ନିର୍ଭୟା ଦୋଷୀଙ୍କ ବାରମ୍ବାର ଫାଶୀ ଘୁଞ୍ଚିବା ନେଇ ନୂଆ ଗାଇଡଲାଇନ୍ ଜାରି କଲେ ସୁପ୍ରିମ କୋର୍ଟ : ପଢ଼ନ୍ତୁ ପୂରା ଖବର

Published By : Prameya-News7 Bureau | February 15, 2020 IST

ନୂଆଦିଲ୍ଲୀ ୧୫/୨: ସୁପ୍ରିମ କୋର୍ଟ ମୃତ୍ୟୁଦଣ୍ଡ ସହ ଜଡ଼ିତ ଅପରାଧ ମାମଲାର ଶୁଣାଣି ଶୀଘ୍ର କରିବା ପାଇଁ ନୂଆ ଗାଇଡଲାଇନ୍ ସ୍ଥିର କରିଛି। ଶୁକ୍ରବାର କୋର୍ଟ ଏପରି ମାମଲାର ଶୁଣାଣି ପାଇଁ ୬ମାସର ସମୟ ସୀମା ନିର୍ଦ୍ଧାରିତ କରିଛି। ଅର୍ଥାତ୍ ଯେଉଁ ଦିନ ହାଇକୋର୍ଟ ମୃତ୍ୟୁଦଣ୍ଡ ମାମଲାର ନିଷ୍ପତ୍ତି ଶୁଣାଇବ,ସେହି ଦିନଠୁ ଆସନ୍ତା ୬ମାସ ଭିତରେ ସୁପ୍ରିମ କୋର୍ଟ ୩ବିଚାରପତିଙ୍କ ବେଞ୍ଚ ସେହି ମାମଲାର ଶୁଣାଣି କରିବ। ସୁପ୍ରିମ କୋର୍ଟ ନିର୍ଭୟା ମାମଲାରେ ଦୋଷୀଙ୍କ ଫାଶୀରେ ବିଳମ୍ବ ଦେଖି ଏହି ଗାଇଡଲାଇନ୍ ସ୍ଥିର କରିଛି।

ସୁପ୍ରିମ କୋର୍ଟ ଶୁକ୍ରବାର ଏହି ମାମଲାରେ ସର୍କୁଲାର ଜାରି କରିଛି। ଏଥିରେ କୁହାଯାଇଛି-ହାଇକୋର୍ଟ ଯେଉଁ ଦିନଠୁ ଅପରାଧ ମାମଲାରେ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଛି,ସେହି ମାମଲାରେ ଦୋଷୀମାନେ ଆବେଦନ ଦାଖଲ କରନ୍ତୁ କି ନକରନ୍ତୁ ସେହିଦିନଠୁ ଆସନ୍ତା ୬ମାସ ମଧ୍ୟରେ ସୁପ୍ରିମ କୋର୍ଟ ମାମଲାର ଶୁଣାଣି କରିବ।

ସର୍କୁଲାରରେ ଏହା ମଧ୍ୟ କୁହାଯାଇଛି ଯେ, ସୁପ୍ରିମ କୋର୍ଟରେ ସ୍ପେଶାଲ ଲିଭ ପିଟିସନ ଦାଖଲ କରାଯିବା ମାତ୍ରେ ରେଜିଷ୍ଟ୍ରି ମୃତ୍ୟୁଦଣ୍ଡ ଶୁଣାଉଥବା କୋର୍ଟଙ୍କୁ ୬୦ ଦିନ ମଧ୍ୟରେ ସମସ୍ତ ଦସ୍ତାବେଜ ପଠାଇବାର ଆଦେଶ ଦେବେ। ଏହା ସହ ଜଡ଼ିତ ଅନ୍ୟ ଅତିରିକ୍ତ ଦସ୍ତାବିଜ କିମ୍ବା ଆବଶ୍ୟକ ପଡ଼ିଲେ ସ୍ଥାନୀୟ ଭାଷାର ଦସ୍ତାବିଜର ଅନୁବାଦ ମଧ୍ୟ ରେଜିଷ୍ଟ୍ରିକୁ ଦେବାକୁ ପଡ଼ିବ। ଯଦି ରେଜିଷ୍ଟ୍ରିକୁ ଅନ୍ୟ ଦସ୍ତାବିଜର ଆବଶ୍ୟକତା ପଡ଼ିଲା,ତେବେ ସେ ପକ୍ଷରେ ଥିବା ବ୍ୟକ୍ତିଙ୍କୁ ୩୦ଦିନର ଅତିରିକ୍ତ ସମୟ ଦେବେ। ଯଦି ଏହା ସତ୍ବେ କିଛି ଦସ୍ତାବିଜ ନ ମିଳେ,ତେବେ ମାମଲାକୁ ବିଚାରପତିଙ୍କ ଚ୍ୟାମ୍ବରରେ ସୂଚୀବଦ୍ଧ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.