ଗଡିଲା ଦ୍ଵିତୀୟ କିସାନ ରେଲ, ଏବେ କୃଷକ ଦିଲ୍ଲୀରେ ବିକି ପାରିବେ ଫଳ-ପନିପରିବା
9/09/2020 at 10:26 PM

ନୂଆଦିଲ୍ଲୀ ୦୯।୦୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୨ ପର୍ଯ୍ୟନ୍ତ କୃଷକଙ୍କ ଆୟ ଦ୍ଵିଗୁଣ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି କ୍ରମରେ ଏବେ ଚାଷୀଙ୍କ ସାହାଯ୍ୟରେ ଦ୍ଵିତୀୟ କିସାନ ରେଲକୁ ସବୁଜ ସଙ୍କେତ ମିଳିଛି। ଦ୍ଵିତୀୟ କିସାନ ରେଲ ଆନ୍ଧ୍ର ପ୍ରଦେଶର ଅନନ୍ତପୁରରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ଦକ୍ଷିଣ ଭାରତରୁ ଦିଲ୍ଲୀ ଅଭିମୁଖେ ଏହା ପ୍ରଥମ କିସାନ ରେଲ ଯାତ୍ରା।

କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଓ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ଵାଇ ଏସ ଜଗମୋହନ ରେଡ୍ଡୀ କିସାନ ରେଲକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ ଅନନ୍ତପୁର(ଆନ୍ଧ୍ର ପ୍ରଦେଶ)ରୁ ଆଦର୍ଶନଗର(ଦିଲ୍ଲୀ) ଅଭିମୁଖେ ଯାତ୍ରା କରିଛି। ଏହି ଅବସରରେ ମନ୍ତ୍ରୀ ତୋମାର କହିଛନ୍ତି କିସାନ ରେଲରୁ କୃଷିର ଅର୍ଥବ୍ୟବସ୍ଥା ମଜବୁତ ହେବ। ଏହି ଟ୍ରେନ ମାଧ୍ୟମରେ ଆନ୍ଧ୍ର ପ୍ରଦେଶର ପ୍ରସିଦ୍ଧ ଫଳ ଦେଶର ଅନ୍ୟ ଭାଗକୁ ସୁଗମତାର ସହ ପହଞ୍ଚିବ।

ତୋମାର କହିଛନ୍ତି ଚାଷରୁ କୃଷକଙ୍କୁ ଲାଭ ମିଳୁ, ସେମାନଙ୍କର ଆୟ ଦୁଇ ଗୁଣ ହେଉ ଏହି ଉଦ୍ଦେଶ୍ୟକୁ ପୂରା କରିବା ପାଇଁ ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ବଜେଟ୍ରେ ପ୍ରୟାସ କରୁଛନ୍ତି। ବଜେଟ୍ରେ କିସାନ ରେଲ ଓ କିସାନ ଉଡାଣ ସୁବିଧା ଘୋଷଣା କରାଯାଇଥିଲା। ଯଦ୍ଵାରା ଫଳ ଓ ପନି ପରିବା କମ ସମୟରେ ଗୋଟିଏ ସ୍ଥାନ ଅନ୍ୟ ସ୍ଥାନକୁ ସହଜରେ ପହଞ୍ଚି ପାରିବ।

ଉଲ୍ଲେଖଯୋଗ୍ୟ, ଗତ ମାସରେ ଅର୍ଥାତ ଅଗଷ୍ଟ ୭ରେ ଦେବବାଲିରୁ ଦାନାପୁର ପର୍ଯ୍ୟନ୍ତ ପ୍ରଥମ କିସାନ ରେଲ ଆରମ୍ଭ ହୋଇଥିଲା। ଏହାର ଚାହିଦା ବଢିବାରୁ ରେଳ ମନ୍ତ୍ରୀ ପିୟୂଷ ଗୋଏଲ ଏହାର ସଂଖ୍ୟା ବଢାଇଛନ୍ତି। ଏବେ ଦ୍ଵିତୀୟ କିସାନ ରେଲ ଚାଲିବାରୁ ଆନ୍ଧ୍ର ପ୍ରଦେଶରୁ ଦିଲ୍ଲୀ ପର୍ଯ୍ୟନ୍ତ ରାସ୍ତାରେ ସମସ୍ତ ରାଜ୍ୟର ଚାଷୀଙ୍କୁ ଏହାର ଲାଭ ମିଳିବ।