ନ ରୋକିଲେ ମେ ସୁଦ୍ଧା ଭାରତରେ ୧୩ ଲକ୍ଷ ଲୋକଙ୍କୁ ସଂକ୍ରମିତ କରିପାରେ କରୋନା, କାହିଁକି ଏପରି ଆଶଙ୍କା କରିଛନ୍ତି ଗବେଷକ
25/03/2020 at 5:26 PM

ନୂଆଦିଲ୍ଲୀ ୨୫।୦୩ : କରୋନା ଭୂତାଣୁର ପ୍ରକୋପ ସମଗ୍ର ଦୁନିଆରେ ନାହିଁ ନଥିବା ପରିସ୍ଥିତି ସୃଷ୍ଟି କରିଛି। ଭାରତ ମଧ୍ୟ ଏହି ମାରାତ୍ମକ ଭାଇରସରେ କବଳିତ ହୋଇଛି। ଏ ପର୍ଯ୍ୟନ୍ତ ଦେଶରେ ୫୬୨ ପଜିଟିଭ୍ କେସ ସାମ୍ନାକୁ ଆସିଥିବା ବେଳେ ୯ ଜଣଙ୍କ ମୃତ୍ୟୁ ଘଟିଛି। ସରକାରଙ୍କ ପକ୍ଷରୁ କରୋନାରେ ବଢୁଥିବା ସଂକ୍ରମଣକୁ ରୋକିବା ପାଇଁ ଜରୁରୀ ପଦକ୍ଷେପ ଉଠାଯାଉଛି। ଦେଶରେ ୨୧ ଦିନ ଲକଡାଉନ ଘୋଷଣା କରାଯାଇଛି। ଏହା ପରେ ମଧ୍ୟ ଯେଉଁ ଭଳି କରୋନା ମାମଲା ସାମ୍ନାକୁ ଆସୁଛି ଏହାକୁ ନେଇ ବୈଜ୍ଞାନିକଙ୍କ ଏକ ଅନ୍ତରାଷ୍ଟ୍ରୀୟ ଦଳ ରିପୋର୍ଟରେ ଆଶଙ୍କା ପ୍ରକାଶ କରିଛନ୍ତି ଯେ, ଯଦି ସ୍ଥିତିରେ ସୁଧାର ନଆସେ ତେବେ ମେ ମାସର ଦ୍ଵିତୀୟ ସପ୍ତାହ ସୁଦ୍ଧା ଭାରତରେ ୧୩ ଲକ୍ଷ ଲୋକ କରୋନାରେ ସଂକ୍ରମିତ ହୋଇ ପାରନ୍ତି।

ଭାରତରେ କରୋନା ମାମଲାର ଅଧ୍ୟୟନ କରିଥିବା COV-IND-19 ଷ୍ଟଡି ଗ୍ରୁପର ଗବେଷକ ସଂପ୍ରତି କରୋନା ରୋଗୀଙ୍କ ସଂଖ୍ୟା ସମୀକ୍ଷା କରିବା ପରେ ଜାରି ରିପୋର୍ଟରେ ଆଶଙ୍କା ପ୍ରକାଶ କରିଛନ୍ତି। ଗବେଷକ ରିପୋର୍ଟରେ କହିଛନ୍ତି ଯେ, ଭାରତ ପ୍ରାରମ୍ଭିକ ପର୍ଯ୍ୟାୟରେ କରୋନାକୁ ନିୟନ୍ତ୍ରଣ କରିବାରେ ଇଟାଲୀ ଓ ଆମେରିକା ପରି ଅନ୍ୟ ଦେଶ ତୂଳନାରେ ଭଲ ପଦକ୍ଷେପ ନେଇଛି। ମାତ୍ର ଆମର ଏହି ଅନୁମାନ ଭାରତର ପ୍ରାରମ୍ଭିକ ପର୍ଯ୍ୟାୟର ତଥ୍ୟ ଆଧାରରେ ପ୍ରସ୍ତୁତ ହୋଇଛି। ଗବେଷକ କହିଛନ୍ତି ଯେ, ଭାରତରେ କରୋନା ପରୀକ୍ଷଣ ହାର ବହୁତ କମ ରହିଛି। ଫଳରେ ବାସ୍ତବ ତଥ୍ୟ ମିଳି ପାରି ନାହିଁ।

ରିପୋର୍ଟରେ ଗବେଷକ ଦର୍ଶାଇଛନ୍ତି ଯେ, ଅଦ୍ୟାବଧି ଭାରତରେ କରୋନା ପରୀକ୍ଷଣ କରାଯାଇଥିବା ଲୋକଙ୍କ ସଂଖ୍ୟା ଅପେକ୍ଷାକୃତ କମ ରହିଛି। ବ୍ୟାପକ ଟେଷ୍ଟ ହୋଇନଥିବାରୁ କମ୍ୟୁନିଟି ଟ୍ରାନ୍ସମିଶନର ଭୟାବହତାକୁ ଆକଳନ କରିବା ଅସମ୍ଭବ ହୋଇ ପଡିଛି। ଅନ୍ୟ ଅର୍ଥରେ କହିବାକୁ ଗଲେ ପରୀକ୍ଷଣ ହାର ବହୁତ କମ ରହିଥିବା କାରଣରୁ ଏବେଠୁ ଅନୁମାନ ଲଗାଇବା ବହୁତ କଠିନ ଯେ, ହସ୍ପିଟାଲ ଓ ହେଲ୍ଥକେୟାରର ସୁବିଧା ଉପରାନ୍ତେ କେତେ ଲୋକ ସଂକ୍ରମିତ ଅଛନ୍ତି।

ରିପୋର୍ଟରେ ଗବେଷକ କହିଛନ୍ତି ଯେ, ଭାରତରେ ପ୍ରାରମ୍ଭିକ ପର୍ଯ୍ୟାୟର ତଥ୍ୟ ଆଧାରରେ ସଂକ୍ରମିତଙ୍କ ସଂଖ୍ୟା ନେଇ ଆମର ବର୍ତ୍ତମାନର ଅନୁମାନ ବହୁତ କମ ରହିଛି। ଆମେରିକା ଓ ଇଟାଲୀ ପରି ଅନ୍ୟ ଦେଶରେ ମଧ୍ୟ ପ୍ରାରମ୍ଭିକ ପର୍ଯ୍ୟାୟରେ ଏମିତି ସ୍ଥିତି ଦେଖିବାକୁ ମିଳିଥିଲା ଯାହା ପରେ ଧିରେ ଧିରେ ବ୍ୟାପି ଏବେ ସଙ୍କଟାଜନକ ସ୍ଥିତି ଉତ୍ପନ କରିଛି। ଏହି ସବୁ ଦେଶଗୁଡିକରୁ ଆସିଥିବା ତଥ୍ୟ ଏହା ସୂଚାଉଛି ଯେ, ଭାଇରସ୍ କେତେ ଲୋକଙ୍କୁ ନିଜକୁ କବଳିତ କରିଛି। କରୋନା ଭାଇରସ କାରଣରୁ ଦୁନିଆରେ ଅଦ୍ୟାବଧି ୧୮,୯୧୫ ଲୋକଙ୍କ ମୃତ୍ୟୁ ଘଟି ସାରିଥିବା ବେଳେ ୪, ୨୨, ୯୦୦ ଜଣ ସଂକ୍ରମିତ ଅଛନ୍ତି।