କାଳିଆ ଯୋଜନାକୁ ନେଇ ସବୁଠି କଳି, ସମୟ ବଢିଲାପରେ ବି ହେଉଛି ଫର୍ମ କଳାବଜାରୀ: ଯୋଜନାର ସଠିକ କାର୍ଯ୍ୟକାରିତା ନେଇ ବିରୋଧୀ ବି ଉଠାଇଲେଣି ପ୍ରଶ୍ନ

Published By : Prameya-News7 Bureau | January 10, 2019 IST

ଭୁବନେଶ୍ବର ୧୦|୧: କାଳିଆ ଯୋଜନାକୁ ନେଇ ବଢୁଛି ବିବାଦ । କିଏ କିଭଳି ଏହି ଯୋଜନାରୁ ଅର୍ଥ ହାତେଇବେ ସେଥିପାଇଁ ଆରମ୍ଭ ହୋଇଗଲାଣି ଛକାପଞ୍ଝା । କେଉଁଠି ଫର୍ମ ମିଳୁନି ତ ଆଉ କେଉଁଠି ଦଳୀୟ କର୍ମୀଙ୍କୁ ଆଗ ଏହି ଯୋଜନାରେ ସାମିଲ ପାଇଁ ମସୁଧା ହେଉଥିବା ଅଭିଯୋଗ ଆସିଲାଣି । ଆବେଦନ ପାଇଁ ଆଜିଠାରୁ ଆଉ ୫ ଦିନ ଅଧିକା ସମୟ ବଢାଯାଇଥିଲେ ବି ଲୋକଙ୍କ ଭିତରେ ଯେଭଳି କାଳିଆ ଯୋଜନାରେ ସାମିଲ ପାଇଁ ପ୍ରତିଯୋଗିତା ଚାଲିଲାଣି ତାହା ଆଗକୁ କେଉଁ ମୋଡ ନେବ କହି ହେଉନି । ଏଭଳି ସ୍ଥିତିରେ କାଳିଆ ଯୋଜନାକୁ ସନ୍ଦେହ କରିବା ଆରମ୍ଭ କଲେଣି ବିରୋଧି ।

{"id":72553}

ଗାଁ ଗାଁରେ ଏବେ କାଳିଆ କଳି, କାଳିଆ ଯୋଜନାକୁ ନେଇ ଆଗ୍ରହ ଯେତିକି ବିବାଦ ବି ସେତିକି । କାଳିଆ ଯୋଜନାରେ କିଭଳି ସରକାରୀ ଆର୍ଥିକ ସହାୟତା ରାଶି ଆଗେ ହାତେଇ ସେଥିପାଇଁ ଚାଲିଛି ଦୌଡ । କିଛି ଲୋକ ତ ଯୋଗ୍ୟ ହିତାଧିକାରୀ ତାଲିକାରେ ନଥାଇ ବି ଅର୍ଥ ହଡପ ଯୋଜନା ମାତି ଉଠିଲେଣି । ଆଉ କେଉଁଠି ଦଳୀୟ ଭିତ୍ତିରେ ଏହି ଯୋଜନାରେ ଫାଇଦା ହାତେଇବାକୁ ଫନ୍ଦି ଚାଲିଥିବା  ଚର୍ଚ୍ଚା। କାଳିଆ ଯୋଜନାରେ ଫର୍ମ ଲୋକଙ୍କ ପାଖେ ପହଁଚି ପାରୁ ନଥିବାରୁ ତାକୁ ନେଇ ଅସନ୍ତୁଷ୍ଟ ଲୋକେ । କାଳିଆ ଯୋଜନାକୁ ନେଇ ଲୋକଙ୍କ ରୋଷ ମଧ୍ୟ ବଢୁଛି । ଜଗତସିଂହପୁ ଜିଲ୍ଲାରେ ଫର୍ମବଣ୍ଟା ଅନିୟମିତତା ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ । ଆଉ ସିମୁଳିଆରେ ତ ବ୍ଲାକ୍‌ରେ ବିକ୍ରି ହେଉଛି ଫର୍ମ । ଚାଲିଛି ମାରଧର। ସେବିଭଳି ହେଉଛି ସାନଖେମୁଣ୍ଡିର ଚିତ୍ର । ଉତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରି ରଖିଛନ୍ତି । ବାଙ୍କିର ଚିତ୍ର ମଧ୍ୟ ଏମିତି । ଫର୍ମ ନେବାକୁ ଲମ୍ବା ଲାଇନରେ ଠିଆ ହୋଇଛନ୍ତି ଆଶାୟୀ । ବାଲେଶ୍ବରରେ ତ ଫର୍ମ ବିକା ଜାଲିଆତି ଘଟଣା ସାମ୍ନାକୁ ଆସିବାପରେ ୨ଜଣଙ୍କୁ ଗିରଫ କରିଛି ପୋଲିସ ।

{"id":72554}

ଏହାଭିତରେ କାଳିଆ ଯୋଜନାରେ ଫର୍ମ ବିକ୍ରି ଅବଧିକୁ ଆଉ ୫ ଦିନ ବଢାଇଛନ୍ତି ସରକାର ।  ହେଲେ ଏ ବିବାଦର ସମାଧାନ ଏତେ ଶୀଘ୍ର ହେବାଭଳି ଲାଗୁନି । କାରଣ ସବୁ ଆବେଦନକାରୀଙ୍କର ଆଧାରକାର୍ଡ, ବ୍ୟାଙ୍କ ଆକାଉଣ୍ଟ ଓ ଫୋନ୍ ନମ୍ବର ଓ ଭୋଟର ଆଇକାର୍ଡ ଆଦି ଠିକ୍ ଠାକ୍ ଥିବା ନେଇ ସନ୍ଦେହ ରହିଛି । ଯେହେତୁ ହିତାଧିକାରୀଙ୍କ ଆକାଉଣ୍ଟକୁ ଡିବିଟି ମାଧ୍ୟମରେ ଅର୍ଥ ପ୍ରଦାନ କରାଯିବ ସେନେଇ ବାଧା ଉପୁଜିବ ବୋଲି କୁହାଯାଉଛି । ସେପଟେ ୫୭ ଲକ୍ଷ କୃଷକଙ୍କୁ କାଳିଆ ଯୋଜନାରେ ସାମିଲ ପାଇଁ ବ୍ୟବସ୍ଥା ଥିବାବେଳେ ୨୧ ଲକ୍ଷ ଲୋକଙ୍କର ଡିବିଟି ଆକାଉଣ୍ଟ ଥିବାରୁ ଏହା ସମସ୍ୟାକୁ ଆହୁରି ବଢାଇ ଦେଇଛି । ଏହାଭିତରେ ଦଳୀୟ ଭିତ୍ତିରେ ହିତାଧିକାରୀଙ୍କୁ ସାମିଲ ପାଇଁ ଯେଉଁ ଅଭିଯୋଗ ଆସୁଛି ତାକୁ ନେଇ ରାଜନୀତି ଜୋର ଧରିଲାଣି ।

{"id":72555}

କାଳିଆ ଯୋଜନାରେ ଛୋଟ ଓ ନାମମାତ୍ର ଚାଷୀ ଉପକୃତ ହେବେ। ଯେଉଁମାନଙ୍କର ଅଢେଇ ଏକରରୁ ୫ ଏକର ଜମିଥିବ ସେମାନେ ଏହି ଯୋଜନାରେ ସାମିଲ ହେବେ। ଭୂମିହୀନ ପରିବାର ମଧ୍ୟ ଏହି ଯୋଜନାରେ ଜୀବନ ଜୀବିକା ନିର୍ବାହ ପାଇଁ ଆର୍ଥିକ ସହାୟତା ପାଇବେ। ସେହିଭଳି ଯେଉଁ ଚାଷୀ ଓ କୃଷି ଶ୍ରମିକ ଆର୍ଥିକ ସ୍ବଚ୍ଛଳ ନଥିବ ସେମାନ ବି ଏହିଯୋଜନାରେ ରହିବେ। ଏହାବାଦ୍ ଚାଷୀ ମାନଙ୍କୁ ଜୀବନବୀମା ସୁରକ୍ଷା ଦେବା ମଧ୍ୟ ରହିଛି। ସେହିଭଳି ଏସବୁ ବର୍ଗର ଚାଷୀ ଓ କୃଷି ଶ୍ରମିକଙ୍କୁ ବିନା ସୁଧରେ କୃଷିଋଣ ଦେବାର ବ୍ୟବସ୍ଥା ବି ଅଛି କାଳିଆ ଯୋଜନାରେ। ତେବେ ଏହିଯୋଜନା କିଭଳି କାର୍ଯ୍ୟକାରୀ ହେବ ସେନେଇ ଉପୁଜିବାର ଲାଗିଛି ନୂଆ ନୂଆ ବିବାଦ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.