ଆସନ୍ତା ଜାନୁଆରୀ ୮ରୁ ଖୋଲିବ ସ୍କୁଲ, ଏପ୍ରିଲ୍‌ ୨୬ ଯାଏଁ ହେବ କ୍ଲାସ୍‌

Published By : Prameya-News7 Bureau | January 02, 2021 IST

ଭୁବନେଶ୍ବର୨/୧: ଆସନ୍ତା ଜାନୁଆରୀ ୮ ତାରିଖରୁ ଖୋଲିବ ସ୍କୁଲ। ଦଶମ ଏବଂ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ପାଠ ପଢ଼ିବେ। ଏପ୍ରିଲ ୨୬ ତାରିଖ ପର୍ଯ୍ୟନ୍ତ ପାଠ ପଢ଼ା ଚାଲିବ। ୧୦୦ ଦିନ ପର୍ଯ୍ୟନ୍ତ ପାଠ ପଢ଼ା ହେବ। ଏପରି କି ରବିବାର-ଶନିବାର ମଧ୍ୟ ସ୍କୁଲରେ ପାଠ ପଢ଼ା ହେବ। ୧୦୦ ଦିନ କ୍ଲାସ୍‌ ହେବା ପରେ ମେ’୩ରୁ ଦଶମ ଶ୍ରେଣୀ ପରୀକ୍ଷା ଆରମ୍ଭ ହେବ। ମେ’ ୧୫ ତାରିଖ ପର୍ଯ୍ୟନ୍ତ ଦଶମ ଶ୍ରେଣୀ ପରୀକ୍ଷା ଚାଲିବ। ଠିକ୍‌ ସେହିଦିନ ଅର୍ଥାତ ମେ’ ୧୫ରୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ ହେବ ବୋଲି ଜଣାପଡ଼ିଛି।

ମାଧ୍ୟମିକ ଶିକ୍ଷା ବୋର୍ଡ ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ହେଉଥିବା ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଜାନୁଆରୀ ୮ ତାରିଖରୁ ଏପ୍ରିଲ ୨୬ ତାରିଖ ପର୍ଯ୍ୟନ୍ତ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ଦେବା ପାଇଁ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପାଠପଢ଼ା ଜାନୁଆରୀ ୮ ତାରିଖରୁ ଏପ୍ରିଲ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ।  ଦଶମ ଶ୍ରେଣୀ ପିଲାମାନଙ୍କର ପ୍ରାକ୍ଟିକାଲ ପରୀକ୍ଷାଗୁଡିକ  ଏପ୍ରିଲ ୨୭ରୁ ମେ ୨ ତାରିଖ ଏବଂ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଏପ୍ରିଲ ୨୯ରୁ ମେ ୧୪ ତାରିଖ ପର୍ଯ୍ୟନ୍ତ ହେବ। ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷା ମେ ୩ ତାରିଖରୁ ମେ ୧୫ ତାରିଖ ପର୍ଯ୍ୟନ୍ତ ଏବଂ ଦ୍ବାଦଶ ଶ୍ରେଣୀ ପରୀକ୍ଷା ମେ ୧୫ରୁ ଜୁନ୍ ୧୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

ଛାତ୍ରଛାତ୍ରୀଙ୍କ ପାଇଁ ଶନିବାର ଏବଂ ରବିବାରକୁ ମିଶାଇ ୧୦୦ ଦିନ ପାଠପଢ଼ା ହେବ। ପାଠପଢ଼ା ନିମନ୍ତେ ଏକ ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯାଇଛି। ଏହି ମାର୍ଗଦର୍ଶିକା ଅନୁସାରେ ସରକାରୀ ସାହାଯ୍ୟପ୍ରାପ୍ତ ଓ ଘରୋଇ ଶିକ୍ଷାନୁଷ୍ଠାନଗୁଡିକ ଖୋଲିବ। ଏହାସହିତ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କ ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀଗୁଡିକର ଅନୁପାଳନ ବାଧ୍ୟତାମୂଳକ ହେବ। ସୂଚନାଯୋଗ୍ୟ କୋଭିଡ୍‌ ମହାମାରୀ କାରଣରୁ ଗତ ମାର୍ଚ୍ଚ ମାସରୁ ରାଜ୍ୟର ଶିକ୍ଷାନୁଷ୍ଠାନଗୁଡିକ ବନ୍ଦ ରହିଥିଲା। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଛାତ୍ରଛାତ୍ରୀମାନଙ୍କ ପାଇଁ ବିଭିନ୍ନ ମାଧ୍ୟମରେ ଅନଲାଇନ୍ ଶିକ୍ଷାଦାନର ବ୍ୟବସ୍ଥା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.