ସ୍କୁଲ ଭ୍ୟାନର ଡ୍ରାଇଭରଙ୍କ ଉପରକୁ ଗୁଳି କରି ଫେରାର ହୋଇଗଲେ ଦୁର୍ବୃତ୍ତ
5/02/2019 at 4:40 PM
ରୋହତକ ୫/୨ : ହରିୟାଣାରେ ମଧ୍ୟ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି | ଅବସ୍ଥା ଏମିତି ହୋଇଗଲାଣି ଯେ ଲୋକେ ରାସ୍ତାରେ ଯିବା ଆସିବା କରିବା ପାଇଁ ଡରୁଛନ୍ତି | ଦିନ ଦ୍ବିପ୍ରହରରେ ମଧ୍ୟ ଅପରାଧୀ ଲୋକଙ୍କୁ ହତ୍ୟା କରୁଛନ୍ତି | ରୋହତକ ସାଇଦାସ ଅଂଚଳରେ ଘଟିଛି ଏମିତି ଏକ ଘଟଣା | ହଠାତ ଗୁଳି ଶବ୍ଦ ଶୁଣି ଲୋକେ ଡରି ଯାଇଥିଲେ |
ସ୍କୁଲ ଭ୍ୟାନ ଚଲାଉଥିବା ଜଣେ ଡ୍ରାଇଭରଙ୍କ ଉପରକୁ ହଠାତ ଦୁଇ ଯୁବକ ଗୁଳି କରିଥିଲେ | ତେବେ ଭ୍ୟାନ ଡ୍ରାଇଭର ଅଳ୍ପକେ ବର୍ତ୍ତୀ ଯାଇଥିଲେ | ଖବରପାଇ ପୋଲିସ ସଂଗେ ସଂଗେ ଘଟଣାସ୍ଥଳରେ ପହଞ୍ଚିଥିଲା | ଡ୍ରାଇଭରଙ୍କ ବୟାନ ଆଧାରରେ ପୋଲିସ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ କରୁଛି | ଗୁଳି ଚଲାଇଥିବା ଦୁଇ ଯୁବକ ଫେରାର ହୋଇଯାଇଛନ୍ତି |
ଡ୍ରାଇଭର ଅଜମେର କହିଛନ୍ତି ଯେ, ପ୍ରତିଦିନ ଭଳି ଆଜି ସକାଳେ ମଧ୍ୟ ସେ ସ୍କୁଲ ପିଲାଙ୍କୁ ନେବା ପାଇଁ ସାଇଦାସ କଲୋନୀ ଯାଇଥିଲେ | ସେ ପିଲାଙ୍କୁ ଅପେକ୍ଷା କରିଥିବା ବେଳେ ଅଚାନକ ଦୁଇଜଣ ଯୁବକ ଆସିଥିଲେ | ଜଣେ ଯୁବକ ଡ୍ରାଇଭରଙ୍କ ପାଖ ସିଟର ଝରକା ଖୋଲି ତାଙ୍କ ଉପରକୁ ଗୁଳି ଚଳାଇଥିଲେ | କିନ୍ତୁ ବନ୍ଧୁକରୁ ଗୁଳି ଚାଲିନଥିଲା | ଯୁବକ ଦ୍ୱିତୀୟଥର ମଧ୍ୟ ଚେଷ୍ଟା କରିଥିଲା କିନ୍ତୁ ଗୁଳି ଚାଲିନଥିଲା | ଏହାପରେ ଯୁବକର ଆଉ ଜଣେ ସହଯୋଗୀ ଆସି ଏକ ଇଟାରେ ଡ୍ରାଇଭରଙ୍କୁ ଆକ୍ରମଣ କରିଥିଲା | ଡ୍ରାଇଭର ଜୀବନ ବଞ୍ଚାଇ ସିଟ ଛାଡି ପଳାଇଥିଲେ |
ପୋଲିସ ସୂଚନା ଅନୁଯାୟୀ, ଡ୍ରାଇଭରଙ୍କ କାହା ସହିତ କିଛି ଶତ୍ରୁତା ନଥିଲା | ଡ୍ରାଇଭର କହିଛନ୍ତି ଯେ, ସେ ଆକ୍ରମଣକାରୀ ଦୁଇ ଯୁବକଙ୍କୁ ଚିହ୍ନି ନାହାନ୍ତି |