ଏପ୍ରିଲ ୧୮ ଯାଏଁ ସ୍କୁଲ ବନ୍ଦ, ହେବନି ପାଠପଢା : କରୋନା ସଂକ୍ରମଣ ବଢିବା ପରେ ସରକାରଙ୍କ ବଡ ନିଷ୍ପତ୍ତି

Published By : Prameya-News7 Bureau | April 04, 2021 IST

ଶ୍ରୀନଗର,୦୪/୦୪ :  ଦେଶର ସମସ୍ତ ରାଜ୍ୟରେ କରୋନା ଭାଇରସର ପ୍ରକୋପ ବଢିଚାଲିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୩ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୦୦ରୁ ଅଧିକ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏକ ଉଚ୍ଚସ୍ତରୀୟ ବୈଠକ ଡାକି କରୋନା ସ୍ଥିତିର ସମୀକ୍ଷା କରିଛନ୍ତି । ତେବେ ଅନେକ ରାଜ୍ୟରେ ସଂକ୍ରମଣ ବଢିବା ପରେ ସରକାରଙ୍କ ତରଫରୁ କଡା ପଦକ୍ଷେପ ନିଆଯାଉଛି ।

କରୋନା ସଂକ୍ରମଣର ବିପଦକୁ ଦେଖି ଜମ୍ମୁ-କାଶ୍ମୀର ଉପରାଜ୍ୟପାଳ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଥମରୁ ୯ମ ଶ୍ରେଣୀ ଯାଏଁ କ୍ଲାସକୁ ୨ ସପ୍ତାହ ଓ ଦଶମରୁ ଦ୍ୱାଦଶ ଯାଏଁ ଗୋଟିଏ ସପ୍ତାହ ସ୍କୁଲ ବନ୍ଦ ରହିବ । ଅର୍ଥାତ ପ୍ରଥମରୁ ନବମ ଶ୍ରେଣୀ କ୍ଲାସ ଆସନ୍ତା ୧୮ ତାରିଖ ଯାଏଁ ବନ୍ଦ ରହିବ । ସେହିପରି ଏପ୍ରିଲ ୧୧ ଯାଏଁ ଦଶମରୁ ଦ୍ୱାଦଶ ଯାଏଁ ପାଠପଢା ବନ୍ଦ ରଖାଯିବ ।  ଏପ୍ରିଲ ୫ ତାରିଖରୁ ଏହି ନିର୍ଦ୍ଦେଶ ଲାଗୁ ହେବ ।

ସ୍କୁଲ ବନ୍ଦ ନେଇ ଉପ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ତରଫରୁ ରବିବାର ସକାଳେ ଟ୍ୱିଟ୍ ଜରିଆରେ ସୂଚନା ଦିଆଯାଇଛି । ଏହାସହ ସମସ୍ତ କାର୍ଯ୍ୟକ୍ରମରେ ସର୍ବାଧିକ ୨୦୦ ଅତିଥି ଯୋଗଦେବା ପାଇଁ ଗାଇଡଲାଇନ୍ ଜାରି କରାଯାଇଛି ।

ସୂଚନାଯୋଗ୍ୟ, ଜମ୍ମୁ-କାଶ୍ମୀରରେ ଏବେ ଅଧିକାଂଶ ଶିଶୁ କରୋନା ସଂକ୍ରମିତ ହେଉଥିବା ଲକ୍ଷ୍ୟ କରାଯାଉଛି । ଫଳରେ ଶିଶୁଙ୍କ ପ୍ରତି ସଂକ୍ରମଣ ବିପଦ ବୃଦ୍ଧି ପାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.