ଭଲନାହିଁ କାଳିଆର ସ୍ବାସ୍ଥାବସ୍ଥା, ଏମ୍‌ସ ଡାକ୍ତରଙ୍କ ସହ ଆଲୋଚନା କଲେ ଏସ୍‌ସିବି ଡାକ୍ତରୀ ଟିମ୍

Published By : Prameya-News7 Bureau | September 28, 2019 IST

କଟକ ୨୮।୯: ଭଲନାହିଁ କାଳିଆର ସ୍ବାସ୍ଥାବସ୍ଥା । କଟକ ଏସସିବିରେ ଚିକିତ୍ସିତ ହେଉଛନ୍ତି ଜଗା-କାଳିଆ । ଜଗା ସୁସ୍ଥ ଥିବାବେଳେ କାଳିଆର ସ୍ବାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଛି । ଗତକାଲି କାଳିଆ ଅସୁସ୍ଥ ହେବାରୁ ତାକୁ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଥିଲା । ଏସସିବିର ସ୍ବତନ୍ତ୍ର ଡାକ୍ତରୀ ଟିମ୍ କାଳିଆର ଚିକିତ୍ସାରେ ଲାଗିପଡିଛନ୍ତି ।

କାଳିଆର ସ୍ବାସ୍ଥ୍ୟାବସ୍ଥା ସ୍ଥିତିକୁ ନେଇ ଆଜି ଏସ୍‌ସିବି ଡାକ୍ତରୀ ଟିମ୍‌ ଏମ୍‌ସ ଡାକ୍ତରଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି । ସେହିପରି ଦୁଇ ଦିନ ତଳେ ବନ୍ଦ କରିଦିଆଯାଇଥିବା ଆଣ୍ଟିବାୟୋଟିକ୍‌ ଇଞ୍ଜେକସନ୍‌ ପୁଣି କାଳିଆକୁ ଦିଆଯାଉଥିବା ସୂଚନା ମିଳିଛି ।

ଭିଡିଓ କନଫରେନ୍ସିଂ ପରେ ଏସ୍‌ସିବି ଜରୁରୀକାଳୀନ ଭୁବନାନନ୍ଦ ମହାରାଣା କହିଛନ୍ତି ଯେ, କାଳିଆର ସ୍ବାସ୍ଥ୍ୟାବସ୍ଥା ଜଟିଳ ରହିଛି । ଏବେବି କାଳିଆକୁ ଭେଣ୍ଟିଲେଟରରେ ରଖାଯାଇଛି । ଛାତିରେ ସଂକ୍ରମଣ ଓ ନିମୋନିଆରେ କାଳିଆ ପୀଡ଼ିତ ।ଏମ୍ସ ଡାକ୍ତରଙ୍କ ପରାମର୍ଶକ୍ରମେ କିଛି ପରୀକ୍ଷା କରାଯାଇଛି । ରିପୋର୍ଟ ଆସିବା ପରେ ଏମ୍ସ ଡାକ୍ତରଙ୍କ ପରାମର୍ଶ କ୍ରମେ ଚିକିତ୍ସା ହେବ ।

ସୁସ୍ଥ ଥିବା କାଳିଆର ସ୍ବାସ୍ଥ୍ୟାବସ୍ଥା ହଠାତ୍‌ କ’ଣ ପାଇଁ ଖରାପ ହେଲା ସେ ସମ୍ପର୍କରେ ଜାଣିବା ପାଇଁ ଶିଶୁ ରୋଗ ବିଭାଗ, ପଲ୍‌ମୁନାରୀ ମେଡିସିନ୍‌, ନିଶ୍ଚେତନ, ନ୍ୟୁରୋ ସର୍ଜରୀ, ନ୍ୟୁରୋଲୋଜି ଆଦି ବିଭାଗ ଡାକ୍ତର, ଶିଶୁ ଭବନର ଅଧୀକ୍ଷକ ଓ ଅନ୍ୟ ଡାକ୍ତରଙ୍କୁ ନେଇ ଗତକାଲି ଏସ୍‌ସିବିରେ ଏକ ଜରୁରୀ ବୈଠକ ବସିଥିଲା ।

ସୂଚନାଯୋଗ୍ୟ ଗତ ଅଗଷ୍ଟ ମାସ ୮ ତାରିଖରେ ଯୋଡା ମୁଣ୍ଡରୁ ଅଲଗା ହୋଇଥିବା ଦୁଇ ଭାଇ ଜଗା- କାଳିଆଙ୍କୁ ଦିଲ୍ଲୀ ଏମସରୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା । ଜଗା-କାଳିଆଙ୍କ ଚିକିତ୍ସା ପାଇଁ ଏସସିବିରେ ୧୪ ଜଣିଆ ଡାକ୍ତରୀ ଟିମ୍ ନିୟୋଜିତ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.