ପୁଣି ଉପରମୁହାଁ କରୋନା ଗ୍ରାଫ୍: ସ୍କୁଲ-କଲେଜ, କୋଚିଂ ବନ୍ଦ, ଅଯଥା ବୁଲିଲେ ହେବ କାର୍ଯ୍ୟାନୁଷ୍ଠାନ

Published By : Prameya-News7 Bureau | February 21, 2021 IST

ମୁମ୍ବାଇ ୨୧/୦୨ : ମହାରାଷ୍ଟ୍ରରେ କରୋନା ସଂକ୍ରମଣ ମାମଲା ପୁଣି ବୃଦ୍ଧି ପାଇଛି। ବୃଦ୍ଧି ପାଉଥିବା ସଂକ୍ରମଣ ମାମଲାକୁ ଦୃଷ୍ଟିରେ ରଖି ଉଦ୍ଧବ ଠାକରେ ବଡ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ତରଫରୁ ପୁନେରେ ସରକାରୀ ସ୍କୁଲ ଓ କଲେଜ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। କୋଚିଂ ସେଣ୍ଟର ନ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ସରକାର ସ୍ପଷ୍ଟ କରିଛନ୍ତି ଯେ ରାଜ୍ୟରେ ମାମଲା ଲଗାତାର ବୃଦ୍ଧି ପାଇଲେ ୧୨ ଘଣ୍ଟା ନାଇଟ କର୍ଫ୍ୟୁ ଲଗାଯାଇପାରେ।

ବୃଦ୍ଧି ପାଉଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ହୋଟେଲ, ରେସ୍ତୋରାଁ ଓ ବାର ରାତି ୧୧ଟା ଯାଏଁ ଖୋଲିବା ପାଇଁ ଅନୁମତି ଦିଆଯାଇଛି। ପୁନେରେ ମାଇକ୍ରୋ କଣ୍ଟନମେଣ୍ଟ ପୁଣି ଆରମ୍ଭ କରିବାକୁ କୁହାଯାଇଛି। ରାତି ୧୧ଟା ପରେ ବିନା କାରଣରେ ବୁଲିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପୁନେରେ କରୋନା ଟେଷ୍ଟିଙ୍ଗ ବଢାଇବାକୁ କୁହାଯାଇଛି। ବିବାହ ସମାରୋହ, ସମ୍ମିଳନୀ ଓ ରାଲିରେ ମାତ୍ର ୨୦୦ ଲୋକଙ୍କୁ ସାମିଲ ହେବାକୁ ଅନୁମତି ଦିଆଯାଇଛି। ସବୁ ପ୍ରକାର କାର୍ଯ୍ୟକ୍ରମ ପାଇଁ ପୋଲିସର ଲିଖିତ ଅନୁମତି ଅନିବାର୍ଯ୍ୟ।

ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ବିଜୟ ବଡେଟ୍ଟିବାର ରାଜ୍ୟରେ ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି କହିଛନ୍ତି ଯେ ସଂକ୍ରମଣ ମାମଲା ଏହିଭଳି ବୃଦ୍ଧି ପାଇଲେ ଆଗକୁ ନାଇଟ୍ କର୍ଫ୍ୟୁ ଲଗାଯାଇପାରେ। କର୍ଫ୍ୟୁ ସମୟରେ ବିବାହ ମଣ୍ଡପ, ସିନେମାହଲ, ଭିଡ ସ୍ଥାନ ସମ୍ପୂର୍ଣ୍ଣ ବନ୍ଦ ରହିବ। ସନ୍ଧ୍ୟା ୫ଟା ରୁ ସନ୍ଧ୍ୟା ୫ଟା ଯାଏଁ କଟକଣା ଜାରି କରିବାକୁ ସରକାର ବିଚାର କରୁଛନ୍ତି।

ଥାନେରେ ୫୦୮ ନୂଆ କରୋନା ମାମଲା ସାମ୍ନାକୁ ଆସିଛି। ଥାନେରେ ଏବେ ସୁଦ୍ଧା ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୬୦ ହଜାର ୧୭୬ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ୮ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.