ଖୋର୍ଦ୍ଧା ବେଗୁନିଆ ଅଞ୍ଚଳରୁ ଧରାପଡିଥିବା ସନ୍ଦିଗ୍ଧ ବ୍ୟକ୍ତି ମାଓବାଦୀ ନୁହନ୍ତି : ଗୋଜମୁଣ୍ଡିଆ ଜଙ୍ଗଲରେ ବନ୍ଦ ହେଲା ସର୍ଚ୍ଚ ଅପରେସନ

Published By : Prameya-News7 Bureau | November 09, 2018 IST

ଖୋର୍ଦ୍ଧା୯|୧୧: ଖୋର୍ଦ୍ଧା ବେଗୁନିଆ ଅଞ୍ଚଳରୁ ଧରାପଡିଥିବା ସନ୍ଦିଗ୍ଧ ବ୍ୟକ୍ତି ମାଓବାଦୀ ନୁହନ୍ତି । ସେ ଜଣେ ଇଟା ଶ୍ରମିକ । ବେଗୁନିଆ ଥାନାରେ ମାରାଥନ୍ ଜେରା ପରେ ସୂଚନା ଦେଲେ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ । ଅଟକ ବ୍ୟକ୍ତି ନୂଆପଡା ବୋଡେନ ଥାନା ଅନ୍ତର୍ଗତ କାଟଫାର ଗାଁର ସୁରେଶ ପହଁରିଆ । ସେ ଆନ୍ଧ୍ରରେ ଏକ ଇଟା ଭାଟିରେ ଶ୍ରମିକ ଭାବେ କାମ କରନ୍ତି । ମାଓବାଦୀ ସହ ତାଙ୍କର କୌଣସି ସମ୍ପୃକ୍ତି ନାହିଁ ବୋଲି ସ୍ପଷ୍ଟ କରିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି । ସୁରେଶ ଗତକାଲି ସ୍ଥାନୀୟ ଦେଉଳି ଗାଁ ପାଖରେ ବୁଲୁଥିବା ବେଳେ ମାଓବାଦୀ ସନ୍ଦେହରେ ଗତକାଲି ଲୋକ ତାଙ୍କୁ ଧରି ପୋଲିସ ଜିମା ଦେଇଥିଲେ । ବେଗୁନିଆ ଥାନାରେ ତାଙ୍କୁ ଅଟକ ରଖାଯାଇଥିଲା ।ଏହି ଘଟଣା ପରେ ଗୋଜମୁଣ୍ଡିଆ ଜଙ୍ଗଲରେ ପୋଲିସ ସର୍ଚ୍ଚ ଅପରେସନ କରିଥିଲା  । ଜଙ୍ଗଲରେ ମାଓବାଦୀ ଲୁଚିଥିବା ସନ୍ଦେହରେ ସର୍ଚ୍ଚ ଅପରେସନ କରୁଥିଲେ SOG ଯବାନ । ତାହା ଶେଷ ହୋଇଛି । ପୋଲିସ କହିବା କଥା, ସୁରେଶ ଆନ୍ଧ୍ରରେ ଇଟା ଭାଟିରେ କାମ କରିବା ପାଇଁ ଟଙ୍କା ଆଣିଥିଲେ । ତେବେ କାମ ନକରି ସେ ଚାଲି ଆସି ବେଗୁନିଆ ଅଞ୍ଚଳରେ ଲୁଚିଥିଲେ । ପ୍ରଶ୍ନ ଉଠୁଛି ନୂଆପଡାର ସୁରେଶ ବେଗୁନିଆ ଆସି କାହିଁକି ଲୁଚିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.