ସ୍କୁଲରେ ନାଟକ ପରିବେଷଣ କଲେ ଛାତ୍ରଛାତ୍ରୀ, ବନ୍ଧା ହେଲେ ପ୍ରଧାନ ଶିକ୍ଷୟତ୍ରୀ ଓ ଅଭିଭାବକ

Published By : Prameya-News7 Bureau | January 31, 2020 IST

ବେଙ୍ଗାଲୁରୁ୩୧/୧: କର୍ଣ୍ଣାଟକର ଏକ ସ୍କୁଲ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି। କିଛିଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିବା ଭଳି ନାଟକ ମଞ୍ଚସ୍ଥ ହୋଇଥିଲା। ଏହି ଅଭିଯୋଗରେ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଓ ଜଣେ ଛାତ୍ରଙ୍କ ମାଆଙ୍କୁ ପୋଲିସ ଗିରଫ କରିଛି। ଗୁରୁବାରରେ ଶାହୀନ ସ୍କୁଲର କିଛି କର୍ମଚାରୀଙ୍କୁ ପଚରାଉଚାର କରିବା ପରେ ପୋଲିସ୍‌ ୨ ମହିଳାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ଜାନୁଆରୀ ୨୧ ତାରିଖରେ ଛାତ୍ରଛାତ୍ରୀ ମୋଦିଙ୍କ ଉପରେ ନାଟକ ପରିବେଷଣ କରିଥିଲେ। ଏଥିରେ ସ୍କୁଲର ଚତୁର୍ଥ, ପଞ୍ଚମ ଓ ଷଷ୍ଠ ଶ୍ରେଣୀର ଛାତ୍ରଛାତ୍ରୀ ସାମିଲ ହୋଇଥିଲେ। ଜାନୁଆରୀ ୨୬ ତାରିଖରେ ଭାରତୀୟ ଦଣ୍ଡ ବିଧାନ ଆଧାରରେ ସ୍କୁଲ ବିରୋଧରେ ପୋଲିସ୍ ମାମଲା ରୁଜୁ କରିଥିଲା। ସମାଜସେବୀ ନୀଲେଶଙ୍କ ଅଭିଯୋଗ ଆଧାରରେ ପୋଲିସ୍‌ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଓ ଜଣେ ଅଭିଭାବକଙ୍କୁ ଗିରଫ କରିଥିଲା। ମୋଦିଙ୍କୁ ନେଇ ମଞ୍ଚରେ ଖରାପ ଚିତ୍ରଣ କରାଯାଇଥିଲା।

ସୋସିଆଲ ମିଡିଆରେ ନାଟକର ଭିଡିଓ ଭାଇରାଲ ହେବା ପରେ ପୋଲିସ୍‌ ଓ ପ୍ରଶାସନ ତତ୍ପର ହୋଇ ଉଠିଥିଲେ। ପୋଲିସ୍‌ର କହିବା ଅନୁସାରେ ପିଲାମାନଙ୍କର କିଛି ଭୁଲ ନାହିଁ। ପ୍ରଧାନ ଶିକ୍ଷୟତ୍ରୀ ନାଟକ ପାଇଁ ଅନୁମତି ଦେବା ଏବଂ ଅଭିଭାବକ ଜଣଙ୍କ ପିଲାମାନଙ୍କୁ ହୁସ୍‌କାଇବା ଯୋଗୁଁ ଏଭଳି ଘଟଣା ଘଟିଛି। ସିଏବି ଓ ଏନ୍‌ଆର୍‌ସିକୁ ନେଇ ନାଟକ ମଞ୍ଚସ୍ଥ ହୋଇଥିଲା। ଯେଉଁଥିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିରୋଧ କରି ଗାଳି ଗୁଲଜ ମଧ୍ୟ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.