ଅନ୍ତିମ ସମୟରେ ମନ ବଦଳାଇଲେ କେନ୍ଦ୍ର ସରକାର ! ଅନଲକ୍-୩ରେ ବି ବନ୍ଦ ରହିପାରେ ସ୍କୁଲ ଓ ମେଟ୍ରୋ

Published By : Prameya-News7 Bureau | July 26, 2020 IST

ନୂଆଦିଲ୍ଲୀ ୨୬।୦୭: କରୋନା ଭାଇରସ୍‌ର ସଂକ୍ରମଣକୁ ଦୃଷ୍ଟିରେ ରଖି ପୂରା ଦେଶରେ ମାର୍ଚ୍ଚ ୨୫ରୁ ଲକ୍‌ଡାଉନ୍‌ ଲାଗୁ ହୋଇଥିଲା। ଲକ୍‌ଡାଉନ୍‌ର ଚାରୋଟି ପ୍ରକ୍ରିୟା ପରେ ଅନଲକ୍‌ର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଅଗଷ୍ଟ ୧ରୁ ଦେଶରେ ଅନଲକ୍‌-୩ରେ ପ୍ରବେଶ କରିବାକୁ ଯାଉଛି। ଏହାକୁ ନେଇ ସରକାରୀସ୍ତରେ ଆଲୋଚନା ଜାରି ରହିଛି। ଏହି ସମୟରେ କଳ୍ପନା ଜଳ୍ପନା ଲାଗି ରହିଥିଲା ଯେ ଅନଲକ୍‌-୩ରେ ସ୍କୁଲ ଖୋଲିବାକୁ ଅନୁମତି ମିଳିପାରେ। ମାତ୍ର କେନ୍ଦ୍ର ସରକାର ଅନ୍ତିମ ସମୟରେ ନିଜର ଆଭିମୁଖ୍ୟ ବଦଳାଇଛନ୍ତି।

ନାମ ପ୍ରକାଶ ନକରିବା ସର୍ତ୍ତରେ ଜଣେ ଅଧିକାରୀ କହିଛନ୍ତି  ଅନଲକ୍‌-୩ରେ ସ୍କୁଲ ସହିତ  ମେଟ୍ରୋ ସେବା ଖୋଲିବାକୁ ଅନୁମତି ମିଳିବ ନାହିଁ। ଏହା ସହ ଜିମ ଓ ସ୍ଵିମିଂ ପୁଲ୍‌ର ମାଲିକଙ୍କୁ ଏବେ ଆହୁରି ଅପେକ୍ଷା କରିବାକୁ ପଡିପାରେ।

୬୮ ଦିନ ପର୍ଯ୍ୟନ୍ତ ଚାଲିଥିବା ଲକ୍‌ଡାଉନ୍‌ ମେ ୩୧ରେ ଶେଷ ହୋଇଥିଲା। ଏହା ପରେ ଦେଶରେ ଜୁନ ଓ ଜୁଲାଇରେ ଅନଲକ-୧ ଓ ଅନଲକ-୨ର ଅଧିସୂଚନା ଜାରି କରାଯାଇଥିଲା। ଲକ୍‌ଡାଉନ୍‌ରେ ଠପ୍ ପଡିଥିବା ଅର୍ଥବ୍ୟବସ୍ଥାକୁ ଟ୍ରାକକୁ ଆଣିବା ପାଇଁ ଅନଲକ୍‌ର ଦୁଇଟି ପର୍ଯ୍ୟାୟରେ ଅନେକ ଗତିବିଧି ଉପରେ ଲାଗିଥିବା କଟକଣା ହଟାଇ ଦିଆଯାଇଥିଲା।

ଗତ ସୋମବାର କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ରାଜ୍ୟଗୁଡିକ ସହ ସ୍କୁଲ ଖୋଲିବା ନେଇ ବିଚାର ବିମର୍ଶ କରିଛନ୍ତି। ସ୍କୁଲ ଶିକ୍ଷା ସଚିବ ଅନିତ କାରଓ୍ଵାଲ ରାଜ୍ୟଗୁଡିକର ଶିକ୍ଷା ସଚିବଙ୍କ ସହିତ ବୈଠକ କରିଛନ୍ତି। ଏହି ସମୟରେ ଛାତ୍ରଙ୍କ ସ୍ଵାସ୍ଥ୍ୟ ଓ ସୁରକ୍ଷା ସହିତ ସ୍କୁଲର ସ୍ଵଚ୍ଛତା ବ୍ୟବସ୍ଥା ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା।

ଜୁନରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ କହିଥିଲେ ସ୍କୁଲ ପୁଣି ଥରେ ଖୋଲିବା ପାଇଁ ଅଭିଭାବବକଙ୍କ ମତାମତ ନିଆଯିବ। ଏହାକୁ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଓ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ପଠାଯିବ। ହେଲେ ଅଧିକାଂଶ ଅଭିଭାବକ ଏବେ ମଧ୍ୟ ସ୍କୁଲ ଖୋଲାଯିବ ପକ୍ଷରେ ନାହାନ୍ତି। ଅଧିକାରୀ କହିଛନ୍ତି ଅଧିକାଂଶ ଅଭିଭାବକଙ୍କ କହିବା କଥା ଭାକସିନ ବିକଶିତ ହେବା ପରେ ହିଁ ବିଦ୍ୟାଳୟ ଖୋଲିବାକୁ ଅନୁମତି ଦିଆଯାଉ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.