ନିର୍ଭୟା ଦୋଷୀଙ୍କ ତୃତୀୟ ଡେଥ୍ ୱାରେଣ୍ଟ ପାଇଁ ଅଦାଲତ ଗଲେ ତିହାର କର୍ତ୍ତୃପକ୍ଷ, ଆଜି ସୁପ୍ରିମ୍‌କୋର୍ଟରେ କେନ୍ଦ୍ରର ଆବେଦନ ଉପରେ ଶୁଣାଣି

Published By : Prameya-News7 Bureau | February 07, 2020 IST

ନୂଆଦିଲ୍ଲୀ ୭।୨: ସୁପ୍ରିମକୋର୍ଟରେ ଆଜି ନିର୍ଭୟା ମାମଲାର ହେବ ଶୁଣାଣି । କେନ୍ଦ୍ରର ଆବେଦନ ଉପରେ ଶୁଣାଣି କରିବେ କୋର୍ଟ । ତୃତୀୟ ଡେଥ୍ ୱାରେଣ୍ଟ ପାଇଁ କୋର୍ଟ ଗଲେ ତିହାର କର୍ତ୍ତୃପକ୍ଷ । ନିର୍ଭୟା ଦୋଷୀମାନଙ୍କ ଡେଥ୍ ୱାରେଣ୍ଟ ଉପରେ ରହିତାଦେଶ ଏବଂ ସେମାନଙ୍କୁ ଏକାସଙ୍ଗରେ ଫାଶୀ ଦେବା ମାମଲା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନ ଉପରେ ଆଜି ଶୁଣାଣି ହେବ।

ଫାଶୀ ଉପରେ ଥିବା ରହିତାଦେଶ ଉଠାଇ ତୁରନ୍ତ ଦୋଷୀମାନଙ୍କୁ ଫାଶୀ ଦେବାପାଇଁ କେନ୍ଦ୍ର ସରକାରଙ୍କ ଆବେଦନକୁ ଗତକାଲି ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେବା ପରେ ଏ ନେଇ ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଯେଉଁ ଦୋଷୀମାନଙ୍କ ପାଖରେ କୌଣସି ନ୍ୟାୟିକ ବିକଳ୍ପ ନାହିଁ ସେମାନଙ୍କୁ ଫାଶୀରେ ଝୁଲାଇବାକୁ ସରକାର ହାଇକୋର୍ଟରେ ଦୃଢ ଯୁକ୍ତି ରଖିଥିଲେ। ଆଜି ସୁପ୍ରିମକୋର୍ଟଙ୍କ ରାୟ ଦୋଷୀଙ୍କ ଫାଶୀ ତାରିଖ ଧାର୍ଯ୍ୟ କରିବାରେ ନିର୍ଣ୍ଣାୟକ ହେବ ବୋଲି କୁହାଯାଇଛି।

୨୦୧୨ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କୁ ମୃତ୍ୟୁ ଦଣ୍ଡ ଦେବାପାଇଁ ୨ ଥର ଡେଥ୍  ୱାରେଣ୍ଟ ଜାରି ହୋଇଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇପାରିନାହିଁ। ତୃତୀୟ ଡେଥ୍  ୱାରେଣ୍ଟ ଜାରି କରାଯିବା ପାଇଁ ତିହାର ଜେଲ୍  ପ୍ରଶାସନ ପକ୍ଷରୁ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟରେ ଆବେଦନ କରାଯାଇଛି। ବିଚାରପତି ଧର୍ମେନ୍ଦ୍ର ରାଣା ଏହି ମାମଲା ଉପରେ ୪ ଦୋଷୀଙ୍କୁ ଜବାବ ଦାଖଲ କରିବାକୁ କହିଛନ୍ତି। 

ସେପଟେ ଦିଲ୍ଲୀ ହାଇକୋର୍ଟ ଏହି ମାମଲାରେ କହିଥିଲେ ଯେ, ସବୁ ନ୍ୟାୟିକ ବିକଳ୍ପ ଶେଷ ହେବାପରେ ୪ ଦୋଷୀଙ୍କୁ ଏକସଙ୍ଗରେ ଫାଶୀ ଦିଆଯିବ । ଦୋଷୀମାନେ ସମସ୍ତ ନ୍ୟାୟିକ ବିକଳ୍ପର ସୁଯୋଗ ସପ୍ତାହକ ମଧ୍ୟରେ ନେବାକୁ ହେବ ବୋଲି ହାଇକୋର୍ଟ ସମୟସୀମା ଧାର୍ଯ୍ୟ କରିଥିଲେ । ତେବେ ୩ ଜଣ ଦୋଷୀଙ୍କ ପାଖରେ କୌଣସି ବିକଳ୍ପ ନଥିବାରୁ ସେମାନଙ୍କୁ ତୁରନ୍ତ ଫାଶୀ ଦେବା ଉପରେ ଦିଲ୍ଲୀ ପୋଲିସ ଏବଂ କେନ୍ଦ୍ର ସରକାର ଗୁରୁତ୍ବାରୋପ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.