Monday, June 24, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭୂ-ଭାଗ ଛୁଇଁବା ପୂର୍ବରୁ ପଡିଲାଣି ‘ବାୟୁ’ର ପ୍ରଭାବ, ଗୁଜୁରାଟ ଉପକୂଳରେ ମୃଦୁ ଭୂମିକମ୍ପ

ଅହମ୍ମଦାବାଦ ୧୨।୬: ଆରବ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବାତ୍ୟା ‘ବାୟୁ’ କ୍ରମଶଃ ଅଧିକ ସକ୍ରିୟ ହୋଇ ଗୁଜରାଟ ଉପକୂଳକୁ ମୁହାଁଇଛି। ପାଣିପାଗ ବିଭାଗଙ୍କ ପୂର୍ବାନୁମାନ ଅନୁସାରେ ଘୁର୍ଣ୍ଣିବାତ୍ୟା ଗୁରୁବାର ପୂର୍ବାହ୍ନରେ  ଦ୍ବାରକା  ଓ ଭେରାବଲ ଉପକୂଳରେ ଭୂ-ଭାଗକୁ ପ୍ରବେଶ କରିପାରେ। ତେବେ ଆଜିଠାରୁ ରାଜ୍ୟରେ ଏହାର ପ୍ରଭାବ  ଅନୁଭୁତ ହେଲାଣି। ସମୁଦ୍ରରେ ଉଚ୍ଚ ଲହଡି ଉଠୁଥିବା ବେଳେ ଉପକୂଳ ଅଞ୍ଚଳରେ ଝଡ ବହୁଛି।  ତେବେ ଅମ୍ବାଜୀ ଓ ପାଲନପୁର କ୍ଷେତ୍ରରେ ବୁଧବାର ଅନୁଭୂତ ହୋଇଥିବା ମୃଦୁ ଭୂମିକମ୍ପ ବି ବାତ୍ୟାର ପ୍ରଭାବ ବୋଲି ଏବେ କୁହାଯାଉଛି।

ରିକ୍ଟର ସ୍କେଲରେ ୨.୩  ତୀବ୍ରତାର ଏହି ଭୂମିକମ୍ପ ସମୁଦ୍ରରେ ତଳେ ପରିବର୍ତ୍ତନ ଯୋଗୁ ଆଶଙ୍କା କରାଯାଉଛି। ବାତ୍ୟା ଯୋଗୁ  ଭୂ-ସ୍ଖଳନରେ  ଏଭଳି କମ୍ପନର ଆଶଙ୍କା କରାଯାଉଥିବା ବେଳେ ଲୋକେ ଆତଙ୍କିତ ହୋଇପଡିଛନ୍ତି। ଦ୍ବାରକା, ସୋମନାଥ ଓ କଚ୍ଛ ଅଞ୍ଚଳରେ ମଧ୍ୟାହ୍ନରୁ ପାଗ ବଦଳିଯାଇଥିବା ବେଳେ ସମୁଦ୍ରରେ ଉଚ୍ଚ ଜୁଆର ଉଠୁଛି। ଖରାପ ପାଗ ଯୋଗୁ ବୁଧବାର ମଧ୍ୟାହ୍ନରେ ବିମାନ ଉଡାଣରେ ପ୍ରାୟ ୨୦ ମିନିଟ୍ ବିଳମ୍ବ ହୋଇଥିଲା। ଘୂର୍ଣ୍ଣିବାତ୍ୟା ବାୟୁ ଭୂ-ଭାଗ ଛୁଇଁବା ବେଳକୁ ପବନର ବେଗ ଘଣ୍ଟାପ୍ରତି ୧୫୫ରୁ ୧୬୫ କିଲୋମିଟର ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି। ତେବେ ସ୍ଥଳ ବିଶେଷରେ ବାୟୁର ବେଗ ଅଧିକ ରହିପାରେ ବୋଲି ମଧ୍ୟ ପାଣିପାଗ ବିଭାଗ ସତର୍କ କରାଇଛନ୍ତି । ଏଥିଯୋଗୁ ସମୁଦ୍ରରେ ଉଚ୍ଚ ଜୁଆର ଉଠିବାର ଆଶଙ୍କା ଥିବାରୁ ଲୋକଙ୍କୁ ଉପକୂଳ ଅଞ୍ଚଳ ଖାଲି କରିଦିଆଯିବାକୁ ପରାମମର୍ଶ ଦିଆଯାଇଛି।

ସେପଟେ ସତର୍କତା ସ୍ବରୂପ ରାଜ୍ୟ ସରକାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ରଦ୍ଦ କରିଦେଇଛନ୍ତି। ଏହା ଛଡା ସ୍କୁଲ ଓ କଲେଜ ୨ ଦିନ ପାଇଁ ଛୁଟି ଘୋଷଣା ହୋଇଥିବା ବେଳେ ଏନଡିଆରଏଫ ଟିମ  ସମୁଦ୍ର ଉପକୂଳରେ ମୁତୟନ ହୋଇଛନ୍ତି। ତଳିଆ ଓ ବିପଦପୂର୍ଣ୍ଣ ଅଞ୍ଚଳରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ଏହିକ୍ରମରେ ସନ୍ଧ୍ୟ ସୁଦ୍ଧା ୧ଲକ୍ଷ ୬୪ ହଜାର ୯୦ ଜଣଙ୍କୁ ବିଭିନ୍ନ ଆଶ୍ରୟ ସ୍ଥଳରେ ପହଞ୍ଚାଯାଇଥିବା ସରକାରୀ ସୂତ୍ରରୁ ଜଣାପଡିଛି।

ଅନ୍ୟପକ୍ଷରେ ବାତ୍ୟା ବାୟୁ ଯୋଗୁ ବିମାନବନ୍ଦରର କ୍ଷୟକ୍ଷତି ଓ ଯାତ୍ରୀଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଏୟାରପୋର୍ଟ ଅଥରିଟି ପୋର ବନ୍ଦର, ଡ୍ୟୁ, ଭାବା ନଗର, କେଶୋଦ ଓ କାଣ୍ଡଲା ବିମାନ ବନ୍ଦରକୁ ଆଜି ମଧ୍ୟରାତ୍ରରୁ ବନ୍ଦ କରିବାକୁ ଘୋଷଣା କରିଛନ୍ତି। ସେହିପରି ପଶ୍ଚିମ ରେଳବାଇ ମଧ୍ୟ ପୂର୍ବରୁ ୧୫ଟି ଟ୍ରେନ ବାତିଲ କରିଥିବା ବେଳେ ସନ୍ଧ୍ୟାବେଳକୁ ୨୫ର ଅଧିକ ଟ୍ରେନର ଯାତ୍ରା ବାତିଲ କରିଛନ୍ତି।

492 Views

   ସମ୍ବନ୍ଧିତ ଖବର