Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ସିନ୍ଧିଆ vs ପାଇଲଟ୍: ବିଜେପିକୁ କଂଗ୍ରେସର ଖୋଲା ଚ୍ୟାଲେଞ୍ଜ, ନିର୍ବାଚନ ମଇଦାନରେ ସାମ୍ନାସାମ୍ନି ହେବେ ଦୁଇ ଘନିଷ୍ଠ ବନ୍ଧୁ

17/09/2020 at 6:12 PM

ଭୋପାଲ ୧୭/୦୯ : ମଧ୍ୟ ପ୍ରଦେଶରେ ୨୮ ଆସନ ପାଇଁ ହେବାକୁ ଥିବା ଉପ ନିର୍ବାଚନକୁ ନେଇ ବିଜେପି ଓ କଂଗ୍ରେସ ଜୋରସୋରରେ ପ୍ରସ୍ତୁତି କରୁଛନ୍ତି। ନିର୍ବାଚନ ଘୋଷଣା ଏବେ ଯାଏଁ ହୋଇନାହିଁ । କିନ୍ତୁ ଶାସନାଧୀନ ବିଜେପିକୁ ଏହି ଉପ ନିର୍ବାଚନରେ ହରାଇବାକୁ କଂଗ୍ରେସ ପୁରା ଦମ ଦେଖାଉଛି। କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ତାଙ୍କ ପ୍ରଭାବରେ ଥିବା ଗ୍ୱାଲିୟର-ଚମ୍ବଲ ଅଞ୍ଚଳର ଆସନ ଉପରେ ଦଳର ଖାସ ନଜର ରହିଛି। ଏହିଭଳି ସ୍ଥିତିରେ କଂଗ୍ରେସ ସଚିନ ପାଇଲଟଙ୍କୁ ନିର୍ବାଚନ ପ୍ରଚାରରେ ଓହ୍ଲାଇବାକୁ ଯୋଜନା କରୁଛି। 

ସଚିନ ପାଇଲଟଙ୍କୁ ନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇବାରେ କଂଗ୍ରେସର ରଣନୀତି ରହିଛି । ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ସଚିନ ପାଇଲଟ୍ ପରସ୍ପରର ଘନିଷ୍ଠ ବନ୍ଧୁ । ପାଇଲଟ୍ ଯେତେବେଳେ ରାଜସ୍ଥାନରେ ତେବର ଦେଖାଇଥିଲେ ସିନ୍ଧିଆ ତାଙ୍କ ସମର୍ଥନରେ ବୟାନ ମଧ୍ୟ ଦେଇଥିଲେ । ପାଇଲଟଙ୍କୁ ସିନ୍ଧିଆଙ୍କ ବିପକ୍ଷରେ ନିର୍ବାଚନ ପ୍ରଚାରକୁ ଓହ୍ଲାଇ କଂଗ୍ରେସ ଏକ ଯୋଜନାବଦ୍ଧ ଗେମ ପ୍ଲାନ୍ ସହ ମଇଦାନକୁ ଓହ୍ଲାଇବାକୁ ଚାହୁଁଛି ।

ମଧ୍ୟ ପ୍ରଦେଶରେ ଯେଉଁ ୨୮ ଆସନ ପାଇଁ ବିଧାନସଭା ଉପନିର୍ବାଚନ ହେବାକୁ ଅଛି, ସେଥିରୁ ଅଧିକାଂଶ ଆସନ ଗ୍ୱାଲିୟର-ଚମ୍ବଲ ଅଞ୍ଚଳର ରହିଛି । ଏହାକୁ ସିନ୍ଧିଆଙ୍କ ପ୍ରଭାବିତ ଅଞ୍ଚଳ ବୋଲି କୁହାଯାଏ । ଚଳିତ ବର୍ଷ ମାର୍ଚ୍ଚ ମାସରେ ସିନ୍ଧିଆ କମଲନାଥ ସରକାରଙ୍କ ଠାରୁ ନିଜ ସମର୍ଥନ ଫେରାଇ ଆଣି ବିଜେପିରେ ସାମିଲ ହୋଇଥିଲେ । ସେତେବେଳେ ସିନ୍ଧିଆଙ୍କ ସମର୍ଥକ୨୨ ବିଧାୟକ ମଧ୍ୟ ଇସ୍ତଫା ଦେଇଥିଲେ । ଏହାପରେ ରାଜ୍ୟରେ ଶିବରାଜ ସିଂହ ଚୌହାନଙ୍କ ସରକାର ଗଠନ ହୋଇଥିଲା । ଅଧିକାଂଶ ସିନ୍ଧିଆ ସମର୍ଥକ ଏହି ଅଞ୍ଚଳର । ମଧ୍ୟ ପ୍ରଦେଶର ଏହି ଅଞ୍ଚଳ ରାଜସ୍ଥାନ ସୀମା ଅଞ୍ଚଳରେ ରହିଛି । ସେଥିପାଇଁ ସଚିନ ପାଇଲଟ ନିର୍ବାଚନ ପ୍ରଚାର କଲେ ସିନ୍ଧିଆଙ୍କ ଉପରେ ଭାରି ପଡିବ ବୋଲି କଂଗ୍ରେସର ଆଶଙ୍କା ।

ସଚିନ ପାଇଲଟ୍ କିଛି ଦିନ ପୂର୍ବରୁ ମିଡ଼ିଆକୁ କହିଥିଲେ ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ କମଲନାଥ ତାଙ୍କୁ ଉପ ନିର୍ବାଚନରେ ପ୍ରଚାର କରିବାକୁ କହିଥିଲେ । ଦଳ ପାଇଁ ସେ ନିଶ୍ଚୟ ପ୍ରଚାର କରିବେ ବୋଲି ପାଇଲଟ କହିଥିଲେ । କଂଗ୍ରେସର ଜଣେ ଦାୟିତ୍ୱବାନ ନେତା ଭାବେ ଏହା ତାଙ୍କର କର୍ତବ୍ୟ ଯେ ଯେତେବେଳେ ଦଳକୁ ତାଙ୍କର ଆବଶ୍ୟକ ପଡେ ସେ ଉପସ୍ଥିତ ରହିବେ ବୋଲି ସେ କହିଥିଲେ ।

ମଧ୍ୟ ପ୍ରଦେଶରେ ଯେଉଁ ୨୮ ଆସନ ପାଇଁ ନିର୍ବାଚନ ହେବାକୁ ଅଛି ସେଥିରୁ ୧୬ ଆସନ ଗ୍ୱାଲିୟର-ଚମ୍ବଲ ଅଞ୍ଚଳର। ଏଠାରେ ଅନେକ ଭୋଟର୍ ଗୁର୍ଜର ସମ୍ପ୍ରଦାୟର । ଏହିଭଳି ସ୍ଥିତିରେ ରାଜସ୍ଥାନ ଗୁର୍ଜର ନେତା ସଚିନ ପାଇଲଟ୍ କଂଗ୍ରେସ ପାଇଁ ମହତ୍ଵପୁର୍ଣ ପ୍ରମାଣିତ ହୋଇପାରନ୍ତି । ଦଳ ଏହି ଚିନ୍ତାଧାରା ସହ ସଚିନ ପାଇଲଟଙ୍କୁ ସିନ୍ଧିଆ ପ୍ରଭାବିତ ଅଞ୍ଚଳରେ ପ୍ରଚାର ମଇଦାନକୁ ଓହ୍ଲାଇବାକୁ ଯୋଜନା କରିଛି । ତେବେ ମଇଦାନରେ ଘନିଷ୍ଠ ବନ୍ଧୁତା ପରସ୍ପର ବିରୋଧରେ କିଭଳି ବୟାନ ଦେଉଛନ୍ତି ତାହା ଦେଖିବା ବାକି ରହିଲା ।

   Related Posts