ଯୋଗୀ ସରକାରଙ୍କୁ ସୁପ୍ରିମକୋର୍ଟ ତାଗିଦ, “ଏମିତି କୌଣସି ଆଇନ ନାହିଁ ଯାହା ଅଭିଯୁକ୍ତଙ୍କ ପୋଷ୍ଟର ଲଗାଇବା ପାଇଁ ଅନୁମତି ଦିଏ”
12/03/2020 at 1:14 PM

ଯୋଗୀ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା :
ନୂଆଦିଲ୍ଲୀ ୧୨/୦୩ : ହିଂସାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ପୋଷ୍ଟର ଲଗାଇବାକୁ ସରକାରଙ୍କୁ ଅଧିକାର କିଏ ଦେଲେ ? ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧୀ ହିଂସା ଘଟଣାରେ ହିଂସାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ପୋଷ୍ଟର ମରାଯିବ ମାମଲାର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଏହି ପ୍ରଶ୍ନ କରିଛନ୍ତି | ଆଲଲାହାବାଦ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଉତ୍ତର ପ୍ରଦେଶ ସରକାର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ | ସିଏଏ ବିରୋଧୀ ହିଂସାର ଅଭିଯୁକ୍ତଙ୍କ ପୋଷ୍ଟର ମରାଯିବ ପ୍ରସଙ୍ଗରେ ଆଲ୍ଲାହାବାଦ ହାଇକୋର୍ଟ ଉତ୍ତର ପ୍ରଦେଶ ସରକାରଙ୍କୁ ଭର୍ସନା କରିବା ସହ ତୁରନ୍ତ ସେହି ପୋଷ୍ଟର ହଟାଇ ନେବାକୁ ନିର୍ଦେଶ ଦେଇଥିଲେ | କିନ୍ତୁ ତାହାକୁ ଗ୍ରହଣ ନକରି ଯୋଗୀ ଅଦିତ୍ୟନାଥ ସରକାର ସୁପ୍ରିମକୋର୍ଟରେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରିଥିଲେ | ସେହି ଆବେଦନର ଶୁଣାଣି କରି ବିଚାରପତି ୟୁୟୁ ଲଳିତ ଏବଂ ବିଚାରପତି ଅନିରୁଦ୍ଧ ବୋଷ ଉତ୍ତର ପ୍ରଦେଶ ସରକାରଙ୍କ କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି | ଏହାସହ ଆଲ୍ଲାହାବାଦ ହାଇକୋର୍ଟଙ୍କ ରାୟ ଉପରେ ସ୍ଥଗିତାଦେଶ ଜାରି କରିବାକୁ ଅଗ୍ରାହ୍ୟ କରିଛନ୍ତି ସୁପ୍ରିମକୋର୍ଟ |
ବିଚାରପତି ୟୁୟୁ ଲଳିତ ଏବଂ ବିଚାରପତି ଅନିରୁଦ୍ଧ ବୋଷଙ୍କ ଖଣ୍ଡପୀଠ କହିଛନ୍ତି ଯେ, ଏହି ମାମଲା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | ଉତ୍ତର ପ୍ରଦେଶ ସରକାରଙ୍କୁ ଏଭଳି ପୋଷ୍ଟର ଲଗାଇବାର ଅଧିକାର ନାହିଁ | ଏମିତି କୌଣସି ଆଇନ ନାହିଁ ଯାହା ସରକାରଙ୍କ ଏଭଳି ପଦକ୍ଷେପକୁ ସମର୍ଥନ କରେ , ଏପରି କୋର୍ଟ କହିଛନ୍ତି |
ରାଜ୍ୟ ସରକାରଙ୍କ ତରଫରୁ ମାମଲା ଲଢ଼ୁଥିବା ସଲିସିଟର ଜେନେରାଲ ତୁଷାର ମେହଟା କୋର୍ଟରେ କହିଛନ୍ତି ଯେ, “ବ୍ୟକ୍ତିଗତ ଅଧିକାରର କୌଣସି ଆଇନ ନାହିଁ | ହାଇକୋର୍ଟଙ୍କ ପୋଷ୍ଟର ହଟାଇବା ନିଷ୍ପତ୍ତିରେ ତ୍ରୁଟି ରହିଛି | କାରଣ ଅଭିଯୁକ୍ତମାନେ ପ୍ରଦର୍ଶନ ସମୟରେ ହିଂସାରେ ସାମିଲ ଥିଲେ | ସେଥିପାଇଁ ଏଭଳି ନିଷ୍ପତ୍ତି ନେବା ଅଧିକାର ସରକାରଙ୍କ ପାଖରେ ଅଛି |”
ସଲିସିଟର ଜେନେରାଲଙ୍କ ଏହି ଉକ୍ତି ଉପରେ ବିଚାରପତି ଅନିରୁଦ୍ଧ ବୋଷ ପ୍ରଶ୍ନ କରିଛନ୍ତି ଯେ, ହିଂସା ପ୍ରଦର୍ଶନ କରୁଥିବା ଅଭିଯୁକ୍ତଙ୍କ ପୋଷ୍ଟର ଲଗାଇବା ଅଧିକାର ସରକାରଙ୍କୁ କେଉଁଠୁ ମିଳିଲା ? ହିଂସାକାରୀଙ୍କ ବିରୋଧରେ ଅବଶ୍ୟ ପଦକ୍ଷେପ ନେବା ଉଚିତ ଏବଂ ତାଙ୍କୁ ଦଣ୍ଡ ମଧ୍ୟ ଦେବା ଉଚିତ | କିନ୍ତୁ ଭାରତୀୟ ସମ୍ବିଧାନରେ ଏଭଳି କୌଣସି ଆଇନରେସେମାନଙ୍କ ପୋଷ୍ଟର ବା ହୋର୍ଡ଼ିଂଗ ମାରିବା ଉଲ୍ଲେଖ ନାହିଁ ବୋଲି କୋର୍ଟ କହିଛନ୍ତି | ଏହାସହ ଆଲ୍ଲାହାବାଦ ହାଇକୋର୍ଟଙ୍କ ରାୟ ଉପରେ ସ୍ଥଗିତାଦେଶ ଜାରି କରିବାକୁ ଅଗ୍ରାହ୍ୟ କରିଛନ୍ତି ସୁପ୍ରିମକୋର୍ଟ |
ସଲିସିଟର ଜେନେରାଲ ତୁଷାର ମେହଟା କହିଛନ୍ତି, ଜଣେ ବ୍ୟକ୍ତି ଯିଏ ପ୍ରଦର୍ଶନ ସମୟରେ ଅସ୍ତ୍ର ନେଇ ଆସିଥିଲା ଏବଂ ହିଂସାରେ ସାମିଲ ଥିଲା ସେ ବ୍ୟକ୍ତିଗତ ଅଧିକାର ଦାବି କରିପାରିବ ନାହିଁ | ପ୍ରଦର୍ଶନକାରୀଙ୍କ ପୋଷ୍ଟର କେବଳ ଏଇଥିପାଇଁ ଲଗାଯାଇଥିଲା ଯେ ହିଂସାରେ ସାମିଲ ଥିବ ଅଭିଯୁକ୍ତଙ୍କ ଉପରେ ବର୍ତ୍ତମାନ ଜରିମାନା ବାକି ରହିଛି |