ରାଜ୍ୟରେ ଜୁନ୍ ୧୭ରୁ ଖୋଲିବନି ସ୍କୁଲ, ଜୁଲାଇ ମାସରେ ପରବର୍ତ୍ତୀ ନିଷ୍ପତ୍ତି

Published By : Prameya-News7 Bureau | May 31, 2020 IST

ଭୁବନେଶ୍ବର ୩୧।୫: ରାଜ୍ୟରେ ଜୁନ୍ ମାସରେ ଖୋଲିବ ନାହିଁ ସ୍କୁଲ । ଜୁଲାଇ ମାସରେ ଏ ସଂପର୍କରେ ନିଷ୍ପତ୍ତି ନିଆଯିବ । ଏ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । କରୋନା ଭାଇରସ୍ ଯୋଗୁଁ ଲକ୍ ଡାଉନ୍ ବଳବତ୍ତର ଥିବା ଯୋଗୁଁ ସ୍କୁଲଗୁଡିକୁ ବନ୍ଦ ଘୋଷଣା କରାଯାଇଥିଲା । ତେବେ ଜୁନ୍ ୧୭ ତାରିଖରୁ ସ୍କୁଲ ଖୋଲିବା ନେଇ ମନ୍ତ୍ରୀ ସୂଚନା ଦେଇଥିଲେ ।

କିନ୍ତୁ ଲକ୍ ଡାଉନ୍ ୪.୦ର ଅବଧି ଆଜି ଶେଷ ହେଉଥିବାରୁ ଶନିବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନ୍ ଲକ୍-୧.୦ ଘୋଷଣା କରାଯାଇଛି । ଏହି ଗାଇଡ୍ ଲାଇନ୍ ଅନୁଯାୟୀ ସ୍କୁଲଗୁଡିକ ଖୋଲିବା ନେଇ ଜୁଲାଇ ମାସରେ ନିଷ୍ପତ୍ତି ନିଆଯିବ । ଏହାକୁ ଦୃଷ୍ଟିରୁ ରଖି ରାଜ୍ୟ ସରକାର ଜୁନ୍ ମାସରେ ସ୍କୁଲ ଖୋଲିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି ।

ସୂଚନାଯୋଗ୍ୟ ଯେ, କରୋନା ମହାମାରୀ ବିସ୍ତାର ରୋକିବା ପାଇଁ ମାର୍ଚ୍ଚ ୨୫ ତାରିଖରୁ ଦେଶବ୍ୟାପୀ ଲକ୍ ଡାଉନ୍ ଜାରି ହୋଇଥିଲା । ତେବେ ମେ’ ୩୦ ତାରିଖରେ କେନ୍ଦ୍ର ସରକାର ଅନ୍ ଲକ୍-୧.୦ ଘୋଷଣା କରିଛନ୍ତି । ଏହା ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ତେବେ ପ୍ରଥମ ଥର ସରକାର ଲକ୍ ଡାଉନ୍‌ରେ ଅନ୍ ଲକ୍‌ ଲାଗି ମଧ୍ୟରାସ୍ତା ଖୋଲିଛନ୍ତି । ଫଳରେ ସମ୍ପୂର୍ଣ୍ଣ ଲକ୍ ଡାଉନ୍‌କୁ ଯାଇଥିବା ଦେଶକୁ ପର୍ଯ୍ୟାୟକ୍ରମେ ପୁଣି ଖୋଲିବା ଲାଗି ରାସ୍ତା ଉନ୍ମୁକ୍ତ ହୋଇଯାଇଛି ।

ଗତକାଲି ଏଥିପାଇଁ କେନ୍ଦ୍ର ସରକାର ନୂଆ ଗାଇଡ୍ ଲାଇନ୍ ଜାରି କରିଛନ୍ତି। ଯେଉଁଥିରେ ଅନ୍ ଲକ୍ ଲାଗି ୩ ଭିନ୍ନ ଭିନ୍ନ ପର୍ଯ୍ୟାୟ ଲାଗି ପରାମର୍ଶ ଦେଇଛନ୍ତି। ଏ ନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ଜାରି କରିଥିବା ଗାଇଡ୍ ଲାଇନ୍‌ ଅନୁସାରେ ପୁଣି ସ୍କୁଲ, କଲେଜ, ଶୈକ୍ଷଣିକ, ପ୍ରଶିକ୍ଷଣ ଓ କୋଚିଂ ଇନଷ୍ଟିଚ୍ୟୁସନ ଆଦି ଖୋଲିବା ଲାଗି ରାଜ୍ୟ ଓ କେନ୍ଦ୍ର ଶାସିତଅଞ୍ଚଳଗୁଡିକ ସହ ପରାମର୍ଶ ପରେ ହିଁ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି।

ଏଥିରେ କଣ୍ଟେନମେଣ୍ଟ ଜୋନ୍ ବାହାରେ ଏଭଳି ଅନୁଷ୍ଠାନ ଖୋଲିବାକୁ ହୁଏତ ଅନୁମତି ମିଳିପାରେ ବୋଲି ଅନୁମାନ କରାଯାଉଛି। ତେବେ ଏଥିପାଇଁ ଜୁଲାଇ ମାସରେ ଦ୍ବିତୀୟ ପର୍ଯ୍ୟାୟ ଅନ୍ ଲକ୍ ରେ ଅନୁମତି ମିଳିପାରେ । ଗୃହମନ୍ତ୍ରାଳୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କୁ ଏଥିପାଇଁ ଅଭିଭାବକ, ଛାତ୍ରଛାତ୍ରୀ, ଶିକ୍ଷକ ଓ ଅନ୍ୟ ଭାଗିଦାରଙ୍କ ସହ ନିୟମିତ ଆଲୋଚନା କରିବାକୁ ପରାମର୍ଶ ଦେଇଛନ୍ତି। କେନ୍ଦ୍ର ସରକାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟଙ୍କୁ ଏଓପି ପ୍ରସ୍ତୁତ କରିବାକୁ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.