ବେଙ୍ଗଲରେ ବିଜେପି ନେତାଙ୍କ ବିରୁଦ୍ଧରେ ହେବ ନାହିଁ କାର୍ଯ୍ୟାନୁଷ୍ଠାନ : ରୋକ୍ ଲଗାଇଲେ ସୁପ୍ରିମକୋର୍ଟ, ଜାରି ରହିବ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା
18/12/2020 at 5:13 PM

ନୂଆଦିଲ୍ଲୀ ୧୮/୧୨ : ସୁପ୍ରମିକୋର୍ଟ ଶୁକ୍ରବାର ଏକ ଗୁରୁତ୍ବପୁର୍ଣ୍ଣ ଘଟଣାକ୍ରମର ଶୁଣାଣି କରି ରାୟ ପ୍ରଦାନ କରିଛନ୍ତି । ପଶ୍ଚିମବଙ୍ଗ ପୋଲିସକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି ଯେ, ବିଜେପିର ଯେଉଁ ୫ ଜଣ ନେତାଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରୁଜୁ କରାଯାଇଛି ତାଙ୍କ ବିରୁଦ୍ଧରେ କୌଣସି ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ।
ନ୍ୟାୟମୂର୍ତ୍ତି ସଞ୍ଜୟ କିଶନ କୌଲଙ୍କ ଦ୍ବାରା ଗଠିତ ଖଣ୍ଡପୀଠ ବିଜେପି ନେତାମାନେ କରିଥିବା ଆବେଦନକୁ ନେଇ ପଶ୍ଚିମବଙ୍ଗ ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ଏହି ନେତାମାନେ ଅଭିଯୋଗ କରିଛନ୍ତି ଯେ, ଆସନ୍ତା ବିଧାନସଭା ନିର୍ବାଚନ ଗତିବିଧିରୁ ଦୂରେଇ ରଖିବାକୁ ତାଙ୍କ ବିରୁଦ୍ଧରେ ଜାଣିଶୁଣି ଅପରାଧିକ ମାମଲା ରୁଜୁ କରାଯାଉଛି ।
ସୁପ୍ରିମକୋର୍ଟଙ୍କ ଦ୍ବାରା ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ଏହି ନେତାମାନଙ୍କୁ ଦିଆଯାଇଥିବା ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଜାରି ରହିବ । ମୁକୁଲ ରୟ ଏବଂ କୈଳାସ ବିଜୟବର୍ଗୀୟଙ୍କ ବ୍ୟତୀତ ଅନ୍ୟ ବିଜେପି ନେତାମାନେ ମଧ୍ୟ ରାଜ୍ୟରେ ତାଙ୍କ ବିରୁଦ୍ଧରେ ପଞ୍ଜୀକୃତ ମାମଲାର ଶୁଣାଣି ପାଇଁ ଆବେଦନ କରିଛନ୍ତି ।
ସୁପ୍ରିମକୋର୍ଟ ଏହି ନେତାମାନଙ୍କୁ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ପ୍ରଦାନ କରିବା ସହ ପଶ୍ଚିମବଙ୍ଗ ବିଜେପି ନେତା କବୀର ଶଙ୍କର ବୋଷଙ୍କ ସୁରକ୍ଷା କର୍ମୀ ଏବଂ ତୃଣମୂଳ କଂଗ୍ରେସ କର୍ମୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ସମ୍ପର୍କରେ କୋର୍ଟ ଗୃହ ମନ୍ତ୍ରଣାଳୟରୁ ଏକ ରିପୋର୍ଟ ତଲବ କରିଛନ୍ତି । କବୀର ଶଙ୍କର ବୋଷ କୋର୍ଟରେ ପୃଥକ ଆବେଦନ କରିଛନ୍ତି ।