NAVYରେ ମହିଳା ଅଧିକାରୀଙ୍କୁ ସ୍ଥାୟୀ କମିଶନ ପ୍ରସଙ୍ଗ : ଆଜି ସୁପ୍ରିମକୋର୍ଟରେ ନିଷ୍ପତ୍ତି
17/03/2020 at 9:33 AM

ନୂଆଦିଲ୍ଲୀ ୧୭।୩: ଭାରତୀୟ ନୌସେନାରେ ମହିଳା ଅଧିକରୀଙ୍କୁ ସ୍ଥାୟୀ କମିଶନ ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ରାୟ ପ୍ରକାଶ ପାଇବ । ସକାଳ ୧୦ଟା ୩୦ମିନିଟ୍ ରେ ସୁପ୍ରିମକୋର୍ଟ ଏନେଇ ରାୟ ପ୍ରକାଶ କରିପାରନ୍ତି | ସରକାର ପୂର୍ବରୁ କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ଆଦେଶ ପାଳନ କରିବାକୁ ପ୍ରସ୍ତୁତ ରହିଛନ୍ତି ।
ଏହା ପୂର୍ବରୁ ୧୧ ମାର୍ଚ୍ଚରେ କେନ୍ଦ୍ର ସରକାର ଲୋକସଭାରେ ସୂଚନା ଦେଇଥିଲେ ଯେ, ସେନାର ମହିଳାମାନଙ୍କୁ ସ୍ଥାୟୀ କମିଶନ ଦେବାକୁ ପ୍ରସ୍ତୁତ ଅଛନ୍ତି। ଏଥିସହିତ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ସମ୍ପୂର୍ଣ୍ଣ ରୂପେ ପାଳନ କରିବେ ବୋଲି ସରକାର କହିଥିଲେ । ଟିଏମସି ସାଂସଦ ସୌଗତ ରାୟଙ୍କ ପ୍ରଶ୍ନର ଉତ୍ତରରେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀପଦ ନାୟକ ଏହି ସୂଚନା ଦେଇଥିଲେ ।
୧୯୫୦ ମସିହାର ଆର୍ମି ଆକ୍ଟ ଅନୁଯାୟୀ ମହିଳାମାନଙ୍କୁ ସ୍ଥାୟୀ କମିଶନ ପାଇଁ ଅଯୋଗ୍ୟ କରାଯାଇଥିଲା । ଏହାର ୪୨ ବର୍ଷ ପରେ, ୧୯୯୨ରେ ସରକାର ୫ଟି ଶାଖାରେ ମହିଳା ଅଧିକାରୀ ହେବା ପାଇଁ ବିଜ୍ଞପ୍ତି ଜାରି କରିଥିଲେ। ୧୭ ଫେବୃଆରୀ ୨୦୨୦ରେ ସୁପ୍ରିମକୋର୍ଟ ସରକାରଙ୍କୁ ସେନାରେ ଥିବା ମହିଳାମାନଙ୍କୁ ସ୍ଥାୟୀ କମିଶନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏବେ ନୌସେନା ମାମଲାରେ ସୁପ୍ରିମକୋର୍ଟ ରାୟ ପ୍ରକାଶ ପାଇବ ।
ସ୍ଥାୟୀ କମିଶନର ଅର୍ଥ ହେଉଛି ଯେ, ଜଣେ ଅଧିକାରୀ ଅବସର ବୟସ ପର୍ଯ୍ୟନ୍ତ ସେନାରେ କାର୍ଯ୍ୟ କରିପାରିବେ ଏବଂ ଏହାପରେ ସେ ମଧ୍ୟ ପେନସନ ପାଇବାକୁ ଯୋଗ୍ୟ ହେବେ। ଏପର୍ଯ୍ୟନ୍ତ କେବଳ ପୁରୁଷମାନେ ସ୍ଥାୟୀ କମିଶନ ପାଉଥିଲେ | ଏପର୍ଯ୍ୟନ୍ତ ମହିଳାମାନେ କେବଳ ୧୦ ବର୍ଷ କାମ କରିବାକୁ ସକ୍ଷମ ହେଉଥିଲେ | ଯଦି ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ମହିଳାଙ୍କ ସପକ୍ଷରେ ଯାଏ, ତାହେଲେ ଏହା ଅଧୀନରେ ଯେଉଁମାନେ ସର୍ଟ ସର୍ଭିସ କମିଶନରେ କାର୍ଯ୍ୟ କରୁଛନ୍ତି ସେହି ଅଧିକାରୀମାନେ ମଧ୍ୟ ସ୍ଥାୟୀ କମିଶନକୁ ଯାଇପାରିବେ। ସର୍ଟ ସର୍ଭିସ୍ କମିଶନ ଅଧୀନରେ ଅଧିକାରୀମାନେ ୧୪ବର୍ଷରେ ଅବସର ନେଇଥାନ୍ତି ଏବଂ ପେନସନ ପାଆନ୍ତିନାହିଁ |