ଫାଇଜର ବାୟୋଏନଟେକ୍ କୋଭିଡ୍-୧୯ ଭାକସିନ୍ ପ୍ରସ୍ତୁତକାରୀ ବୈଜ୍ଞାନିକ ଟିମ୍‌ରେ ସାହିନ୍-ଟ୍ୟୁରେସୀଙ୍କୁ ବେଶୀ ସାବାସୀ

Published By : Prameya-News7 Bureau | November 16, 2020 IST

ନୂଆଦିଲ୍ଲୀ,୧୬|୧୧: ସାରା ବିଶ୍ୱରେ କରୋନା ଭାଇରସର ଆତଙ୍କ ଜାରି ରହିଛି । ଏହି ମାରାତ୍ମକ ଭାଇରସ ଲୋକଙ୍କ ମଧ୍ୟରେ ନିରାଶା ଓ ଅବସାଦ ବୃଦ୍ଧି ପାଇଛି । ଏପରିକି ବିଭିନ୍ନ ଦେଶର ଅର୍ଥବ୍ୟବସ୍ଥା ମଧ୍ୟ ଭୁଷୁଡି ପଡିଛି । ଏହି ଭାଇରସ ଏବେସୁଦ୍ଧା ପ୍ରାୟ ୧୩ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଇଛି । କିନ୍ତୁ କରୋନା ପାଇଁ ଅବସାଦଗ୍ରସ୍ତ ହୋଇଥିବା ବ୍ୟକ୍ତିଙ୍କ ସ୍ଥିତି କରୋନା ଆକ୍ରାନ୍ତଙ୍କଠାରୁ ଆହୁରି ସଙ୍ଗୀନ ।

ଏବେ କରୋନା ସହ ଲଢିବା ପାଇଁ ଲୋକମାନେ ଭାକସିନର ଅପେକ୍ଷାରେ ରହିଛନ୍ତି । ଅନେକ ଲୋକ ଅପେକ୍ଷା କରି କରି ହତାଶ ମଧ୍ୟ ହେଲେଣି । ଏପରି ମାହୋଲରେ କେବଳ ଗୋଟିଏ ଆଶା ଦରକାର ଯିଏ କି କରୋନା ଉପରେ  ବିଜୟ ନେଇ ଉତ୍ସାହିତ କରିପାରିବ ଓ ଏକ ଆଶାର କିରଣ ହୋଇପାରିବ । ଏହି ଆଶାର କିରଣ ହେଲେ ଉଗୁରୁ ସାହିନ ଓ ଓଜଲେମ୍ ଟ୍ୟୁରେସୀ ।ମୂଳରୂପରେ ତୁର୍କୀର ଏହି ଦୁଇ ବୈଜ୍ଞାନିକ ଜର୍ମାନୀରେ ରୁହନ୍ତି । ଉଭୟେ ହେଉଛନ୍ତି ଦମ୍ପତ୍ତି । ଏହି ଦମ୍ପତ୍ତି ହିଁ ଫାଇଜର୍ କମ୍ପାନୀର କୋଭିଡ୍ ଭାକସିନକୁ ତିଆରି କରିଛନ୍ତି ।

୫୫ ବର୍ଷୀୟ ସାହିନ ଓ ୫୩ ବର୍ଷୀୟା ଟ୍ୟୁରେସୀ ୨୦୦୮ରେ ବାୟୋଏନଟେକ୍ କମ୍ପାନୀ ପ୍ରତିଷ୍ଠା କରିଥିଲେ । ଏହି କମ୍ପାନୀର ପାର୍ଟନର୍ ହେଉଛି ୟୁଏସ କମ୍ପାନୀ ଫାଇଜର୍ । ଯାହା କରୋନା ଭାକସିନ୍ ଦିଗରେ କାମ କରୁଛି । ଏହି ଭାକସିନ ୯୦ ପ୍ରତିଶତ ପ୍ରଭାବୀ ସାବ୍ୟସ୍ତ ହୋଇଥିବା ଦାବି କରାଯାଉଛି । ଜର୍ମାନୀର ବାୟୋଏନଟେକର ସିଇଓ ଓ ସହ-ପ୍ରତିଷ୍ଠାତା ଉଗୁର ସାହିନ ଓ କମ୍ପାନୀ ବୋର୍ଡରେ କାମ କରୁଥିବା ଟ୍ୟୁରେସିଙ୍କୁ ଲୋକମାନେ ଡ୍ରିମ୍ ଟିମ୍ ବୋଲି କହୁଛନ୍ତି । ସାହିନ ବର୍ତ୍ତମାନ ଜର୍ମାନୀର ଟପ୍ ୧୦୦ ସବୁଠାରୁ ଧନୀ ଲୋକଙ୍କ ମଧ୍ୟରେ ରହିଛନ୍ତି । ତେବେ ତାଙ୍କ ପିଲାଦିନ ଅଭାବ ଅନଟନରେ କଟିଥିଲା ।

ସାହିନଙ୍କ ପିତା କୋଲୋନର ଫୋର୍ଡ କମ୍ପାନୀରେ କାମ କରୁଥିଲେ । ସାହିନଙ୍କ ଜଣେ ବନ୍ଧୁ ମଥାୟସ କ୍ରୋମେୟର ଏକ ସାକ୍ଷାତକାରରେ କହିଥିଲେ ଯେ, ସାହିନ ହେଉଛନ୍ତି ବହୁତ ନମ୍ର । ମଥାୟସ ଏମଆଇଜିଏଜିର ବୋର୍ଡ ମେମ୍ବର ରହିଛନ୍ତି । ଏହା କ୍ୟାପିଟାଲ ଫାର୍ମ ବାୟୋଏନଟେକଙ୍କୁ ଫଣ୍ଡିଂ କରିଥାଏ । ସାହିନ ସାଧାରଣତଃ ବୈଠକରେ ଜିନ୍ସ, ସାଇକେଲ୍, ହେଲମେଟ୍ ଓ ବ୍ୟାଗପ୍ୟାକ୍ ସହ ଆସନ୍ତି ବୋଲି ମଥାୟସ କହିଛନ୍ତି ।

କରୋନା ଯୁଦ୍ଧରେ ମୋର୍ଚ୍ଚା ସମ୍ଭାଳୁଥିବା ଏହି ଦମ୍ପତ୍ତି କ୍ୟାନସର୍ ସହ ମଧ୍ୟ ଲଢୁଛନ୍ତି । ଦୀର୍ଘଦିନ ଧରି ଉଭୟ କ୍ୟାନସର୍ ବିରୋଧରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ପ୍ରୟାସ ଚଳାଇଛନ୍ତି । କ୍ୟାନସର୍ ଉପରେ ଏହି ଦୁଇ ଜଣଙ୍କ ଗବେଷଣାକୁ ସମସ୍ତେ ପ୍ରଶଂସା ମଧ୍ୟ କରନ୍ତି । ଏହି ଦୁଇଜଣ ନିଜ କାମକୁ ଏତେ ମାତ୍ରାରେ ଭଲ ପାଆନ୍ତି ଯେ, ବିବାହ ଦିନ ମଧ୍ୟ ଉଭୟ ଲ୍ୟାବରେ ସମୟ କାଟିଥିଲେ । କରୋନା ଭାକସିନକୁ ନେଇ ଉଭୟଙ୍କ ଉପରେ ସମସ୍ତଙ୍କ ଗଭୀର ଆଶା ଓ ବିଶ୍ୱାସ ରହିଛି ।

ସାହିନ ନିଜ କ୍ୟାରିଅରର ଆରମ୍ଭରେ ଡାକ୍ତର ହେବାକୁ ଚାହୁଁଥିଲେ । ଗ୍ରାଜୁଏସନ୍ ପରେ ସେ କୋଲୋନ ଓ ବାମବର୍ଗର ମେଡିକାଲ ଇନଷ୍ଟିଚ୍ୟୁଟରେ କାମ କରିଥିଲେ । ସେଠାରେ ସେ ଓଜଲେମଙ୍କୁ ଭେଟିଥିଲେ । ଓଜଲେମଙ୍କ ପିତା ତୁର୍କୀରେ ଡାକ୍ତର ଥିଲେ । ପରେ ଉଭୟ ଜର୍ମାନୀ ଚାଲି ଆସିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.