ଓ୍ବିକେଟ ଯିବାପରେ ଭାରତୀୟ ଦଳର ମଧ୍ୟକ୍ରମ ଏକ ପ୍ରକାର ଭୁଶୁଡିପଡିଥିଲା ।

ଆଉ ଏକ ବଡ ପ୍ରଶ୍ନ ହେଉଛି ଦଳରେ ଭେଙ୍କଟେଶ୍ ଆୟରଙ୍କ ଭଳି ଅଲରାଉଣ୍ଡର ଥିବା ବେଳେ ତାଙ୍କୁ ଦଳ କାହିଁକି ବୋଲିଂ ଦେଇନଥିଲା? ଭାନ୍‌ ଡର୍‌ ଦୁସେନ୍‌ ଏବଂ ଟେମ୍ବା ବାଭୁମା କ୍ରିଜ୍‌ରେ ଭାରତୀୟ ବୋଲରଙ୍କ ଉପରେ ଭାରିପଡୁଥିବା ବେଳେ ଦଳ କିନ୍ତୁ ଭେଙ୍କଟେଶ୍‌ ଆୟରଙ୍କୁ ଉପଯୋଗ କରିନଥିଲା । ତେବେ ଆୟରଙ୍କୁ ଯଦି ବ୍ୟାଟ୍ସମ୍ୟାନ ଭାବେ ଦଳରେ ସାମିଲ କରାଯାଇଥିଲା ତେବେ ତାଙ୍କ ବଦଳରେ ସୂର୍ଯ୍ୟକୁମାର ଯାଦବଙ୍କୁ କାହିଁକି ବାଦ୍‌ ଦିଆଯାଇଥିଲା ତାହା ମଧ୍ୟ ଏକ ବଡ ପ୍ରଶ୍ନ ।

ଦ୍ବିତୀୟ ଦିନିକିଆ ମଧ୍ୟ ସେହି ଗ୍ରାଉଣ୍ଡରେ ଖେଳାଯିବ ଯେଉଁଠାରେ ପ୍ରଥମ ଦିନିକିଆ ଖେଳାଯାଇଥିଲା । ପୂର୍ବଭଳି ପିଚ୍‌ ଧିମା ରହିବ । ତେଣୁ ସ୍ପିନରଙ୍କୁ ସୁହାଇବ ଏବଂ ଅନ୍ୟପଟେ ଦେଖିବାକୁ ଗଲେ ରନ୍‌ କରିବା ମଧ୍ୟ ସହଜ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.