ବିବାହ ବିଚ୍ଛେଦ ମାମଲା ଚାଲିଥିବାବେଳେ ମଧ୍ୟ ଅନ୍ୟତ୍ର ବିବାହ କରିହେବ: ସୁପ୍ରିମକୋର୍ଟ

Published By : Prameya-News7 Bureau | August 27, 2018 IST

ନୂଆଦିଲ୍ଲୀ୨୭|୮: ଛାଡପତ୍ର ମାମଲା ବିଚାରାଧୀନ ଥିବା ସମୟରେ ମଧ୍ୟ ଏଣିକି କୌଣସି ପକ୍ଷ ଅନ୍ୟତ୍ର ବିବାହ କରିପାରିବେ । ପୂର୍ବରୁ ମାମଲା ବିଚାରଧୀନ ଥିବାବେଳେ ଅନ୍ୟତ୍ର ବିବାହକୁ ଅସିଦ୍ଧ ବୋଲି ଆଇନରେ ଥିଲା । ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ବିବାହ ବିଚ୍ଛେଦ ସମ୍ପର୍କିତ ଦିଲ୍ଲୀ ହାଇକୋର୍ଟଙ୍କ ଏକ ରାୟ ବିରୋଧରେ ହୋଇଥିବା ଆବେଦନର ବିଚାର କରି ସୁପ୍ରିମକୋର୍ଟର ବିଚାରପତି ଏସ୍ଏ ବୋବଡେ ଏବଂ ବିଚାରପତି ଏଲ୍ ନାଗେଶ୍ବର ରାଓଙ୍କୁ ନେଇ ଗଠିତ ଖଣ୍ଡପୀଠ ଏଭଳି ରାୟ ପ୍ରଦାନ କରିଛନ୍ତି । ହିନ୍ଦୁ ବିବାହ ଆଇନର ୧୫ ଧାରାକୁ ତର୍ଜମା କରିବା ସହ ଏହାର ବ୍ୟାଖ୍ୟା ଅନ୍ୟ ଢଂଗରେ କରିଛନ୍ତି ଖଣ୍ଡପୀଠ । ଖଣ୍ଡପୀଠ କହିଛନ୍ତି ଯେ, ବିବାହ ବିଚ୍ଛେଦ ମାମଲା ଚାଲିଥିବାବେଳେ କେବେ ବି କୁହାଯାଇପାରିବ ନାହିଁ ଯେ, ପୂର୍ବ ବିବାହ କାଏମ ରହିଛି ବୋଲି । ହିନ୍ଦୁ ବିବାହ ଆଇନର ୧୫ ଧାରାରେ କୁହାଯାଇଛି ଯେ, ଯେ କୌଣସି ବିବାହ ବିଚ୍ଛେଦ ମାମଲାର ଫଇସଲା ପରେ ହିଁ ପକ୍ଷଭୁକ୍ତ ଦୁଇଜଣ ଅନ୍ୟତ୍ର ବିବାହ କରିପାରିବେ । କେବଳ ସେତିକି ନୁହେଁ ମାମଲାର ଫଏସଲା ହେବା ପରେ ମଧ୍ୟ ଉପର କୋର୍ଟରେ ଆବେଦନ କରିବା ପାଇଁ ଥିବା ସମୟସୀମା ମଧ୍ୟରେ କେହି ବିବାହ କରିପାରିବେ ନାହିଁ । ଉପର କୋର୍ଟରେ ଯଦି କୌଣସି ପକ୍ଷ ଆବେଦନ କରିଛନ୍ତି ଓ ଉପର କୋର୍ଟ ଏହି ଆବେଦନକୁ ଖାରଜ ନକରିଛନ୍ତି ବା ବିଚାର ନକରିଛନ୍ତି ତାହେଲେ ମଧ୍ୟ ଅନ୍ୟତ୍ର ବିବାହ ହୋଇପାରିବ ନାହିଁ । କିନ୍ତୁ ବର୍ତ୍ତମାନ ସୁପ୍ରିମକୋର୍ଟ ଖଣ୍ଡପୀଠଙ୍କ ରାୟ ଏବେ ଏହି କଟକଣା ବଦଳାଇଦେବ । ସୁପ୍ରିମକୋର୍ଟ ଯେଉଁ ମାମଲାର ବିଚାର କରିବା ବେଳେ ଏଭଳି ରାୟ ପ୍ରଦାନ କରିଛନ୍ତି ସେହି ମାମଲାଟି ହେଲା ଏହିପରି- ଦିଲ୍ଲୀର ଜଣେ ବ୍ୟକ୍ତି ବିବାହ ବିଚ୍ଛେଦ ପାଇଁ ଆବେଦନ କରିଥିଲେ । କିନ୍ତୁ ଆଇନଗତ ବିଚ୍ଛେଦ ପୂର୍ବରୁ ସେ ଆପୋଷଭାବେ ମାମଲାର ସମାଧାନ କରିଦେଇଥିଲେ ଓ କୋର୍ଟଙ୍କୁ ଏହା ଅବଗତ କରାଇବା ସହ ମାମଲା ପ୍ରତ୍ୟାହାର ପାଇଁ ଆବେଦନ କରିଥିଲେ । ତେବେ ମାମଲା ପ୍ରତ୍ୟାହାର ପାଇଁ ଅଦାଲତ ଅନୁମତି ପ୍ରଦାନ କରିବା ପୂର୍ବରୁ ହିଁ ସମ୍ପୃକ୍ତ ବ୍ୟକ୍ତି ଦ୍ବିତୀୟ ବିବାହ କରିଥିଲେ । ତେବେ ତାଙ୍କ ଦ୍ବିତୀୟ ବିବାହ ମଧ୍ୟ ସଫଳ ହୋଇନଥିଲା । ଫଳରେ ଦ୍ବିତୀୟ ପତ୍ନୀ ଦିଲ୍ଲୀ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ । ସେ ଯୁକ୍ତି କରିଥିଲେ ଯେ, ପ୍ରଥମ ପତ୍ନୀଙ୍କ ସହ ବିବାହ ବିଚ୍ଛେଦ ମାମଲାର ଫଏସଲା ହେବା ପୂର୍ବରୁ ହିଁ ଯେହେତୁ ତାଙ୍କ ସହ ସଂପୃକ୍ତ ବ୍ୟକ୍ତି ଦ୍ବିତୀୟ ବିବାହ କରିଛନ୍ତି ତେଣୁ ଏହି ବିବାହକୁ ଅସିଦ୍ଧ ଘୋଷଣା କରାଯାଉ । ଦ୍ବିତୀୟ ପତ୍ନୀଙ୍କ ଯୁକ୍ତିକୁ ଦିଲ୍ଲୀ ହାଇକୋର୍ଟ ଗ୍ରହଣ କରି ତାଙ୍କ ସପକ୍ଷରେ ରାୟ ପ୍ରଦାନ କରିଥିଲେ । ଫଳରେ ସଂପୃକ୍ତ ବ୍ୟକ୍ତି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ସୁପ୍ରମକୋର୍ଟ ମାମଲାର ବିଚାର କରି ହାଇକୋର୍ଟଙ୍କ ରାୟକୁ ନାକଚ କରିବା ସହ ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.