ଅଟୋରେ ଛାତ୍ରଛାତ୍ରୀ ଆସିବା ମନା, ଆସିଲେ ସ୍କୁଲକୁ କରାଯିବ ବ୍ୟାନ୍

Published By : Prameya-News7 Bureau | February 20, 2020 IST

ଭୁବନେଶ୍ବର ୨୦।୨: ଏଣିକି ଅଟୋରେ ଛାତ୍ରଛାତ୍ରୀ ଯିବାଆସିବା କଲେ ସ୍କୁଲ ବ୍ୟାନ୍ ହେବ । ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ନେବା ଆଣିବା ପାଇଁ ଅଟୋକୁ ବ୍ୟାନ୍ କରାଯାଇଥିଲା । ଗାଇଡ୍ ଲାଇନ୍ ନପାଳିବାରୁ ଏଣିକି ସ୍କୁଲ୍ ବ୍ୟାନ୍ ହେବ । ନୂଆ ସ୍କୁଲ ଖୋଲିଲେ ପିଲାଙ୍କୁ ନେବା ଆଣିବାକୁ ଅନୁମତି ଦରକାର । ପରିବହନ ବିଭାଗରୁ ଅନୁମତି ନେବାକୁ ପଡିବ । ନ୍ୟୁଜ୍ ୭ କ୍ୟାମ୍ପେନ୍ ପରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହି ସୂଚନା ଦେଇଛନ୍ତି । ବନ୍ଦ ହେଉ ସ୍କୁଲ ଅଟୋ ନାଁରେ କ୍ୟାମ୍ପେନ୍ କରିଥିଲା ନ୍ୟୁଜ୍ ସେଭେନ୍ ।

ସ୍କୁଲ ଛାତ୍ରଛାତ୍ରୀଙ୍କ ସୁରକ୍ଷିତ ପରିବହନକୁ ନିଶ୍ଚିତ କରିବାକୁ ୨୦୧୬ରେ ସ୍ବତନ୍ତ୍ର ଗାଇଡ୍ ଲାଇନ୍ କରିଥିଲେ ସରକାର । ଅଟୋ ଭଳି ତିନି ଚକିଆ ବାହାନକୁ ସ୍କୁଲ ପିଲାଙ୍କ ପରିବହନରୁ ସମ୍ପୂର୍ଣ୍ଣ ବାଦ୍ ଦିଆଯାଇଛି । ଚାରିଚକିଆ ଗାଡ଼ିରେ ହ୍ୟାଙ୍ଗର, ସେଫଟି ଗ୍ରିଲ୍ସ୍, ଫାଷ୍ଟ ଏଡ୍ ବକ୍ସ, ଅଗ୍ନି ନିର୍ବାପକ ଯନ୍ତ୍ର ସହ ସ୍ପିଡ୍ ଗଭର୍ଣ୍ଣର ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି । ହେଲେ ନା’ ପରିବହନ ବିଭାଗ ନା’ ଜିଲ୍ଲା ପ୍ରଶାସନ କେହି ଏଥିପ୍ରତି ନଜର ଦେଉନାହାନ୍ତି ।

ଏବେ ବି ରାଜ୍ୟର ଅନେକ ସ୍ଥାନରେ ବିପଦ ସଂକୁଳ ଅବସ୍ଥାରେ ଅଟୋରେ ସ୍କୁଲ ପିଲା ଯିବାଆସିବା କରୁଛନ୍ତି । ଯାହାର ପରିଣାମ ସ୍ବରୂପ ଗତକାଲି ଗଞ୍ଜାମ ଦିଗପହଣ୍ଡିରେ ଘଟିଥିଲା ସାଂଘାତିକ ଅଘଟଣ । ଅଟୋରୁ ଖସିପଡି ୬ବର୍ଷର ଶିଶୁର ଜୀବନ ଚାଲି ଯାଇଥିଲା ।

କେବଳ ଗତକାଲିର ଦୁର୍ଘଟଣା ନୁହେଁ, ଅନେକ ସ୍ଥାନରେ ଏପରି ଦୁର୍ଘଟଣା ଘଟୁଛି । ଏହା ସତ୍ତ୍ବେ ସ୍କୁଲ ଅଟୋ ଉପରେ କଟକଣା ଲାଗି ପାରୁନାହିଁ । ପ୍ରତିଟି ଦୁର୍ଘଟଣା ପରେ ହଠାତ୍ ତତ୍ପର ହୋଇ ଉଠୁଥିବା ପ୍ରଶାସନ ଲୋକ ଦେଖାଣିଆ ଭାବେ ତତ୍ପରତା ଦେଖାଇବା ପରେ ପୁଣି ନିଦରେ ଶୋଇପଡ଼ୁଛି । ଆଉ ଯେମିତି ଅପେକ୍ଷା କରୁଛି ପୁଣି ଏକ ଦୁର୍ଘଟଣାକୁ । ଏମିତିରେ ରାଜ୍ୟ ପରିବହନ ବିଭାଗ ତୁରନ୍ତ ଆକ୍ସନକୁ ଆସିବା ଜରୁରୀ ବୋଲି ସାଧାରଣରେ ଦାବି ହେଉଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.