ଆନ୍ଧ୍ରପ୍ରଦେଶରେ ଅଗଷ୍ଟ ୧୬ରୁ ଖୋଲିବ ସ୍କୁଲ: କେଉଁ ରାଜ୍ୟରେ କେବେଠୁ ଖୋଲିବ ଜାଣନ୍ତୁ...

Published By : Prameya-News7 Bureau | July 23, 2021 IST

ନୂଆଦିଲ୍ଲୀ ୨୩/୦୭ : କରୋନା ମହାମାରୀର ଦ୍ୱିତୀୟ ଲହର ଧିରେ ଧିରେ ହ୍ରାସ ପାଇବାକୁ ଲାଗିଛି। ଫଳରେ ଅନେକ ରାଜ୍ୟ ସ୍କୁଲ ଖୋଲିବା ପାଇଁ ବିଚାର କରୁଛନ୍ତି। ପ୍ରାୟ ୧୨ ଟି ରାଜ୍ୟରେ ସ୍କୁଲ ଖୋଲିଛି ବା ଏଥି ପାଇଁ ପ୍ରକ୍ରିୟା ଜାରି ରହିଛି। ଏଥିରେ ବିହାର, ଗୁଜୁରାଟ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ହିମାଚଳ ପ୍ରଦେଶ, ପଞ୍ଜାବ, ହରିୟାଣା, ଛତିଶଗଡ ଭଳି ରାଜ୍ୟ ସାମିଲ ଅଛି। ଅଧିକାଂଶ ସ୍ଥାନରେ ୧୦-୧୨ମ ଶ୍ରେଣୀର ଛାତ୍ରମାନଙ୍କ ପାଇଁ ୫୦% ଉପସ୍ଥାନ ସହିତ ସ୍କୁଲ ଖୋଲାଯାଉଛି। ଏହାସହ କିଛି ନିୟମ ଧାର୍ଯ୍ୟ କରାଯାଇଛି ଯାହା ସ୍କୁଲ ଖୋଲିବା ପରେ ପାଳନ କରିବା ଜରୁରୀ। ନିକଟରେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) କହିଛି ଯେ ପିଲାମାନେ କୋଭିଡ -୧୯ ସହିତ ଲଢ଼ିବାରେ ଅଧିକ ସକ୍ଷମ ଅଟନ୍ତି । କାରଣ ପିଲାଙ୍କ ରୋଗ ପ୍ରତିରୋଧକ କ୍ଷମତା ଅଧିକ। ଏହି ଆଧାରରେ ଅନେକ ରାଜ୍ୟ ସ୍କୁଲ ଖୋଲିବାକୁ ବିଚାର କରିଛନ୍ତି।

ରାଜସ୍ଥାନ ଓ ହିମାଚଳ ପ୍ରଦେଶରେ ଅଗଷ୍ଟ ୨ ତାରିଖରୁ ୧୦-୧୨ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିବ। କୋଚିଂ, ଟିଉସନ ଓ ୟୁନିଭର୍ସିଟି ଖୋଲିବା ନେଇ କିଛି ନିଷ୍ପତ୍ତି ହୋଇନାହିଁ।

ଗୁଜରାଟ ଜୁଲାଇ ୨୬ ତାରିଖରୁ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିବ। ମଧ୍ୟପ୍ରଦେଶରେ ଜୁଲାଇ ୨୬ରୁ ୧୧ ଓ ୧୨ ଶ୍ରେଣୀ ପାଇଁ ସ୍କୁଲ ଖୋଲିବ। ଅଭିଭାବକଙ୍କ ସହମତିରେ ଅଗଷ୍ଟ ୫ ରୁ ନବମ ଓ ଦଶମ ଶ୍ରେଣୀ ଛାତ୍ରଙ୍କ ପାଇଁ ସ୍କୁଲ ଖୋଲିବ।

ଛତିଶଗଡ଼ରେ ଅଗଷ୍ଟ ୨ରୁ ୧୦ ଓ ୧୨ମ ଶ୍ରୀଣୀ ପାଇଁ ୫୦ ପ୍ରତିଶତ ଉପସ୍ଥାନ ସହ ସ୍କୁଲ ଖୋଲିବ। କଲେଜ ମଧ୍ୟ ଅଗଷ୍ଟ ୨ରୁ ଖୋଲିବ। ତେବେ ଅଭିଭାବକଙ୍କ ଅନୁମତି ଅନିବାର୍ଯ୍ୟ।

ଆନ୍ଧ୍ର ପ୍ରଦେଶ ସରକାର ବୁଧବାର ଦିନ କହିଛନ୍ତି ଯେ ଅଗଷ୍ଟ ୧୬ ତାରିଖରୁ ସ୍କୁଲ ଖୋଲିବ। ଓଡିଶାରେ ଜୁଲାଇ ୨୬ ରୁ ଦଶମ ଓ ଦ୍ୱାଦଶ ଛାତ୍ରଙ୍କ ପାଇଁ ହଷ୍ଟେଲ ଖୋଲିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.