କଳାହାଣ୍ଡିରେ ଦ୍ୱିତୀୟ କରୋନା ଆକ୍ରାନ୍ତ, ପ୍ରଥମ କୋଭିଡ-୧୯ ସଂକ୍ରମିତଙ୍କ ସହ ଖେଳିଥିଲେ କ୍ରିକେଟ୍‌

Published By : Prameya-News7 Bureau | April 10, 2020 IST

କଳାହାଣ୍ଡି ୧୦।୦୪: କଳାହାଣ୍ଡି ଜିଲ୍ଲାରେ ଦ୍ବିତୀୟ କରୋନା ପଜିଟିଭ୍  ଚିହ୍ନଟ। ବିଳମ୍ବିତ ରାତିରେ ରାଜ୍ୟରେ ପଜିଟିଭ୍ ଆସିଥିବା ୪ କେସ୍ ମଧ୍ୟରୁ କଳାହାଣ୍ଡିରୁ ଜଣେ ବୋଲି  ସୂଚନା ଦିଆଯାଇଛି। ଜିଲ୍ଲାର ପ୍ରଥମ ଆକ୍ରାନ୍ତଙ୍କ ସହ କ୍ରିକେଟ ଖେଳି ତାଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଥିବା ଅନୁମାନ କରାଯାଉଛି। ସଂସ୍ପର୍ଶରେ ଆସିବା ପରେ ସେ କ୍ବାରେଣ୍ଟାଇନରେ ଥିଲେ। ନମୁନା ପରୀକ୍ଷା ପରେ ପଜିଟିଭ୍ ଆସିଥିବା ଜଣାପଡିଛି। ଆକ୍ରାନ୍ତଙ୍କୁ କଟକ ଅଶ୍ବିନୀ କୋଭିଡ୍ ହସପିଟାଲକୁ ସ୍ଥାନାନ୍ତରିତ କରାଯାଉଛି। ଆକ୍ରାନ୍ତଙ୍କ ସଂସ୍ପର୍ଶରେ କିଏ ଆସିଛନ୍ତି ତାର ଟ୍ରେସିଂ ଚାଲିଛି ବୋଲି କଳାହାଣ୍ଡି ଜିଲ୍ଲାପାଳ ଜି.ପରାଗ ହର୍ସଦ ସୂଚନା ଦେଇଛନ୍ତି।

ଗୁରୁବାର ଦିନ ମଧ୍ୟାହ୍ନ ସମୟରେ ଦୁଇଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ରାଜ୍ୟର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ ମାଧ୍ୟମରେ ଜଣାଇଥିଲା । ପରେ ବିଳମ୍ବିତ ରାତିରେ ଓଡିଶା ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ରାଜ୍ୟରେ ଆଉ ଚାରି ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଟ୍ୱିଟ୍‌ ମାଧ୍ୟମରେ ଜଣାଇଥିଲେ । ଯାହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୮ରେ ପହଞ୍ଚିଲା । କିନ୍ତୁ ରାତିରେ ଚିହ୍ନଟ ହୋଇଥିବା ୪ଜଣଙ୍କ ସବିଶେଷ ତଥ୍ୟ ନଥିବା ବେଳେ ଆଜି ସକାଳ ସମୟରେ ଚାରିଜଣଙ୍କ ମଧ୍ୟରୁ ଜଣେ କଳାହାଣ୍ଡିର ବାସିନ୍ଦା ବୋଲି ଜିଲ୍ଲାପାଳ ଜଣାଇଛନ୍ତି । ସୂଚନାନୁସାରେ କଳାହାଣ୍ଡିରୁ ଚିହ୍ନଟ ହୋଇଥିବା ଦ୍ୱିତୀୟ କରୋନା ଆକ୍ରାନ୍ତ ଜିଲ୍ଲାର ପ୍ରଥମ ଆକ୍ରାନ୍ତଙ୍କ ସଂପର୍ଶରେ ଆସିଥିଲେ । ଏବଂ ତାଙ୍କ ସହି କ୍ରିକେଟ୍‌ ଖେଳିଥିଲେ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଏହି ଯୁବକଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଥିଲା । ଏବଂ ତାଙ୍କ ନମୁନା ପରୀକ୍ଷାରୁ ସେ କୋଭିଡ-୧୯ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ତେବେ ପ୍ରଥମ ବ୍ୟକ୍ତିଙ୍କ ସଂପର୍ଶରେ ଆଉ କେତେଜଣ ଆସିଛନ୍ତି ସେନେଇ ସବିଶେଷ ତଥ୍ୟ ହସ୍ତଗତ ହୋଇନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.