ଭଦ୍ରକ ଜିଲ୍ଲାର ୧୮ଟି ଥାନାରେ ପୋଲିସ ଅଧିକାରୀ ଅଭାବ: ହୋଇପାରୁନି ତଦନ୍ତ, ପଡି ରହିଛି ୧୫ଶହ ମାମଲା
17/07/2019 at 7:18 PM

ଭଦ୍ରକ୧୭|୭: ବଢିଛି ଲୋକ ସଂଖ୍ୟା , ବଢୁଛି ଅପରାଧ । ତେବେ ବଢୁ ନାହିଁ ପୋଲିସ ପଦବୀ , ବଢିବା ତ ଦୂରର କଥା , ଖାଲି ପଡିଥିବା ପଦବୀ ପୂରଣ ହେଉ ନାହିଁ । ପୋଲିସ ନଥିବାରୁ ଶହ ଶହ ମାମଲାର ତଦନ୍ତ ହୋଇ ପାରୁ ନାହିଁ । ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା ସହ ଲୋକଙ୍କୁ ନ୍ୟାୟ ଦେଇ ପାରୁନି ପୋଲିସ । ଭଦ୍ରକ ଜିଲ୍ଲାରେ ଏବେ ପୋଲିସ ସଙ୍କଟ , ଅନେକ ପୋଲିସ ବାବୁଙ୍କ ଚୌକି ଖାଲି ପଡିଛି , ଆଉ ତଦନ୍ତକୁ ଅପେକ୍ଷା କରି ପଡି ରହିଛି ପନ୍ଦର ଶହ ମାମଲା ।

ଭଦ୍ରକ ଜିଲ୍ଲାରେ ରହିଛି ୧୮ଟି ଥାନା । ଆଉ ୧୮ଥାନା ପାଇଁ ୧୯୨ଜଣ ପୋଲିସ ଅଫିସର ପଦବୀ ରହିଛି । ତବେ ସେଥି ମଧ୍ୟରୁ ଏବେ ଅଛନ୍ତି କେବଳ ୧୨୬ଜଣ , ଆଉ ୬୬ଟି ପୋଲିସ ଅଫିସର ପଦବୀ ଖାଲି ପଡିଛି । ସେଥି ମଧ୍ୟରୁ ଛଅ ଇନସ୍ପେକ୍ଟର ,୨୪ ସବଇନସ୍ପେକ୍ଟର , ୩୬ ଏଏସଆଇ ପଦବୀ ଖାଲି ରହିଛି । ଜିଲ୍ଲାର ବିଭିନ୍ନ ଥାନାରେ ଏବେ ପନ୍ଦର ଶହ ମାମଲା ତଦନ୍ତ ନ ହୋଇ ପଡି ରହିଛି । ପୋଲିସ ବାବୁ ତ ନାହାଁନ୍ତି, ତଦନ୍ତ କରିବ କିଏ । ଯେଉ ଅଫିସର ଅଛନ୍ତି , ସେମାନଙ୍କ ମଧ୍ୟରୁ କାହାର ପୁରୀ ରଥ ଯାତ୍ରା ତ ଆଉ କାହାର ବିଧାନ ସଭା ଡ୍ୟୁଟି ପଡିଛି ।

୨୦୧୧ ଜନ ଗଣନା ଅନୁସାରେ ଭଦ୍ରକ ଜିଲ୍ଲାର ଲୋକ ସଂଖ୍ୟା ହେଉଛି ପନ୍ଦର ଲକ୍ଷ । ଆଉ ଏବେ ଏହା ଯଥେଷ୍ଟ ଅଧିକ ହେବ । ତବେ ସବୁ ଥାନାରେ ଗୋଟିଏ ଲେଖା ପିସିଆର ଭ୍ୟାନ୍ । ଆଇନ ଶୃଙ୍ଖଳା ପରିସ୍ଥିତି ସହ ଟ୍ରାଫିକ୍ ନିୟନ୍ତ୍ରଣ କରିବା ପୋଲିସ ପାଇଁ ସମ୍ଭବ ହେଉ ନାହିଁ । ଯେଉଁ ମାମଲାରେ ତଦନ୍ତ ସରିଛି , ସବୁ ତରବରିଆ । ଯଥେଷ୍ଠ ପୋଲିସ ଅଫିସର ନଥିବାରୁ ତଦନ୍ତ ଠିକ୍ ଭାବେ ହେଉ ନଥିବା ଅଭିଯୋଗ ହେଉଛି ।
