ଆଜିଠୁ ଖୋଲିବ ସ୍କୁଲ, ପାଠ ପଢିବେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ

Published By : Prameya-News7 Bureau | July 26, 2021 IST

ଭୁବନେଶ୍ୱର, ୨୬|୦୭ : ଦୀର୍ଘ ଦିନ ପରେ ଆଜି ଖୋଲିବ ସ୍କୁଲ। ପାଠପଢ଼ିବେ ଦଶମ ଓ ଦ୍ଵାଦଶ ଶ୍ରେଣୀ ପିଲା। ସକାଳ ୧୦ ଟାରୁ କ୍ଲାସ ଆରମ୍ଭ ହୋଇ ଦିନ ୧.୩୦ ଯାଏ ଚାଲିବ। କୋଭିଡ୍ କଟକଣା ମଧ୍ୟରେ ଚାଲିବ କ୍ଲାସ । ସେଥିପାଇଁ ସ୍କୁଲ, ଛାତ୍ରଛାତ୍ରୀ ଓ ଶିକ୍ଷକ ସମେସ୍ତ ପ୍ରସ୍ତୁତ ।

ସ୍କୁଲ ସାନିଟାଇଜ୍ କରିବା ସହ ସ୍କୁଲ ପରିସର ସଫା କରାଯାଇଛି। ସାମାଜିକ ଦୂରତା କିପରି ରକ୍ଷା ହୋଇ କ୍ଲାସ ହେବ, ସେ ନେଇ ବିଭିନ୍ନ ସେକ୍ସନରେ ଶ୍ରେଣୀ ବିଭକ୍ତ କରାଯାଇଛି। ପାଣି ବ୍ୟବସ୍ଥା ସହ ସାନିଟାଇଜର ବ୍ୟବସ୍ଥା ହୋଇଛି। ହେଲେ ସ୍କୁଲରେ ନା ହେବ ପ୍ରାର୍ଥନା ନା ଟିଫିନ ବ୍ରେକ, ନନ୍-ଷ୍ଟପ୍ ଚାଲିବ କ୍ଲାସ। ରବିବାର ଓ ସମସ୍ତ ସରକାରୀ ଛୁଟି ଦିନ ଗୁଡ଼ିକରେ ସ୍କୁଲ ବନ୍ଦ ରହିବ।

ପିଲାମାନେ ଅଭିଭାବକମାନଙ୍କ ସହ ଆଲୋଚନା କରି ସ୍କୁଲ ଆସି ପାରିବେ । ଛାତ୍ରଛାତ୍ରୀଙ୍କ ଶରୀରର ତାପମାତ୍ରା ମାପି କ୍ଲାସ ପ୍ରବେଶ ପାଇଁ ଅନୁମତି ମିଳିବ। ଲକ୍ଷଣ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆଇସୋଲେସନ ରୁମର ବ୍ୟବସ୍ଥା ହୋଇଛି। ଶିକ୍ଷକମାନେ ଟିକା ନେଇ ଆସିବାର ନିୟମ ହୋଇଛି। ତେବେ ଦ୍ୱିତୀୟ ଡୋଜ ଟିକା ନ ନେଇଥିଲେ ବି ଗୋଟିଏ ଡୋଜ ଟିକା ନେଇଥିବା ଶିକ୍ଷକ ସ୍କୁଲ ଆସିପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.