‘ତିତଲି’ ପାଇଁ ତତ୍ପର ରାଜ୍ୟ ସରକାର : ଏନଡିଆରଏଫ ଓ ଓଡ୍ରାଫ ଟିମ୍ ପ୍ରସ୍ତୁତ, ରାଜ୍ୟର ୫ ଜିଲ୍ଲାରେ ୧୨ ତାରିଖ ଯାଏଁ ସମସ୍ତ ସ୍କୁଲ ଓ କଲେଜ ଛୁଟି ଘୋଷଣା

Published By : Prameya-News7 Bureau | October 10, 2018 IST

ଭୁବନେଶ୍ବର ୧୦|୧୦:  ବାତ୍ୟା ‘ତିତଲି’ ମୁକାବିଲା ପାଇଁ ରାଜ୍ୟ ସରକାର ତତ୍ପର ହୋଇଛନ୍ତି । ୧୫ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଜାରି କରାଯାଇଛି । ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟାର ତ୍ରୀବତା ଜଣାପଡିବ ବୋଲି ଏସଆରସି ପକ୍ଷରୁ କୁହାଯାଇଛି । ତେବେ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ସଜାଗ ରହିଛନ୍ତି । ୧୫ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଜାରି କରାଯାଇଛି । ସମସ୍ତ ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । କୌଣସି ବି ଅଧିକାରୀ ଜିଲ୍ଲା ମୁଖ୍ୟାଳୟ ନଛାଡିବାକୁ କୁହାଯାଇଛି । ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଜିଲ୍ଲା କଂଟ୍ରୋଲ ରୁମକୁ ୨୪ଘଂଟା ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ବାତ୍ୟାର ମୁକାବିଲା ପାଇଁ ଓଡ୍ରାଫ ଟିମ୍ ଓ ଏନଡିଆରଏଫ ଟିମ୍ ପ୍ରସ୍ତୁତ ରଖାଯାଇଛି । ସେହିପରି ଭୟଙ୍କର ବାତ୍ୟାର ରୂପ ନେଇଥିବା ‘ତିତଲି’କୁ ଦୃଷ୍ଟିରେ ରଖି  ୫ଟି ଜିଲ୍ଲାରେ ସମସ୍ତ  ସ୍କୁଲ ଓ କଲେଜ ବନ୍ଦ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଆସନ୍ତା ୧୨ ତାରିଖ ଯାଏଁ ଗଞ୍ଜାମ, ଗଜପତି, କେନ୍ଦ୍ରାପଡା, ପୁରୀ ଓ ଜଗତସିଂହପୁର ଜିଲ୍ଲାର ସମସ୍ତ ସ୍କୁଲ ଓ କଲେଜକୁ ବନ୍ଦ ଘୋଷଣା କରିଛନ୍ତି ସରକାର । ଏପରିକି ଅଙ୍ଗନୱାଡି କେନ୍ଦ୍ରକୁ ବନ୍ଦ ରଖିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.