କେରଳରେ ବର୍ଷା ବିତ୍ପାତ ; ୨ ଦିନ ପର୍ଯ୍ୟନ୍ତ ଛୁଟି ଘୋଷଣା

Published By : Prameya-News7 Bureau | August 16, 2018 IST

କେରଳ ୧୬/୮ : କେରଳରେ ବର୍ଷା ବିତ୍ପାତ । ଚାରିଆଡ଼େ ଖାଲି ପାଣି ଆଉ ପାଣି । ଲଗାଣ ବର୍ଷାରେ ଅଧା କେରଳ ଉବୁଟୁବୁ । ଜନଜୀବନ ଦୁର୍ବିସହ । ଲୋକେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳରୁ ଅତିପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଗକୁ ଆହୁରି ବର୍ଷା ସମ୍ଭାବନା ଥିବାରୁ ୧୨ଟି ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି । ଥିରୁଅନନ୍ତପୁରମ, କୋଲ୍ଲାମ, ଅଲାପୁଝା, ପଥନମିଥିଟ୍ଟା, କୋଟ୍ଟାୟାମ, ଇଡୁକି, ଏର୍ଣ୍ଣାକୁଲମ, ତ୍ରିସୁର୍ ଏବଂ କୋଝିକୋଡ ଜିଲ୍ଲାରେ ଲଗାଣ ବର୍ଷା ସହ ଘଣ୍ଟାକୁ ୬୦ କିଲୋମିଟର ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । କେରଳର ଅନେକ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପେରିୟାର ନଦୀ ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହୋଇ ଜନବସତି ଆଡକୁ ମାଡ଼ିଯାଇଛି । ଅନେକ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି । ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫର ୧୪ଟି ଦଳ ଓ ରାଜ୍ୟ ଅଗ୍ନିଶମ ବିଭାଗ ଏବଂ ବିପର୍ଯ୍ୟୟ ପ୍ରଶମନ ବିଭାଗ ଅଧିକାରୀମାନେ ନିୟୋଜିତ ଅଛନ୍ତି । ଶୋଚନୀୟ ବନ୍ୟା ପରିସ୍ଥିତି ଯୋଗୁଁ ଏର୍ଣ୍ଣାକୁଲ ଜିଲ୍ଲାର ସମସ୍ତ ସ୍କୁଲ କଲେଜକୁ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି । ସେହିପରି କୋଚି ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଶନିବାର ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି । ଲଗାଣ ବର୍ଷା, ବନ୍ୟା ଓ ଭୂସ୍ଖଳନରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୪୭ ଜଣଙ୍କ ମୃତ୍ୟୁ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.