‘ଜିଏସଟି ପରିଷଦର ସୁପାରିସ ମାନିବାକୁ ବାଧ୍ୟ ନୁହନ୍ତି କେନ୍ଦ୍ର ଏବଂ ରାଜ୍ୟ ସରକାର, ଦୁହିଁଙ୍କ ପାଖରେ ଆଇନ ଆଣିବାର ରହିଛି ଅଧିକାର’

Published By : Prameya-News7 Bureau | May 19, 2022 IST

ନୂଆଦିଲ୍ଲୀ: ଗୁରୁବାର ସୁପ୍ରିମକୋର୍ଟ ଜିଏସଟି ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଣିଛନ୍ତି। କୋର୍ଟ କହିଛନ୍ତି ଜିଏସଟି କାଉନସିଲର ସୁପାରିସ ମାନିବାକୁ କେନ୍ଦ୍ର ଏବଂ ରାଜ୍ୟ ସରକାର ବାଧ୍ୟ ନୁହନ୍ତି। ଏହାର ଅର୍ଥ ଜିଏସଟି କାଉନସିଲ କେବଳ ପରାମର୍ଶ ଦେବ, ଏହାକୁ ଲାଗୁ କରିବା କେନ୍ଦ୍ର ଏବଂ ରାଜ୍ୟ ପାଇଁ ବାଧ୍ୟତାମୂଳକ ନୁହେଁ। ଏହାଛଡା ସର୍ବୋଚ୍ଚ ଅଦାଲତ ଏହା ମଧ୍ୟ କହିଛନ୍ତି ଯେ, ସଂସଦ ଏଂ ରାଜ୍ୟ ବିଧାନସଭା ନିକଟରେ ଜିଏସଟି ଉପରେ ଆଇନ ଆଣିବାର ସାମାନ ଅଧିକାର ରହିଛି। ଜିଏସଟି ପରିଷଦ ଏହା ଉପରେ ଉପଯୁକ୍ତ ପରାମର୍ଶ ଦେବା ପାଇଁ ହୋଇଛି।

ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିକ ଖଣ୍ଡପୀଠ କହିଛନ୍ତି, କେନ୍ଦ୍ର ସରକାର ଏବଂ ରାଜ୍ୟ ନିକଟରେ ଜିଏସଟି ଉପରେ ଆଇନ ଆଣିବାର ସମାନ ଅଧିକାର ରହିଛି। ଏଥିପାଇଁ ଜିଏସଟି କାଉନସିଲକୁ କେନ୍ଦ୍ର ରାଜ୍ୟ ମଧ୍ୟରେ ବ୍ୟବହାରିକ ସମାଧାନ ପାଇଁ କାମ କରିବା ଜରୁରୀ। ଗୁଜରାଟ ହାଇକୋର୍ଟଙ୍କ ଏକ ନିର୍ଦ୍ଦେଶ ଉପରେ ସୁପ୍ରିମକୋର୍ଟଙ୍କ ଏହି ରାୟ ଆସିଛି । ୨୦୧୭ ମସିହାରେ ଗୁଜରାଟ ହାଇକୋର୍ଟ Ocean Freight ବାବଦରେ ଜାହଜରେ ସାମଗ୍ରୀ ପରିବହନ ଉପରେ ୫ ପ୍ରତିଶତ ଆଇଜିଏସଟି ଲାଗୁ କରିବା ପାଇଁ ସରକାରଙ୍କ ବିଜ୍ଞପ୍ତିକୁ ଖାରଜ କରିଦେଇଥିଲେ। ଏବେ ସୁପ୍ରିମକୋର୍ଟ ଗୁଜରାଟ ହାଇକୋର୍ଟଙ୍କ ସେହି ରାୟକୁ କାଏମ ରଖିଛନ୍ତି।

ଉଲ୍ଲେଖଯୋଗ୍ୟ, ଜିଏସଟି କାଉନସିଲର ପରବର୍ତ୍ତି ବୈଠକରେ କସିନୋ, ଘୋଡା ଦୌଡ, ଅନଲାଇନର ଗେମିଂ ଉପରେ ୨୮ ପ୍ରତିଶତ ଟିକସ ନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଆସିପାରେ।  ବର୍ତ୍ତମାନ ସମୟରେ ଏହି ସବୁ ଉପରେ ୧୮ ପ୍ରତିଶତ ଜିଏସଟି ଲାଗୁ ହୋଇଥାଏ। ଜୁଲାଇ ୧ରେ ଜିଏସଟି ଲାଗୁ ହେବାର ୫ ବର୍ଷ ପୂର୍ତ୍ତି ହେବ । ୨୦୧୭ ଜୁଲାଇ ୧ରେ ସାରା ଦେଶରେ ଜିଏସଟି ଲାଗୁ ହୋଇଥିଲା। ଜିଏସଟିକୁ ନେଇ କୌଣସି ନିଷ୍ପତ୍ତି ନେବାର ଅଧିକାର ଜିଏସଟି କାଉନସିଲ ନିକଟରେ ରହିଥାଏ। କେନ୍ଦ୍ର ଅର୍ଥମନ୍ତ୍ରୀ ଏହାର ଅଧ୍ୟକ୍ଷ ଥିବା ବେଳେ ସବୁ ରାଜ୍ୟର ଅର୍ଥମନ୍ତ୍ରୀ ଏହାର ସଦସ୍ୟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.