ପ୍ରକୃତ ବନ୍ଧୁ ଭାଗ୍ୟରେ ଥିଲେ ମିଳନ୍ତି: ବାତ୍ୟାରେ ଉଡିଯାଇଥିଲା ଘର ଛାତ, ସ୍କୁଲ ସାଙ୍ଗ ଦୀପାବଳିରେ ଉପହାର ଦେଲେ ନୂଆ ଘର

Published By : Prameya-News7 Bureau | November 18, 2020 IST

ଚେନ୍ନାଇ ୧୮/୧୧ : କଥାରେ ଅଛି ବିପଦରେ ଛିଡା ହେଉଥିବା ବନ୍ଧୁ ହିଁ ପ୍ରକୃତ ବନ୍ଧୁ। ସେଥିପାଇଁ ବନ୍ଧୁତାର ଅନେକ ମହତ୍ତ୍ୱ ରହିଛି। କିଛି ବନ୍ଧୁ ପିଲାଦିନୁ ଆଜୀବନ ବନ୍ଧୁ ହୋଇ ରୁହନ୍ତି। ଏହିଭଳି ବନ୍ଧୁ ସବୁ ଦୁଃଖ ସୁଖରେ ସାଙ୍ଗରେ ରୁହନ୍ତି। ଯେକୌଣସି ସମସ୍ୟା ହେଲେ ସେମାନେ ଆଗ ସାମ୍ନା କରନ୍ତି ଏବଂ ସବୁ ପ୍ରକାର ସାହାଯ୍ୟ ପାଇଁ ପ୍ରସ୍ତୁତ ଥାଆନ୍ତି। ଏମିତି ବନ୍ଧୁ ଭାଗ୍ୟରେ ଥିଲେ ମିଳନ୍ତି। ଏହିଭଳି ବନ୍ଧୁତ୍ୱର ଜୀବନ୍ତ ପରିଚୟ ଦେଇଛନ୍ତି ତାମିଲନାଡୁର କିଛି ଯୁବକ। କିଛି ସ୍କୁଲ ବନ୍ଧୁ ନିଜ ସାଙ୍ଗକୁ ଦୀପାବଳି ଦିନ ଏକ ଘର ଉପହାର କରିଛନ୍ତି।

ତାମିଲନାଡୁ ପୁଡୁକ୍କୋଟ୍ଟୋଇରେ ରହୁଥିବା ୪୪ ବର୍ଷ ବୟସ୍କ ମୁଥୁକୁମାର ଜଣେ ଟ୍ରକ ଚାଳକ। ତାଙ୍କର ମାସିକ ରୋଜଗାର ୧୫ ହଜାର ଟଙ୍କା। ଏତିକି ଟଙ୍କାରେ ସେ ନିଜ ପରିବାର ଭରଣପୋଷଣ କରନ୍ତି। କରୋନା ମହାମାରୀ ଯୋଗୁଁ ଦେଶରେ ଲାଗୁ ହୋଇଥିବା ଲକଡାଉନ ଯୋଗୁଁ ତାଙ୍କ ଚାକିରୀ ଚାଲିଗଲା। ମାସିକ ସେ ଯେଉଁ ୧୫ ହଜାର ଟଙ୍କା ପାଉଥିଲେ ତାହା କମି ୨ ହଜାର ଟଙ୍କା ହୋଇଗଲା। ପରିବାର ଭରଣପୋଷଣ ପାଇଁ ଅନେକ ଅସୁବିଧା ହେଲା। ଫଳରେ ସେ ଚିନ୍ତିତ ହୋଇପଡିଲେ। ଆଜିକା ସମୟରେ ୨ ହଜାର ଟଙ୍କାରେ ଗୋଟିଏ ପରିବାର ପୋଷିବା ସମ୍ଭବ ନୁହେଁ।

କରୋନା ମହାମାରୀ ଯାହା କଲା ପୁଣି ଗାଜା ବାତ୍ୟା ଆହୁରି ସମସ୍ୟା ଛିଡା କଲା। ବାତ୍ୟା ତାଙ୍କ ମୁଣ୍ଡ ଉପରେ ବଜ୍ର ଭଳି ପଡିଲା। ବାତ୍ୟା ଯୋଗୁଁ ତାଙ୍କ ଘର ଛାତ ଉଡ଼ିଗଲା। ଘର ଆଖପାଖରେ ଅନେକ ଗଛ ମଧ୍ୟ ଭାଙ୍ଗି ଯାଇଥିଲା। ଘର ଛାତ ଉଡିଯିବାରୁ ତାଙ୍କ ପରିବାର ନାନା ଅସୁବିଧାର ସମ୍ମୁଖୀନ ହେଲା। କିନ୍ତୁ ଟଙ୍କା ନ ଥିବାରୁ ସେ ଘର ମରାମତି ମଧ୍ୟ କରିପାରୁନଥିଲେ। 

କିଛି ମାସ ପୂର୍ବରୁ ମୁଥୁକୁମାରଙ୍କ ସାକ୍ଷାତ ନିଜର ଜଣେ ସ୍କୁଲ ବନ୍ଧୁଙ୍କ ସହ ହୋଇଥିଲା। ତାଙ୍କର ଜଣେ ଶିକ୍ଷକଙ୍କ ଘରେ ପୁରୁଣା ଛାତ୍ରଛାତ୍ରୀଙ୍କର ରିୟୁନିୟନ ଥିଲା। ସେଠାରେ ମୁଥୁକୁମାରଙ୍କର ନିଜର ବନ୍ଧୁ ସହ ଦେଖାହେଲା। ମୁଥୁକୁମାର ନିଜ ବନ୍ଧୁ କେ.ନଗେନ୍ଦ୍ରନଙ୍କୁ ନିଜ ଘରକୁ ଆମନ୍ତ୍ରିତ କରିଥିଲେ। କେ.ନଗେନ୍ଦ୍ରନ ବନ୍ଧୁର ଆମନ୍ତ୍ରଣ ସ୍ୱୀକାର କରି ତାଙ୍କ ଘରକୁ ଗଲେ। କିନ୍ତୁ ସେଠାରେ ନିଜ ବନ୍ଧୁ ଓ ତାଙ୍କ ପରିବାରର ଏହିଭଳି ଅବସ୍ଥା ଦେଖି ଅତ୍ୟନ୍ତ ଦୁଃଖିତ ହୋଇଗଲେ। ଏହାପରେ ସେ ନିଜ ବନ୍ଧୁ ମୁଥୁକୁମାରଙ୍କୁ ସାହାଯ୍ୟ କରିବାକୁ ମନସ୍ଥ କରି ଯୋଜନା କଲେ।

ନଗେନ୍ଦ୍ରନ ଏଥିପାଇଁ ସୋସିଆଲ ମିଡ଼ିଆର ସାହାଯ୍ୟ ନେଲେ। ହ୍ୱାଟ୍ସଆପରେ ଏକ ଗ୍ରୁପ କଲେ। ଏହି ଗ୍ରୁପରେ ସେ ସ୍କୁଲ ସାଙ୍ଗମାନଙ୍କୁ ସାମିଲ କଲେ। ସ୍କୁଲ ସାଙ୍ଗମାନଙ୍କୁ ମଧ୍ୟ ସାହାଯ୍ୟ ପାଇଁ ଅପିଲ କଲେ। କିଛି ଦିନରେ ତାଙ୍କ ପାଖରେ ଦେଢ଼ ଲକ୍ଷ ଟଙ୍କା ଜମା ହୋଇଗଲା। ଏହି ଟଙ୍କାରେ ଏକ ନୂଆ ଘର କରି ସାଙ୍ଗମାନେ ମୁଥୁକୁମାରଙ୍କୁ ଦୀପାବଳି ଦିନ ଉପହାର ଦେଲେ। ସାଙ୍ଗମାନଙ୍କ ଠାରୁ ନୂଆ ଘର ଉପହାରରେ ପାଇ ମୁଥୁକୁମାର ଖୁସିରେ କାନ୍ଦି ପକାଇଲେ। ସେ ବିଶ୍ୱାସ କରିପାରିଲେନି ତାଙ୍କ ସାଙ୍ଗମାନେ ତାଙ୍କ ପାଇଁ ଏତେ ବଡ କାମ କରିଛନ୍ତି। ସାହାଯ୍ୟ ପାଇଁ ସେ ନିଜ ସାଙ୍ଗମାନଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି। ଏହି ଋଣ ସେ ଜୀବନରେ କେବେ ବି ସୁଝିପାରିବେନି ବୋଲି କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.