ମାସେ ନପୂରୁଣୁ ବନ୍ଦ ହେଲା ଦେଶର ପ୍ରଥମ ସି-ପ୍ଲେନ୍‌ ସେବା, ଜାଣନ୍ତୁ କାହିଁକି…

Published By : Prameya-News7 Bureau | November 28, 2020 IST

ଅହମଦାବାଦ ୨୮/୧୧: ଦେଶର ପ୍ରଥମ ସି ପ୍ଲେନ୍‌ ସେବା ଚଳିତ ବର୍ଷ ଅକ୍ଟୋବର ୩୧ରେ ଆରମ୍ଭ ହୋଇଥିଲା। ଅହମଦାବାଦରୁ କେବାଡିଆସ୍ଥିତ ଷ୍ଟାଚ୍ୟୁ ଅଫ୍‌ ୟୁନିଟି ପର୍ଯ୍ୟନ୍ତ ସି ପ୍ଲେନ୍‌ ସେବା ଆରମ୍ଭ ହୋଇଥିବା ବେଳେ ଏହାର ଉନ୍ମୋଚନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର​‌ ମୋଦି। ତେବେ ମାସେ ନପୂରୁଣୁ ସି-ପ୍ଲେନ୍‌ ସେବା ବନ୍ଦ କରାଯାଇଛି। ଏହା ପୂର୍ବରୁ ମଧ୍ୟ ୩ ଦିନ ପାଇଁ ଏହି ସେବା ବନ୍ଦ ଥିଲା।

ତେବେ ସି-ପ୍ଲେନ୍‌ଗୁଡ଼ିକର ଉଡ଼ାଣ ପାଇଁ ଉଦ୍ଦିଷ୍ଟ ସମୟ ଶେଷ ହୋଇଥିବାରୁ ସର୍ଭିସିଂର ଆବଶ୍ୟକତା ରହିଛି। ତେଣୁ ସି-ପ୍ଲେନ୍‌ଗୁଡ଼ିକୁ ଅହମଦାବାଦରୁ ମାଳଦୀପ ପଠାଯାଇଥିବା ସିଭିଲ୍‌ ଆଭିଏସନ୍ ବିଭାଗର ନିର୍ଦେଶକ କ୍ୟାପ୍ଟେନ ଅଜୟ ଚୌହାନ କହିଛନ୍ତି। ଏବେ ଏହି ସି-ପ୍ଲେନ୍‌ର କ୍ରୁ ଅନ୍ୟ ସି-ପ୍ଲେନ୍‌ରେ ଅହମଦାବାଦ ଫେରିବେ। ଏଥିପାଇଁ ୧୦ରୁ ୧୫ ଦିନ ସମୟ ଲାଗିବ। ସି ପ୍ଲେନ୍‌ ଫେରିବା ପରେ ହିଁ ସେବା ଆରମ୍ଭ ହେବ ବୋଲି ଜଣାପଡ଼ିଛି।

ଅକ୍ଟୋବର ୩୧ରେ ଦେଶରେ ପ୍ରଥମ ସିପ୍ଲେନ୍‌ ସେବା ଗୁଜୁରାଟରେ ଆରମ୍ଭ ହୋଇଥିଲା। ପ୍ରଧାନମନ୍ତ୍ରୀ ମୋଦି ସେବାର ଶୁଭାରମ୍ଭ କରିବା ସହ ପ୍ରଥମେ କେବାଡିଆରୁ ଅହମଦାବାଦ ଉଡ଼ାଣ ଭରିଥିଲେ। ଏହା ପୂର୍ବରୁ ୩-୩ ଦିନ ସେବା ବନ୍ଦ ଥିବା ବେଳେ ମେଣ୍ଟେନାନ୍ସ ପାଇଁ ବନ୍ଦ ଥିବା ସୂଚନା ମିଳିଥିଲା। ତେବେ ସ୍ପାଇସ୍‌ ଜେଟ୍‌ ଦ୍ବାରା ସି-ପ୍ଲେନ୍‌ ସେବା ଆରମ୍ଭ ହୋଇଥିବା ବେଳେ ଏହିସବୁ ବିମାନ ୫୦ ବର୍ଷ ପୂରୁଣା ବୋଲି ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.