ସ୍କୁଲ୍ ଫି’ ଛାଡ଼ ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ, ଗଣଶିକ୍ଷା ସଚିବଙ୍କ ମଧ୍ୟସ୍ଥତାରେ ହେବ ଆପୋସ ଆଲୋଚନା…
2/09/2020 at 12:45 PM

କଟକ ୦୨।୦୯: କୋଭିଡ୍ ସଂକ୍ରମଣ ସମୟରେ ସ୍କୁଲ୍ ଫି’ ଛାଡ ପ୍ରସଂଗକୁ ନେଇ ଲାଗି ରହିଥିବା ବିବାଦର ସମାଧାନ ପାଇଁ ଅଭିଭାବକ ସଂଘ ଏବଂ ଶିକ୍ଷକ ସଂଘ ମଧ୍ୟରେ ବୈଠକ ବସି ଆପୋସ ସମାଧାନର ରାସ୍ତା ବାହାର କରିବାକୁ ହାଇକୋର୍ଟ ପ୍ରସ୍ତାବ ଦେଇଛନ୍ତି । ଉଭୟପକ୍ଷଙ୍କ ମଧ୍ୟରେ ମଧ୍ୟସ୍ଥତା କରିବେ ଗଣଶିକ୍ଷା ସଚିବ । ଆସନ୍ତା ଶୁକ୍ରବାର କିମ୍ବା ଶନିବାର ଏହି ବୈଠକ ବସିବ । ବୈଠକରୁ ଯାହା ନିଷ୍କର୍ଷ ଆସିବ ସେ ସଂକ୍ରାନ୍ତରେ ଆସନ୍ତା ସପ୍ତାହରେ ହେବାକୁ ଥିବା ଶୁଣାଣିରେ ଅଦାଲତଙ୍କୁ ଅବଗତ କରାଯିବ ।
ସ୍କୁଲ୍ ଫି’ ଛାଡକୁ ନେଇ ଓଡିଶା ଅଭିଭାବକ ମହାସଂଘ, ପ୍ରହଲ୍ଲାଦ ରାଉତ ଏବଂ ଅନ୍ୟମାନଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ମହମ୍ମଦ ରଫିକ୍ ଏବଂ ବିଚାରପତି ଜଷ୍ଟିସ୍ କେ.ଆର. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି ।
କରୋନା ସଂକ୍ରମଣ ଆରମ୍ଭ ହେବା ଦିନଠାରୁ ଘରୋଇ ବିଦ୍ୟାଳୟଗୁଡିକ ଛାତ୍ରଛାତ୍ରୀଙ୍କ ଲାଗି ବନ୍ଦ ରହିଛି । କିନ୍ତୁ ସ୍କୁଲ୍ ବନ୍ଦ ରହିଥିଲେ ମଧ୍ୟ ବିଦ୍ୟାଳୟଗୁଡିକ ପୂର୍ବଭଳି ସ୍କୁଲ୍ ଫି’ ଆଦାୟ ପାଇଁ ଅଭିଭାବକମାନଙ୍କୁ ଚିଠି ଲେଖିବାରୁ ଓ ବାର୍ତ୍ତା ଦେବାରୁ ଏନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା । ସ୍କୁଲ୍ କର୍ତ୍ତୃପକ୍ଷଙ୍କ ଏଭଳି ନିଷ୍ପତ୍ତିକୁ ଚାଲେଞ୍ଜ କରି ଆବେଦନକାରୀମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
ସେମାନଙ୍କ ଯୁକ୍ତି ଥିଲା ଯେ, ଚଳିତ ବର୍ଷ ସ୍କୁଲ୍ ବନ୍ଦ ଥିବାରୁ ବିଦ୍ୟୁତ୍ ଖର୍ଚ୍ଚ ନାହିଁ କହିଲେ ଚଳେ । ସ୍କୁଲ୍ରେ ଶିକ୍ଷା ଦିଆଯାଉନଥିବାରୁ ପିଲାଙ୍କ ଯାତାୟାତ ମଧ୍ୟ ବନ୍ଦ ରହିଛି । ଯେଉଁଥିପାଇଁ ଗାଡ଼ି ଖର୍ଚ୍ଚ ମଧ୍ୟ ନାହିଁ । ଏ ସବୁକୁ ଦୃଷ୍ଟିରେ ରଖି ଘରୋଇ ସ୍କୁଲ୍ କର୍ତ୍ତୃପକ୍ଷ ସ୍କୁଲ୍ ଫି’ କମ୍ କରିବା ଉଚିତ୍ । କିନ୍ତୁ ସ୍କୁଲ୍ କର୍ତ୍ତୃପକ୍ଷ ସ୍କୁଲ୍ ଫି’ କମ୍ କରିବା ପରିବର୍ତ୍ତେ ସମ୍ପୂର୍ଣ୍ଣ ଫି’ ନେବା ଲାଗି ଜୋର୍ ଦେଉଛନ୍ତି । ଅପରପକ୍ଷରେ ବର୍ଦ୍ଧିତ ସ୍କୁଲ୍ ଫି’ ନଦେବାରୁ ସେମାନଙ୍କ ପିଲାଙ୍କୁ ଅନ୍ଲାଇନ୍ ଶିକ୍ଷା ପ୍ରଦାନରୁ ବଞ୍ଚିତ କରାଯାଉଛି ବୋଲି କିଛି ଅଭିଭାବକ ଅଦାଲତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ହାଇକୋର୍ଟ ଏହାର ବିଚାର କରି ଅଭିଭାବକ ସ୍କୁଲ୍ ଫି’ ଦେଇଥାନ୍ତୁ ବା ଦେଇନଥାନ୍ତୁ ସେମାନଙ୍କ ପିଲା କିନ୍ତୁ ପାଠପଢାରୁ ବଞ୍ଚିତ ହେବେ ନାହିଁ ବୋଲି ଏକ ଅନ୍ତରୀଣ ନିର୍ଦ୍ଦେଶନାମାରେ ସ୍ପଷ୍ଟ କରିଥିଲେ । ଆଜି ଏହି ମାମଲାର ଶୁଣାଣି କରି ହାଇକୋର୍ଟ ଉଭୟ ପକ୍ଷ ଆପୋସ ଆଲୋଚନା ଭିତ୍ତିରେ ସମସ୍ୟାର ସମାଧାନ କରିବାକୁ ପ୍ରସ୍ତାବ ଦେଇଛନ୍ତି । ଘରୋଇ ବିଦ୍ୟାଳୟ ସଂଘ ପକ୍ଷରୁ ବରିଷ୍ଠ ଆଇନଜୀବୀ ବୁଦ୍ଧଦେବ ରାଉତରାୟ, ପ୍ରହ୍ଲାଦ ରାଉତଙ୍କ ପକ୍ଷରୁ ଆଇନଜୀବୀ ରଞ୍ଜନ କୁମାର ରାଉତ ଏବଂ ଅଭିଭାବକ ସଂଘ ପକ୍ଷରୁ ଆଇନଜୀବୀ ବିଭୂତି ଭୂଷଣ ଚୌଧୁରୀ ମାମଲା ପରିଚାଳନା କରୁଛନ୍ତି ।