ବଢିଲା ସୁବ୍ରତ ରାୟଙ୍କ ଅଡୁଆ: ସୁପ୍ରିମକୋର୍ଟରେ ଯାଚିକା ଦାଖଲ କଲା ସେବି, ୬୨,୬୦୦ କୋଟି ଟଙ୍କା ଜମା କରନ୍ତୁ ସାହାର ମୁଖ୍ୟ, ନଚେତ୍ ତାଙ୍କୁ ଜେଲ୍ ପଠାଯାଉ

Published By : Prameya-News7 Bureau | November 20, 2020 IST

ନୂଆଦିଲ୍ଲୀ ୨୦।୧୧: ଭାରତୀୟ ପ୍ରତିଭୂମି ଓ ବିନିମୟ ବୋର୍ଡ(ସେବି) ପୁଣି ଥରେ ସାହାରା ଗ୍ରୁପର ପ୍ରମୁଖ ସୁବ୍ରତ ରାୟଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରିଛି। ସେବି ଦାବି କରିଛି ଯେ, ସୁବ୍ରତ ରାୟ ତୁରନ୍ତ ନିଜ ଦୁଇ କମ୍ପାନୀର ଥିବା ୬୨୬୦୦ କୋଟି ଟଙ୍କାର ବକେୟା ରାଶି ଜମା କରନ୍ତୁ। ଯଦି ଟଙ୍କା ଜମା ନକରନ୍ତି ତେବେ ତାଙ୍କୁ ଜେଲ୍ ପଠାଯାଉ। ଉଲ୍ଲେଖନୀୟ ସୁବ୍ରତ ରାୟ ସଂପ୍ରତି ପାରୋଲରେ ଅଛନ୍ତି।

ଗୁରୁବାର ସର୍ବୋଚ୍ଚ ନ୍ୟାୟାଳୟରେ ଦାଖଲ ଆବେଦନରେ ସେବି କହିଛି ଯେ, ୨୦୧୨ ଓ ୨୦୧୫ରେ କୋର୍ଟ ସୁବ୍ରତ ରାୟଙ୍କୁ ବାର୍ଷିକ ୧୫ ପ୍ରତିଶତ ସୁଧ ସହ ନିବେଶକଙ୍କ ଟଙ୍କା ଫେରସ୍ତ କରିବାକୁ ଆଦେଶ ଦେଇଥିଲେ। ମାତ୍ର ସାହାରା ତରଫରୁ କୋର୍ଟ ଆଦେଶର କାର୍ଯ୍ୟକାରୀ କରାଯାଇ ନାହିଁ। ଗତ ୮ ବର୍ଷ ହେବ ସୁବ୍ରତ ରାୟଙ୍କ କମ୍ପାନୀ ନିବେଶଙ୍କ ବିପୁଳ କ୍ଷତି କରିଛନ୍ତି। ସେପଟେ ନିବେଶକ ହଇରାଣରେ ଥିବା ବେଳେ ସୁବ୍ରତ ରାୟ ପାରୋଲରେ ଆସି ମଜା ମାରୁଥିବା ସେବି ଆବେଦନରେ ଉଲ୍ଲେଖ କରିଛି।

ସେବି ତରଫରୁ କୁହାଯାଇଛି, ସାହାରା ଏ ପର୍ଯ୍ୟନ୍ତ ନିବେଶକଙ୍କ କେବଳ ମୂଳଧନ ଫେରସ୍ତ କରିଛି। ସୁଧ ଏବେ ବୃଦ୍ଧି ଘଟି ୬୨,୬୦୦ କୋଟି ପର୍ଯ୍ୟନ୍ତ ପହଞ୍ଚି ଯାଇଛି। ଅପରପକ୍ଷେ ସମସ୍ତ ଅଭିଯୋଗ ସଂଦର୍ଭରେ ସାହାରା କହିଛି, ତାଙ୍କ ତରଫରୁ ୨୦୨୦ କୋଟି ଟଙ୍କା ଜମା କରାଯାଇଛି। ଏତେ ପରିମାଣରେ ଟଙ୍କା ଦେବା ପରେ ମଧ୍ୟ ପୂରା ଅର୍ଥ ସହିତ ସୁଧ ଯୋଡାଯିବା ଭୁଲ୍ ଅଟେ।

ସାହାରା ପ୍ରମୁଖ ସୁବ୍ରତ ରାୟଙ୍କୁ ୨୦୧୪ ମାର୍ଚ୍ଚରେ ଗିରଫ କରାଯାଇଥିଲା। ଅଦାଲତଙ୍କ ଏକ ଅବମାନନା ସଂପର୍କିତ ଶୁଣାଣିରେ ଉପସ୍ଥିତ ନହେବାରୁ ପରେ ତାଙ୍କୁ ଗିରଫ କରାଯାଇଥିଲା। ୨୦୧୬ ମେ ୬ରେ  ମାଙ୍କ ଅନ୍ତ୍ୟଷ୍ଟି କ୍ରିୟାରେ ସାମିଲ ହେବା ପାଇଁ ରାୟଙ୍କୁ ପାରୋଲ ଦିଆଯାଇଥିଲା। ଏହା ପରେ ୨୦୧୬ ନଭେମ୍ବର ୨୮ରେ ସୁପ୍ରିମକୋର୍ଟ ଜେଲ୍‌ରୁ  ବାହାରିବା ପାଇଁ ହେଲେ ୨୦୧୭ ଫେବୃଆରୀ ସୁଦ୍ଧା ୬୦୦ କୋଟି ଟଙ୍କା  ଜମା କରିବାକୁ ନିର୍ଦ୍ଦେଶ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.