Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମୃତ ନ୍ୟୁରନ ନିଷ୍କାସନ କରୁଥିବା ମସ୍ତିଷ୍କର ପ୍ରଥମ ଥର ଭିଡିଓ ଉତ୍ତୋଳନ କଲେ ବୈଜ୍ଞାନିକ

1/07/2020 at 6:53 PM

ୟେଲ :  କନେକ୍ଟିକଟ ୟେଲ ସ୍କୁଲ ଅଫ ମେଡିସିନ୍ସର ଗବେଷକମାନେ ପ୍ରଥମ ଥର ମୃତ ନ୍ୟୁରନ ନିଷ୍କାସନ କରୁଥିବା ମସ୍ତିଷ୍କର ଭିଡିଓ ଚିତ୍ର ଉତ୍ତୋଳନ କରିବାରେ ସକ୍ଷମ ହୋଇଛନ୍ତି। ତେବେ ଏହି ଭିଡିଓ ଚିତ୍ର ମୁଷାଙ୍କ ମସ୍ତିଷ୍କର ହୋଇଥିବା ବେଳେ ମନୁଷ୍ୟ ମସ୍ତିଷ୍କରେ ଏହା ହେଉଛି କି ନା ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ।

ମସ୍ତିଷ୍କରେ ବର୍ଜ୍ୟବସ୍ତୁ ନିଷ୍କାସନର ବ୍ୟବସ୍ଥା ଥିବା ନେଇ ଆମେ ପୂର୍ବରୁ ଜାଣିଛେ। ଯାହା ମୃତ ଓ ବିଷାକ୍ତ ନ୍ୟୁରନଗୁଡିକୁ ଆମ ଶରୀରରୁ ନିଷ୍କାସନ କରିଦିଏ। ତେବେ ମୁଷାଙ୍କ ଉପରେ ଲାବୋରେଟରୀ ପରୀକ୍ଷଣରୁ ଏପରି ହେଉଥିବାର ପ୍ରଥମ ଥର ବୈଜ୍ଞାନିକ ନିଶ୍ଚିତ ହୋଇଛନ୍ତି। ଏଣୁ ନୂତନ ଅନୁସନ୍ଧାନ ଏ ଦିଗରେ ଅନେକ କିଛି ଆକଳନ କରିବାରେ ସହାୟକ ହୋଇପାରେ ବୋଲି ଗବେଷକମାନେ ଆଶାବ୍ୟକ୍ତ କରିଛନ୍ତି।

ସ୍ନାୟୁ ବିଜ୍ଞାନୀ ଜେଇମ୍ ଗ୍ରୁଟେଣ୍ଡଲରଙ୍କ ଅନୁସାରେ ଜୀବନ୍ତ ସ୍ତନ୍ୟପାୟୀ ପ୍ରାଣୀର ମସ୍ତିଷ୍କର ଏପରି କାର୍ଯ୍ୟ ଆମେ ପ୍ରଥମ ଥର ଦେଖିବାକୁ ପାଇଛୁ। ଏଣୁ ବୟସ ସମ୍ପର୍କିତ ମସ୍ତିଷ୍କ ହ୍ରାସ ଓ ସ୍ନାୟୁଗତ ଚିକିତ୍ସା ଲାଗି ଏଥିରୁ ଅନେକ ସହାୟତା ମିଳିପାରିବ ବୋଲି ସେ କହିଛନ୍ତି। ଏହା ପୂର୍ବରୁ ମସ୍ତିଷ୍କର ଏହି କାର୍ଯ୍ୟ ବୁଝିବା ବଡ ଜଟିଳ ଥିଲା। ହେଲେ ଏଥିରୁ ମସ୍ତିଷ୍କର କାର୍ଯ୍ୟ ସ୍ପଷ୍ଟ ଭାବେ ଏବେ ବୁଝାପଡୁଛି ବୋଲି ଗ୍ରୁଟଣ୍ଡଲର କହିଛନ୍ତି।

ମସ୍ତିଷ୍କରେ ସାଧାରଣତଃ ୩ ପ୍ରକାରର କୋଷ ରହିଥାଏ। ଏଗୁଡିକ ମାଇକ୍ରୋଗ୍ଲିଆ, ଏଷ୍ଟ୍ରୋସାଇଟିସ୍ ଓ ଏନଜି-୨ କୋଷ। ତେବେ ଏଥିରୁ ଏନଜି-୨ ମସ୍ତିଷ୍କରେ ମୃତ କୋଷଗୁଡିକର ଆବର୍ଜନା ବିସ୍ତାର ରୋକିବାରେ ସହାୟକ ହେଉଥିବାର ଅନୁମାନ କରାଯାଉଛି। ଏଥିରୁ ପୁରାତନ ମସ୍ତିଷ୍କ କିପରି ବିଭିନ୍ନ ଉପାୟରେ ବିଫଳ ହୁଏ ତାର ମଧ୍ୟ ଏବେ ଅନୁମାନ କରାଯାଇପାରିବ ବୋଲି ଗବେଷକ ଆଶାପୋଷଣ କରିଛନ୍ତି। ଏଥିରେ କେବଳ ବୃଦ୍ଧ ନୁହନ୍ତି ଉଦାହରଣ ଭାବେ ଯେଉଁମାନେ ମସ୍ତିଷ୍କରେ ଆଘାତ ପାଇଛନ୍ତି ସେମାନଙ୍କର ମଧ୍ୟ ଚିକିତ୍ସା ଲାଗି ଏଥିରୁ ବାଟ ଫିଟିପାରେ ବୋଲି ସେ କହିଛନ୍ତି। ଏହି ବୈଜ୍ଞାନିକ ଗବେଷଣା ଅନୁସନ୍ଧାନ ସାଇନ୍ସ ଆଡଭାନ୍ସ ଜର୍ଣ୍ଣାଲରେ ମଧ୍ୟ ପ୍ରକାଶିତ ହୋଇଛି।

   Related Posts