ନୂଆ ବର୍ଷ ଯାଏଁ ସ୍କୁଲ ଛୁଟି, କୋଭିଡ୍‌ର ଦ୍ଵିତୀୟ ଲହରରେ ଆଶଙ୍କାରେ ନିଷ୍ପତ୍ତି ବଦଳାଇଲେ ସରକାର

Published By : Prameya-News7 Bureau | November 06, 2020 IST

ଭୁବନେଶ୍ଵର ୦୬।୧୧:  କରୋନା ମହାମାରୀର ଦ୍ଵିତୀୟ ଲହରର ଆଶଙ୍କାକୁ ଦୃଷ୍ଟିରେ ରଖି ଡିସେମ୍ବର ୩୧ ବର୍ଷ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏ ନେଇ ସୂଚନା ଦେଇଛନ୍ତି। ଏହା ପୂର୍ବରୁ ରାଜ୍ୟ ସରକାର ସ୍କୁଲ ଖୋଲିବା ନେଇ ପ୍ରକ୍ରିୟା ଆରମ୍ଭ କରିଥିଲେ। ହେଲେ ସ୍କୁଲ ଖୋଲିବାର ତିନି ଦିନ ଭିତରେ ଆନ୍ଧ୍ର ପ୍ରଦେଶରେ ୨୬୧ ଛାତ୍ର-ଛାତ୍ରୀ କରୋନା ସଂକ୍ରମିତ ହେବାରୁ ଓଡିଶା ସରକାର ନିଷ୍ପତ୍ତି ବଦଳାଇଥିଲେ। ହେଲେ କରୋନା ପାଇଁ ରାଜ୍ୟ ସରକାର ଚଳିତ ବର୍ଷ ସ୍କୁଲ ଆଉ ନଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି।

ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ସୁରକ୍ଷାକୁ ଗୁରୁତ୍ବ ଦେଇ ରାଜ୍ୟ ସରକାର ନିଷ୍ପତ୍ତି ବଦଳାଇଛନ୍ତି । ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ। ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ। ପରେ ଛାତ୍ରଛାତ୍ରୀ ଙ୍କ ସ୍ବାର୍ଥ କୁ ଦୃଷ୍ଟିରେ ରଖି , ନୂଆ ଗାଇଡ୍ ଲାଇନ୍ ଆସିବ । ଏହାପରେ ନିଆଯିବ ନିଷ୍ପତ୍ତି । ଡିସେମ୍ବରରେ କରୋନାର ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଆଶଙ୍କା ରହିଛି। ଏଭଳି ସ୍ଥିତିରେ ସ୍କୁଲ ଖୋଲିବା ଛାତ୍ରଛାତ୍ରୀଙ୍କୁ ପ୍ରଭାବିତ କରିପାରେ, ଏ ଆଶଙ୍କା ରହିଛି। ତେଣୁ ଚଳିତ ବର୍ଷ ଡିସେମ୍ବର ୩୧ ଯାଏ ସ୍କୁଲ ବନ୍ଦ ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

୮ ମାସରୁ ଅଧିକ ହେଲାଣି ସ୍କୁଲ କ୍ୟାମ୍ପସ ମାଡି ନାହାନ୍ତି ଛାତ୍ର ଛାତ୍ରୀ। ଯଦିଓ ପିଲାମାନଙ୍କୁ ବିଭିନ୍ନ ସ୍କୁଲ ପକ୍ଷରୁ ଅନଲାଇନ କ୍ଲାସ ସୁବିଧା ଯୋଗାଇ ଦିଆଯାଉଛି ତଥାପି ତାହା ଛାତ୍ର ଛାତ୍ରୀଙ୍କ ପାଇଁ ପ୍ରଭାବଶାଳୀ ହୋଇ ପାରିନି। ପୁର୍ବରୁ ନଭେମ୍ବର ୧୬ରୁ ନବମରୁ ଦ୍ବାଦଶ ଶ୍ରେଣୀ ଯାଏଁ ଖୋଲିବାକୁ ରାଜ୍ୟ ସରକାର ଗାଇଡ୍‌ଲାଇନ୍‌ ଜାରି କରିଥିଲେ । ସେପେଟେ ନଭେମ୍ବର ୧୫ ପରେ ସ୍କୁଲ ଖୋଲିବାକୁ ବିଭାଗ ତାରିଖ ଧାର୍ଯ୍ୟ କରିପାରିବ ବୋଲି ସାନି ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ କରିଥିଲେ ଏସଆରସି । ଡିସେମ୍ବର ରେ କରୋନାର ଦ୍ବିତୀୟ ଲହର ଆସିବା ନେଇ ବିଶେଷଜ୍ଞ ମତ ପ୍ରକାଶ ପାଇବାପରେ ଏବେ ଚିନ୍ତାରେ ସରକାର । ସେପଟେ ପିଲାମାନେ ଅନ୍ତତ ପକ୍ଷେ ତିନି ମାସ କ୍ଲାସ ରୁମ ପ୍ରସ୍ତୁତି କରିବା ସହ, ଭ୍ୟାକସିନ ନ ଆସିବା ପର୍ଯ୍ୟନ୍ତ ସ୍କୁଲ ନ ଖୋଲିବା ନେଇ ମତ ପ୍ରକାଶ କରିଥିଲେ ଅଭିଭାବକ ଏବଂ ବିଶେଷଜ୍ଞ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.