କବାଟରେ ତାଲା, ଝରକା ବନ୍ଦ, ସ୍କୁଲ୍‌ ଗଡ୍‌ରେଜ୍‌ରେ ନିଆଁ ଲାଗିଲା କେମିତି ? ଜରୁରୀ କାଗଜପତ୍ର ପୋଡ଼ି ପାଉଁସ

Published By : Prameya-News7 Bureau | September 10, 2021 IST

ଦାରିଙ୍ଗବାଡି,୧୦/୦୯: ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ଅଧିନରେ ଆସୁଥିବା କୁମ୍ଭାରୀଗାଁ ଗ୍ରାମ ପଞ୍ଚାୟତ ପାଡିକିଆ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଛି । ଗତ ବୁଧବାର ଦିନ ଅପରାହ୍ଣ ପ୍ରାୟ ୨ଟା ସମୟରେ ସ୍କୁଲ ଗୃହର ସମସ୍ତ ଝରକା କବାଟ ବନ୍ଦ ରହିଥିବା ସ୍ଥଳେ ଅଚାନକ ଭାବେ ନିଆଁଲାଗି ଧୂଁଆ ବାହାରିଥିଲା ।

ଏହାକୁ ହଠାତ୍‌ ଗ୍ରାମବାସୀ ଦେଖିବା ପରେ ଚକିତ ହୋଇଯାଇଥିଲେ। ଅଧିକରୁ ଅଧିକ ଧୂଆଁ ଦେଖି ଉପସ୍ଥିତ ଥିବା ଲୋକେ କବାଟ ତାଲା ଭାଙ୍ଗି ଦେଖିଥିଲେ । ଗଡ଼ରେଜରେ ଥିବା କାଗଜ ପତ୍ର ସହିତ ଖେଳଣା ସବୁ ପୋଡି ଯାଉଥିବା ଦେଖି ନିଆଁକୁ ଲିଭାଇଥିଲେ । ନିଆଁକୁ ଆୟତ କରି ଏହି ଘଟଣା ସମ୍ପର୍କରେ ସ୍କୁଲ ପ୍ରଧାନ ଶିକ୍ଷକ ରବି ମାଝୀଙ୍କୁ ଖବର ଦିଆଯାଇଥିଲା । ଶିକ୍ଷକ ଏହିଖବର ପାଇ ନିଜ ଗାଁରୁ ସ୍କୁଲକୁ ଆସି, ପରିସ୍ଥିତିକୁ ଅନୁଧ୍ୟାନକରି ସିଆରସିସିଙ୍କୁ ଜଣାଇବା ସହିତ ଗତକାଲି ବ୍ରାହ୍ମଣୀଗାଁ ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ।

ସ୍କୁଲ ଗୃହର ଚାରିପାଖ ଝରକା କବାଟ ବନ୍ଦ ଓ ମୁଖ୍ୟ ଦୁଆରରେ ତାଲା ପଡିଥିବା ସ୍ଥଳେ ନିଆଁ ଗଡରେଜରେ ଲାଗିଥିବାରୁ ଗ୍ରାମବାସୀ ସମେତ ଅନ୍ୟ ସମସ୍ତଙ୍କୁ ଚକିତ କରିଛି। ପ୍ରଧାନ ଶିକ୍ଷକଙ୍କ ଲିଖିତ ଅଭିଯୋଗ ପ୍ରକାରେ ଥାନା ଅଧିକାରୀ ଦଶରଥ ହେମ୍ବ୍ରମ ଆରକ୍ଷୀ ବାହିନୀ ସହିତ ପାଡିକିଆ ଗ୍ରାମରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିବା ସହିତ ତଦନ୍ତ ଜାରୀ ରଖିଥିବା ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.