ଅମାନୁଷିକ : ସ୍କୁଲରୁ ଫେରୁଥିବାବେଳେ ନାବାଳିକା ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଦୁଇ ଦୁର୍ବୁର୍ତ୍ତ, ଚିକିତ୍ସାଧୀନ ଅବସ୍ଥାରେ ନାବାଳିକାଙ୍କ ମୃତ୍ୟୁ

Published By : Prameya-News7 Bureau | December 20, 2018 IST

ଆଗ୍ରା ୨୦/୧୨ : ଦୁଇ ଦିନ ପୂର୍ବରୁ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ ଜଣେ ୧୫ ବର୍ଷ ବୟସ୍କା ନାବାଳିକା | ତାଙ୍କ ଶରୀରର ୭୦ ପ୍ରତିଶତ ପୋଡି ଯାଇଥିଲା | ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଯାଇଛି |


ସୂଚନାଯୋଗ୍ୟ ଯେ, ଆଗ୍ରାର ଗୋଟିଏ ଗାଁରେ ରହୁଥିବା ଦଶମ ଶ୍ରେଣୀରେ ପଢ଼ୁଥିବା ନାବାଳିକା ମଙ୍ଗଳବାର ଦିନ ସ୍କୁଲରୁ ଘରକୁ ଫେରୁଥିଲେ | ଏତିକି ବେଳେ ଦୁଇ ଜଣ ଦୁର୍ବୁର୍ତ୍ତ ବାଇକରେ ଆସି ନାବାଳିକାଙ୍କ ଉପରେ ପେଟ୍ରୋଲ ଢାଳି ଦେଇଥିଲେ ଏବଂ ଲାଇଟରରେ ନିଆଁ ଲଗାଇ ଦେଇଥିଲେ | ନାବାଳିକାଙ୍କୁ ତୁରନ୍ତ ଆଗ୍ରାର ଏସଏନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ତାଙ୍କ ଅବସ୍ଥା ଗୁରତର ହେବାରୁ ଡାକ୍ତର ତାଙ୍କୁ ଦିଲ୍ଲୀ ସଫଦରଜଙ୍ଗ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ | ଦୁଇ ଦିନ ଜୀବନ ସହ ସଂଗ୍ରାମ କରିବା ପରେ ଆଜି ତାଙ୍କର ମୃତ୍ୟୁ ହୋଇଯାଇଛି |


ଡାକ୍ତରଙ୍କ କହିବାନୁଯାୟୀ, ନାବାଳିକାଙ୍କ ଶରୀରର ୭୦ ପ୍ରତିଶତ ଭାଗ ପୋଡିଯାଇଥିଲା | ଫୁସଫୁସରେ ଧୂଆଁ ଜମାଟ ବାନ୍ଧି ଦେଇଥିବାରୁ ତାଙ୍କୁ ନିଶ୍ଵାସ ପ୍ରଶ୍ୱାସ ନେବାରେ ଅସୁବିଧା ହେଉଥିଲା | ଯେଉଁଥିପାଇଁ ତାଙ୍କୁ ବୁଧବାର ଦିନ ଭେଣ୍ଟିଲେଟରରେ ରଖାଯାଇଥିଲା | ତଥାପି ଡାକ୍ତର ତାଙ୍କୁ ବଂଚେଇ ପାରିଲେ ନାହିଁ | ବିଳମ୍ବିତ ରାତିରେ ସେ ସବୁଦିନ ପାଇଁ ଆଖି ମୁଜିଥିଲେ | 

{"id":65832}


ଘଟଣା ଦିନ ଡିଜିପି ଓପି ସିଂ ଆଗ୍ରା ଯାଇଥିଲେ ସେଠାକାର ଆଇନ ବ୍ୟବସ୍ଥା ତଦାରଖ କରିବା ପାଇଁ | ସେ ଯେଉଁ ହୋଟେଲରେ ଥିଲେ ତାର ୧୫ କି:ମି: ଦୂରରେ ଘଟିଥିଲା ଏଭଳି ଅମାନୁଷିକ କାଣ୍ଡ | ମୀଟିଙ୍ଗ ପାଇଁ ସମସ୍ତ ସିନିଅର ପୋଲିସ ଅଫିସର ହୋଟେଲରେ ଉପସ୍ଥିତ ଥିଲେ |


ଘଟଣାସ୍ଥଳରୁ ପୋଲିସ ଲାଇଟର ଜବତ କରିଛି | ଯେଉଁ ଲାଇଟରରେ ନାବାଳିକାଙ୍କୁ ପୋଡି ଦିଆଯାଇଥିଲା | ଘଟଣାର ତଦନ୍ତ ପାଇଁ ଏକ ପୋଲିସ ଟିମ ଗଠନ କରାଯାଇଛି | ପୋଲିସ ନାବାଳିକାଙ୍କ ସାଙ୍ଗଙ୍କୁ ଏହି ବିଷୟରେ ପଚାରି ବୁଝିଥିଲା କିନ୍ତୁ କେହି କିଛି ଜାଣିନଥିବା କହିଥିଲେ | କାହା ସହିତ କୌଣସି ପ୍ରକାର ଶତ୍ରୁତା ନଥିବା ନାବାଳିକାଙ୍କ ପରିବାର ଲୋକେ ପୋଲିସକୁ କହିଛନ୍ତି | ବାଇକ ଆସିଥିବା ଦୁଇ ଦୁର୍ବୁର୍ତ୍ତ ହେଲ୍ମେଟ ପିନ୍ଧିଥିଲେ ଯେଉଁଥିପାଇଁ ତାଙ୍କୁ କେହି ଚିହ୍ନି ପାରିନଥିବା ଏସପି ସୂଚନା ଦେଇଛନ୍ତି | ପୋଲିସ ଘଟଣାର ତଦନ୍ତ ଜାରି ରଖିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.