ନ ଚେତିଲେ ମାଡି ଆସିବ ସମୁଦ୍ର , ଓଡିଶା ପ୍ରତି ବି ବିପଦ ଅଛି! ୨୦୫୦ ସୁଦ୍ଧା ବାସହରା ହେବେ ୩୦ କୋଟି ଲୋକ- ଜଳବାୟୁ ପରିବର୍ତ୍ତନର ପ୍ରଭାବ

Published By : Prameya-News7 Bureau | November 11, 2019 IST

ନୂଆଦିଲ୍ଲୀ ୧୧।୧୧ - ଜଳ ବିହୁନେ ସୃଷ୍ଟି ନାଶ, ଜଳ ବହୁଳେ ସୃଷ୍ଟି ନାଶ । ଜଳବାୟୁ ପରିବର୍ତ୍ତନ ଯୋଗୁ ଜଳର ଏହି ଦୁଇଟି ଭୟଙ୍କର ରୂପ ବିଶ୍ୱବାସୀଙ୍କୁ ଡରାଇବାରେ ଲାଗିଛି । କେତେବେଳେ ଜଳାଭାବ ଯୋଗୁ ହାହାକାର ସ୍ଥିତି ଉପୁଜୁଛି ତ କେତେବେଳେ ପ୍ରଖର ଜଳସ୍ରୋତ ସରହଦ ଡେଇଁ ପ୍ରାଣୀ ଜଗତକୁ ଅଣନିଃଶ୍ୱାସୀ କରିପକାଉଛି । ଅନ୍ତର୍ଜାତୀୟ ସଂଗଠନ କ୍ଲାଇମେଟ୍‌ ସେଣ୍ଟ୍ରାଲ୍‌ ଦ୍ୱାରା ପ୍ରସ୍ତୁତ ଏକ ସଦ୍ୟ ରିପୋର୍ଟ ଏବେ ବିଶ୍ୱରେ ଭୟର ବାତାବରଣ ସୃଷ୍ଟି କରିଛି । ୨୦୫୦ ସୁଦ୍ଧା ସମୁଦ୍ର ସ୍ତର ଅସ୍ୱାଭାବିକ ଭାବେ ବଢ଼ି ମଣିଷ ସମାଜ ଆଡ଼କୁ ମାଡ଼ିଆସିବ । ୩୦ କୋଟି ଲୋକଙ୍କ ବାସସ୍ଥାନକୁ ଉଜାଡ଼ି ଛାରଖାର କରିପକାଇବ ବୋଲି ରିପୋର୍ଟ ପୂର୍ବାନୁମାନ ଲଗାଇଛି । ୨୧୦୦ ମସିହା ନୁହେଁ, ବରଂ ଚଳିତ ଶତାବ୍ଦୀ ମଧ୍ୟଭାଗରେ ହିଁ ସମୁଦ୍ରର କରାଳ ରୂପ ବିଶ୍ୱବାସୀ ଦେଖିବେ ।

{"id":182560}

ପ୍ରଶ୍ନ ଉଠାଇଲେ ଭାରତୀୟ ବୈଜ୍ଞାନିକ

ସମୁଦ୍ରରେ ଉଚ୍ଚ ଜୁଆର ଯୋଗୁ ଆଗାମୀ ୩୦ ବର୍ଷ ମଧ୍ୟରେ ଭାରତର ୩.୫ କୋଟିରୁ ଅଧିକ ଲୋକ ବାସହରା ହୋଇପାରନ୍ତି ବୋଲି କ୍ଲାଇମେଟ୍‌ ସେଣ୍ଟ୍ରାଲ୍‌ ରିପୋର୍ଟ ଦର୍ଶାଇବା ପରେ ଏହା ଉପରେ ଅଙ୍ଗୁଳି ଉଠାଇଛନ୍ତି କିଛି ଭାରତୀୟ ବୈଜ୍ଞାନିକ । ଜିଆଇଏସ୍‌ ଓ ରିମୋଟ୍‌ ସେନ୍ସିଙ୍ଗ୍‌ ବିଶେଷଜ୍ଞ ରାଜ୍‌ ଭଗତ ପାଲାନିଚାମି କହିଛନ୍ତି, ଭାରତୀୟ ବାତାବରଣକୁ କେଉଁଭଳି ଭାବେ ଅବଲୋକନ କରି ରିପୋର୍ଟରେ ଭାରତ କଥା ପ୍ରକାଶ କରାଯାଇଛି, ତାହା ବିଚାର କରାଯିବା ଦରକାର। ଆମେରିକା ଓ ଅଷ୍ଟ୍ରେଲିଆରୁ ତଥ୍ୟ ନିଆଯାଇ ନୂଆ ମଡେଲ୍‌ ପ୍ରସ୍ତୁତ କରାଯାଇଛି । ଏହି ମଡେଲ୍‌କୁ ସମଗ୍ର ବିଶ୍ୱ ପାଇଁ ବ୍ୟବହାର କରାଯାଇ ପାରିବ ନାହିଁ ଏବଂ ଭାରତରେ ତାହାକୁ ପରୀକ୍ଷା କରାଯାଇ ନାହିଁ ।

{"id":182561}

୯ ରାଜ୍ୟ ପ୍ରତି ରହିଛି ବିପଦ….

ଓଡ଼ିଶା : ସମୁଦ୍ର ବେଳାଭୂମି ଦୃଷ୍ଟିରୁ ଓଡ଼ିଶା ହେଉଛି ଭାରତର ଷଷ୍ଠ ବୃହତ୍‌ ରାଜ୍ୟ । ସମୁଦ୍ର ତଟ ୪୭୬.୪ କିଲୋମିଟରକୁ ବ୍ୟାପିଛି । ରାଜ୍ୟରେ ୬ଟି ଛୋଟବଡ଼ ବନ୍ଦର ରହିଛି । ୯ଟି ଜିଲ୍ଲା ସମୁଦ୍ରକୁ ଲାଗିଛି । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ପୁରୀ ଓ ଗଞ୍ଜାମ ଆଦି ରହିଛି । ୨୦୫୦ ବେଳକୁ ସମୁଦ୍ର ସ୍ତର ୭ ଫୁଟ୍‌ ବଢ଼ିବା ନେଇ ଆଶଙ୍କା କରାଯାଉଥିବାରୁ ଓଡ଼ିଶାର ଏହି ଜିଲ୍ଲାଗୁଡ଼ିକ ପ୍ରତି ବିପଦ ସୃଷ୍ଟି ହେବ ।

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗର ୧୫୭.୫ କିଲୋମିଟର ବ୍ୟାପୀ ସମୁଦ୍ର ତଟ ରହିଛି । ଏଠାରେ ୬ଟି ବନ୍ଦର ରହିଥିବା ବେଳେ ୩ଟି ଜିଲ୍ଲା ସମୁଦ୍ରକୁ ସ୍ପର୍ଶ କରିଛି । ଏହି ଜିଲ୍ଲାଗୁଡ଼ିକ ହେଉଛି ଉତ୍ତର ୨୪ ପ୍ରଗଣା, ଦକ୍ଷିଣ ୨୪ ପ୍ରଗଣା ଏବଂ ପୂର୍ବ ମେଦିନୀପୁର।

ଆନ୍ଧ୍ର ପ୍ରଦେଶ: ଏହି ରାଜ୍ୟର ସମୁଦ୍ର ତଟ ଦୈର୍ଘ୍ୟ ପାଖାପାଖି ୯୭୩.୭ କିଲୋମିଟର ହେବ। ଏଠାରେ ୯ଟି ସମୁଦ୍ର ତଟବର୍ତ୍ତୀ ଜିଲ୍ଲା ରହିଛି । ତନ୍ମଧ୍ୟରେ ଶ୍ରୀକାକୁଲମ, ବିଜୟନଗରମ, ବିଶାଖାପାଟଣା, ପୂର୍ବ ଗୋଦାବରୀ, ପଶ୍ଚିମ ଗୋଦାବରୀ, କ୍ରିଷ୍ଣା, ଗୁଣ୍ଟୁର, ପ୍ରକାଶମ ଏବଂ ନେଲ୍ଲୋର ରହିଛି। ଆନ୍ଧ୍ର ପ୍ରଦେଶରେ ୬ଟି ବନ୍ଦର ରହିଛି।

କେରଳ: କେରଳରେ ୫୬୯.୭ କିଲୋମିଟର ବ୍ୟାପୀ ସମୁଦ୍ର ତଟ ରହିଛି । ଏଠାରେ ୬ଟି ବନ୍ଦର ଅଛି । ୯ଟି ଜିଲ୍ଲାକୁ ସମୁଦ୍ର ଲାଗିଛି । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ କସରାଗଡ଼, କନ୍ନୁର, କୋଝିକୋଡ଼, ମାପାପୁରମ, ତ୍ରିସୁର, ଏର୍ଣ୍ଣାକୁଲମ, ଆଲାପୁଝା, କୋଲାମ ଓ ତିରୁଅନନ୍ତପୁରମ ରହିଛି ।

ଗୁଜରାଟ: ଗୁଜରାଟର ସର୍ବାଧିକ ୧,୨୧୪.୭ କିଲୋମିଟର ବ୍ୟାପୀ ସମୁଦ୍ର ତଟ ରହିଛି । ୧୬ ଜିଲ୍ଲାକୁ ସମୁଦ୍ର ତଟ ବ୍ୟାପିଛି । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ କଚ୍ଛ, ମୋର୍‌ବି, ଜାମନଗର, ଦ୍ୱାରକା, ପୋରବନ୍ଦର, ଜୁନାଗଡ଼, ସୋମନାଥ, ଆମରେଲି, ଭାବନଗର, ଅହମ୍ମଦାବାଦ, ଆନନ୍ଦ, ଭଦୋଦରା, ଭରୁଚ, ସୁରଟ, ନବସାରି ଏବଂ ବାଲସାଡ୍‌ ରହିଛି । ଏହାଛଡ଼ା ରାଜ୍ୟରେ ୧୫ଟି ବନ୍ଦର ରହିଛି । ତେଣୁ ଗୁଜରାଟର ଏହି ଜିଲ୍ଲାଗୁଡ଼ିକ ସମୁଦ୍ର ସ୍ତର ବୃଦ୍ଧି ଯୋଗୁ ପ୍ରଭାବିତ ହୋଇପାରନ୍ତି।

ମହାରାଷ୍ଟ୍ର: ଏହି ରାଜ୍ୟରେ ପାଖାପାଖି ୬୫୨.୬ କିଲୋମିଟର ବ୍ୟାପୀ ସମୁଦ୍ର ତଟ ରହିଛି । ୮ଟି ବନ୍ଦର ରହିଥିବା ବେଳେ ୬ଟି ସମୁଦ୍ର ତଟବର୍ତ୍ତୀ ଜିଲ୍ଲା ରହିଛି । ଜିଲ୍ଲାଗୁଡ଼ିକ ମଧ୍ୟରେ ପାଳଘର, ମୁମ୍ବାଇ ସବ୍‌ଅର୍ବାନ୍‌, ମୁମ୍ବାଇ ସହର, ରାଇଗଡ଼, ରତ୍ନଗିରି ଏବଂ ସିନ୍ଧୁଦୁର୍ଗ ରହିଛି ।

ଗୋଆ: ଏହି ରାଜ୍ୟରେ ୧୬୦.୫ କିଲୋମିଟର ବ୍ୟାପୀ ସମୁଦ୍ର ତଟ ରହିଛି । ଏଠାରେ ଗୋଟିଏ ମାତ୍ର ବନ୍ଦର ରହିଥିବା ବେଳେ ୨ଟି ଜିଲ୍ଲା ସମୁଦ୍ରକୁ ସ୍ପର୍ଶ କରିଛି । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ଉତ୍ତର ଗୋଆ ଏବଂ ଦକ୍ଷିଣ ଗୋଆ ଅନ୍ତର୍ଭୁକ୍ତ।

କର୍ଣ୍ଣାଟକ: କର୍ଣ୍ଣାଟକରେ ସମୁଦ୍ର ତଟର ଲମ୍ବ ପାଖାପାଖି ୨୮୦ କିଲୋମିଟର ହେବ ଏବଂ ଏଠାରେ ୯ଟି ବନ୍ଦର ରହିଛି । ଏଠାରେ ୩ଟି ତଟବର୍ତ୍ତୀ ଜିଲ୍ଲା ରହିଛି । ସେଗୁଡ଼ିକ ହେଉଛି ଉତ୍ତର କନ୍ନଡ଼, ଉଡୁପି ଏବଂ ଦକ୍ଷିଣ କନ୍ନଡ଼।

ତାମିଲନାଡୁ:ଏହି ରାଜ୍ୟର ସମୁଦ୍ର ତଟବର୍ତ୍ତୀ ଦୈର୍ଘ୍ୟ ୯୦୬.୯ କିଲୋମିଟର ହେବ । ଏଠାରେ ୫ଟି ବନ୍ଦର ରହିଛି । ୧୦ଟି ତଟବର୍ତ୍ତୀ ଜିଲ୍ଲା ରହିଛି । ସେଗୁଡ଼ିକ ହେଉଛି ତିରୁଭଲ୍ଲୁର, କାଞ୍ଚିପୁରମ, ବିଲୁପୁରମ, କୁଡ଼ାଲୋର, ନାଗପଟିନମ, ତାଞ୍ଜାବୁର, ପୁଡୁକୋଟାଇ, ରାମନାଥପୁରମ, ଥୁଟୁକୁଡ଼ି ଏବଂ କନ୍ୟାକୁମାରୀ ।

{"id":182562,"width":568,"height":253}

୭ ଫୁଟ ଫୁଲିବ: ସମୁଦ୍ରରିପୋର୍ଟ ଦର୍ଶାଇଛି ଯେ ୨୦୫୦ ପର୍ଯ୍ୟନ୍ତ ସମୁଦ୍ର ସ୍ତର ପାଖାପାଖି ୭ ଫୁଟ୍‌ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଏହାଦ୍ୱାରା ମୋଟ ୧୦ଟି ଦେଶ ପ୍ରଭାବିତ ହେବେ । ଏଥିରେ ଏସିଆ ପ୍ରଶାନ୍ତ ସାଗର କ୍ଷେତ୍ରର ୭ଟି ଦେଶ ଅନ୍ତର୍ଭୁକ୍ତ । ଅଧିକ ପ୍ରଭାବିତ ହେବାକୁ ଥିବା ଦେଶଗୁଡ଼ିକ ମଧ୍ୟରେ ଭାରତ ସବୁଠୁ ଉପରେ ରହିଛି । ଦେଶର ପାଖାପାଖି ୩.୫ କୋଟି ଲୋକଙ୍କ ପାଇଁ ବିପଦ ସୃଷ୍ଟି ହେବ । ଅନ୍ୟପକ୍ଷରେ ବାଂଲାଦେଶର ୨.୫ କୋଟି, ଚୀନ୍‌ର ୨ କୋଟି ଏବଂ ଫିଲିପାଇନ୍ସର ପାଖାପାଖି ୧.୫ କୋଟି ଲୋକଙ୍କ ପ୍ରତି ବିପଦ ମାଡ଼ିଆସିବ । ଭାରତରେ ମୁମ୍ବାଇ ଓ କୋଲକାତା ପ୍ରତି ଅଧିକ ବିପଦ ସୃଷ୍ଟି ହେବାକୁ ଥିବା ବେଳେ ଚୀନ୍‌ର ଗୁଆଙ୍ଗଝୋ ଓ ସାଂଘାଇ, ବାଂଲାଦେଶର ଢାକା, ମ୍ୟାଁମାରର ୟଙ୍ଗୁନ୍‌, ଥାଇଲାଣ୍ଡର ବ୍ୟାଙ୍କକ୍‌ ଏବଂ ଭିଏତନାମର ହୋଚିମିନ୍‌ ସହର ତଥା ହାଇଫୋଙ୍ଗ୍‌ ମଧ୍ୟ ସମୁଦ୍ରର କରାଳ ଜଳରାଶିରେ ଉବୁଟୁବୁ ହେବ ।

{"id":182563}

୨୦୫୦ ସୁଦ୍ଧା ବାସହରା ହେବେ ୩୦ କୋଟି ଲୋକ…

୨୦୫୦ ସୁଦ୍ଧା ସମୁଦ୍ର ସ୍ତର ୭ ଫୁଟ୍‌ ବୃଦ୍ଧି ପାଇବା ନେଇ କ୍ଲାଇମେଟ୍‌ ସେଣ୍ଟ୍ରାଲ୍‌ ଆକଳନ କରିଛି । ଏହାଦ୍ୱାରା ଭାରତ, ଚୀନ୍‌, ଜାପାନ, ଇଣ୍ଡୋନେସିଆ, ବାଂଲାଦେଶ, ଥାଇଲାଣ୍ଡ ଭଳି ରାଷ୍ଟ୍ରର ତଟବର୍ତ୍ତୀ ରାଜ୍ୟ ପ୍ରଭାବିତ ହେବେ । ବିଶ୍ୱରେ ସମୁଦ୍ର ସ୍ତର ବୃଦ୍ଧି ପାଇବା ଯୋଗୁ ମୋଟ ୩୦ କୋଟିରୁ ଅଧିକ ଲୋକ ବାସହରା ହେବେ । ଅତ୍ୟଧିକ ଜୁଆରରେ ସେମାନେ ସେମାନଙ୍କ ସ୍ଥାୟୀ ଘର ହରାଇ ବସିବେ । ଏମିତି କି ସେମାନଙ୍କୁ ସବୁଦିନ ପାଇଁ ବାସହରା ହେବାକୁ ପଡ଼ିପାରେ । ଆଗାମୀ ୩୦ ବର୍ଷ ମଧ୍ୟରେ ଏହି ବିପଦ ଉପୁଜିବ । ପୂର୍ବରୁ ଯେଉଁ ଆକଳନ କରାଯାଇଥିଲା, ତାହାର ୩ ଗୁଣ ବିପଦ ବଢ଼ିବ । ଭାରତରେ ୩.୫ କୋଟି ଲୋକ ପ୍ରଭାବିତ ହେବା ନେଇ ଆଶଙ୍କା ରହିଛି । ରିପୋର୍ଟ ଦର୍ଶାଇଛି ଯେ ଭାରତର ମୁମ୍ବାଇ, କୋଲକାତା ଓ ଚେନ୍ନାଇର ତଳିଆ ଅଞ୍ଚଳ ସମୁଦ୍ର ଜଳରେ ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହୋଇଯାଇପାରେ । ଏହାବ୍ୟତୀତ କେନ୍ଦ୍ରୀୟ କେରଳ ଓ ଗୁଜରାଟର କିଛି ଅଂଶ ମଧ୍ୟ ଉଚ୍ଚ ଜୁଆର ଦ୍ୱାରା ପ୍ରଭାବିତ ହୋଇପାରେ । ବର୍ଷକୁ ଅତିକମ୍‌ରେ ଥରେ ବଡ଼ ବନ୍ୟା ଆସିପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.