କରୋନା ଉପରେ ଅନୁସନ୍ଧାନ କରୁଥିବା ବୈଜ୍ଞାନିକଙ୍କ ଚେତାବନୀ, କହିଲେ ବୋଧହୁଏ କେବେବି ମିଳିନପାରେ ଟୀକା

Published By : Prameya-News7 Bureau | April 12, 2020 IST

ନୂଆଦିଲ୍ଲୀ ୧୨।୪: ଗତ ୪୦ ବର୍ଷ ମଧ୍ୟରେ ପ୍ରତିବର୍ଷ ହାରାହାରି ୮ ଲକ୍ଷ ଲୋକ ଏଚଆଇଭିରେ ପ୍ରାଣ ହରାଉଛନ୍ତି । ହେଲେ ଏପର୍ଯ୍ୟନ୍ତ ଏଚଆଇଭିର କୌଣସି ଟୀକା ବାହାରିନାହିଁ । କରୋନା ଭାଇରସ୍ ଟୀକା ଅନୁସନ୍ଧାନରେ ଥିବା ଟିମର ନେତୃତ୍ବ ନେଉଥିବା ପ୍ରମୁଖ ବୈଜ୍ଞାନିକ ଜେନ୍ ହାଲଟନ ଏହା ବିଷୟରେ କହିଛନ୍ତି ଯେ, ବୋଧହୁଏ କରୋନା ଟୀକା କେବେବି ମିଳି ନପାରେ । ସେ କହିଥିଲେ 'ବିଜ୍ଞାନରେ କିଛି ନିର୍ଦ୍ଦିଷ୍ଟ ନୁହେଁ।'

ଜେନ୍ ହାଲଟନ୍ କରୋନା ଟୀକା ଆବିଷ୍କାର ପାଇଁ କାର୍ଯ୍ୟ କରୁଥିବା ଏକ ଆନ୍ତର୍ଜାତୀୟ ଟିମ୍ (କୋଲିସନ୍ ଫର୍ ଏପିଡେମିକ୍ ଇନୋଭେସନ୍ସ) ର ନେତୃତ୍ବ ନେଉଛନ୍ତି । ଏହି ଟିମ୍ ବିଲ୍ ଗେଟ୍ସଙ୍କଠାରୁ ପାଣ୍ଠି ଗ୍ରହଣ କରିଛି। ଜେନ୍ ଅଷ୍ଟ୍ରେଲିଆର ସବୁଠାରୁ ଅଭିଜ୍ଞ ମହାମାରୀ ବିଶେଷଜ୍ଞ ଭାବରେ ମଧ୍ୟ ଜଣାଶୁଣା । ସେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର କାର୍ଯ୍ୟନିର୍ବାହୀ ବୋର୍ଡରେ ମଧ୍ୟ କାର୍ଯ୍ୟ କରିଛନ୍ତି ଏବଂ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସଭାପତି ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।

ଜେନ୍ ହାଲଟନ୍ ଏହି ଚେତାବନୀ ଏଥିପାଇଁ ଦେଇଛନ୍ତି ଯେପରି କରୋନା ବିରୋଧରେ ସମସ୍ତ ଦେଶ କେବଳ ଟୀକା ଆଶାରେ ବସିବେ ନାହିଁ । ବରଂ, କରୋନାକୁ ପରାସ୍ତ କରିବାକୁ ଯୋଜନା ବି ଉପରେ ମଧ୍ୟ କାର୍ଯ୍ୟ କରାଯିବା ଉଚିତ୍ ।

ସମଗ୍ର ବିଶ୍ବରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି କରୋନା ଭାଇରସ୍ । ୧.୭ ମିଲିୟନରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । ଏକ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ତେବେ କରୋନା ଟୀକା ପାଇଁ ଅନେକ ଦେଶରେ ପରୀକ୍ଷା ଚାଲିଛି ।

ଦି ଅଷ୍ଟ୍ରେଲିୟାନ ଖବରକାଗଜ ସହିତ ଆଲୋଚନା ବେଳେ ବୈଜ୍ଞାନିକ ଜେନ୍ ହାଲଟନ୍ କହିଛନ୍ତି ଯେ, ଯୋଜନା ବି ଉପରେ ସ୍ବାସ୍ଥ୍ୟ ଅଧିକାରୀମାନେ ଶୀଘ୍ର କାର୍ଯ୍ୟ କରିବା ଆବଶ୍ୟକ । କାରଣ ଆମେ ହୁଏତ କରୋନା ଟୀକା ଅନୁସନ୍ଧାନରେ ସକ୍ଷମ ହୋଇନପାରିବା । ତଥାପି, ବିଶ୍ବର ଅନେକ ସ୍ବାସ୍ଥ୍ୟ ବିଶେଷଜ୍ଞ ଆଶା କରୁଛନ୍ତି ଯେ ୨୦୨୧ ସୁଦ୍ଧା ବିଶ୍ବ କରୋନା ଭାଇରସ୍ ଟୀକା ପ୍ରସ୍ତୁତ କରିବାରେ ସଫଳତା ହାସଲ କରିପାରିବ ।

କିନ୍ତୁ ଜେନ୍ ହାଲଟନ୍ କହିଛନ୍ତି ଯେ, ଏତେ କମ୍ ସମୟ ମଧ୍ୟରେ କରୋନା ଟୀକା ପ୍ରସ୍ତୁତ କରିବା ଅବିଶ୍ବସନୀୟ । ଅବାସ୍ତବ ଆଶା ଦିଆଯାଉଛି ବୋଲି ସେମାନେ କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ COVID-19 ବ୍ୟତୀତ ଅନ୍ୟ କରୋନା ଭାଇରସ୍ ଟୀକା ଏପର୍ଯ୍ୟନ୍ତ ଆବିଷ୍କାର କରାଯାଇ ନାହିଁ ।

ସେହିଭଳି ଏଚଆଇଭିରେ ୨୦୦୮ରେ ବିଶ୍ବରେ କେବଳ ୭.୭ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି । ଗତ ୪୦ ବର୍ଷ ମଧ୍ୟରେ ୩୦ ନିୟୁତ ଲୋକ ଏଚଆଇଭିରେ ପ୍ରାଣ ହରାଇଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ବୈଜ୍ଞାନିକମାନେ ଏଚଆଇଭି ଟୀକା ଆବିଷ୍କାର କରିପାରିନାହାଁନ୍ତି ।

ଆମେରିକା, ଚୀନ୍ ସମେତ ଅନେକ ଦେଶରେ ମନୁଷ୍ୟ ଉପରେ କରୋନା ଟୀକା ପରୀକ୍ଷା ଆରମ୍ଭ ହୋଇଛି । କିନ୍ତୁ ଜେନ୍ ହାଲଟନଙ୍କ ଚେତାବନୀ ଆଶା କମାଇବାକୁ ଯାଉଛି । ତେବେ ସେ କହିଛନ୍ତି ଯେ, ବିକଳ୍ପ ଯୋଜନାରେ କାମ କରିବା ପାଇଁ ସେ ଲୋକଙ୍କୁ ସଚେତନ କରିବାକୁ ଚାହୁଁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.