କାଶ୍ମୀରରେ ଧାରା ୩୭୦କୁ ନେଇ ସୁପ୍ରିମକୋର୍ଟରୁ ମିଳିଲା ବଡ ଖବର

Published By : Prameya-News7 Bureau | February 20, 2019 IST

ନୂଆଦିଲ୍ଲୀ ୨୦|୨: ଜମ୍ମୁକାଶ୍ମୀର ପୁଲଓ୍ବାମାରେ ଆତଙ୍କୀଙ୍କ ଆକ୍ରମଣରେ ୪୦ ସିଆରପିଏଫ୍ ଯବାନ ସହିଦ ହେବା ଘଟଣା ପୁରା ଦେଶକୁ ସ୍ତବ୍ଧ କରିଦେଇଛି । ଯାହାକୁ ନେଇ ସାରା ଦେଶବାସୀ ମନରେ ଆକ୍ରୋଶ ଦେଖାଦେଇଛି । ଯଥାଶୀଘ୍ର ଆତଙ୍କବାଦୀଙ୍କ ବିରୋଧରେ ଦେଶ କଡା କାର୍ଯ୍ୟାନୁଷ୍ଠାନ ନେବା ସହ ପାକିସ୍ତାନକୁ ଉଚିତ୍ ଶିକ୍ଷା ଦେବା ପାଇଁ ପ୍ରତ୍ୟେକ ଭାରତୀୟ ଦାବି କରୁଛନ୍ତି । ପାକିସ୍ତାନକୁ ଉଚିତ୍ ଶିକ୍ଷା ଦେବାପାଇଁ ଦେଶ ମଧ୍ୟ କିଛି କଡା ପଦକ୍ଷେପମାନ ନେଇଛି । ଏହାପରେ ମଧ୍ୟ କାଶ୍ମୀରରୁ ଧାରା ୩୭୦ ହଟାଇବା ପାଇଁ ଦାବି କରାଯାଉଛି । ଏହାକୁ ନେଇ ସୁପ୍ରିମକୋର୍ଟରୁ ଏକ ବଡ ଖବର ମଧ୍ୟ ଶୁଣିବାକୁ ମିଳିଛି ।

ଧାରା ୩୭୦ କାଶ୍ମୀରକୁ ଏକ ବିଶେଷ ରାଜ୍ୟର ମାନ୍ୟତା ପ୍ରଦାନ କରୁଛି । ଏହାସହ ଏହି ରାଜ୍ୟ ଉପରେ ଭାରତ ସରକାରଙ୍କ ପୂର୍ଣ୍ଣ ନିୟନ୍ତ୍ରଣ ନାହିଁ । ଏହି ଧାରା ଅନୁଯାୟୀ ଦେଶର ଅନ୍ୟ ରାଜ୍ୟର ନାଗରିକମାନେ ଜମ୍ମୁକାଶ୍ମୀରରେ ସ୍ଥାୟୀ ନିବାସୀ ହୋଇପାରିବେ ନାହିଁ । କୌଣସି ସମ୍ପତ୍ତି ମଧ୍ୟ କ୍ରୟ କରିପାରିବେନାହିଁ । ବେଳେ ବେଳେ କାଶ୍ମୀରରୁ ଧାରା ୩୭୦ ଉଠାଇବା ପାଇଁ ମଧ୍ୟ ଦାବି ହେଉଛି । ବର୍ତ୍ତମାନ ଏଭଳି ପରିସ୍ଥିତିରେ ଯଦି ଧାରା ୩୭୦ ଉଠାଇଦିଆଯିବ ତେବେ ଏହା ସରକାରଙ୍କ ତରଫରୁ ଦେଶବାସୀଙ୍କ ପାଇଁ ଏକ ବଡ ଉପହାର ହେବ ।

ଗତ ସୋମବାର ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ତଥା ଜଷ୍ଟିସ୍ ସଂଜୀବ ଖନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ କାଶ୍ମୀରରୁ ଧାରା ୩୭୦ର ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ପିଟିସନ ଉପରେ ଶୀଘ୍ର ଶୁଣାଣି କରିବାକୁ କହିଛନ୍ତି । ଜଷ୍ଟିସ୍ ସଂଜୀବ ଖନ୍ନା ଏହା ମଧ୍ୟ କହିଛନ୍ତି ଯେ, ଓକିଲ ଏବଂ ଭାଜପା ନେତା ଅଶ୍ବିନୀ କୁମାରଙ୍କ ଅନୁରୋଧ କ୍ରମେ ତର୍ଜମା କରାଯାଇଛି । ସେମାନଙ୍କ ପିଟିସନ ରାଷ୍ଟ୍ରୀୟ ମହତ୍ବ ରଖୁଛି ଏବଂ ତାହାକୁ ଶୀଘ୍ର କାର୍ଯ୍ୟକାରୀ କରିବାର ଆବଶ୍ୟକତା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.