Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସୁପ୍ରିମକୋର୍ଟରେ ଅର୍ଣ୍ଣବ ଗୋସ୍ଵାମୀଙ୍କୁ ଲାଗିଲା ଝଟକା, ଯାଚିକା ଖାରଜ କଲେ ଅଦାଲତ

19/05/2020 at 8:10 PM

ନୂଆଦିଲ୍ଲୀ ୧୯।୦୫: ରିପବ୍ଲିକ୍ ଟିଭିର ସଂପାଦକ ଅର୍ଣ୍ଣବ ଗୋସ୍ଵାମୀଙ୍କୁ ମଙ୍ଗଳବାର ସୁପ୍ରିମକୋର୍ଟରୁ ଲାଗିଛି ଝଟକା। ସର୍ବୋଚ୍ଚ ଅଦାଲତ ଅର୍ଣ୍ଣବଙ୍କ ଦ୍ଵାରା ଦାଖଲ ଆବେଦନକୁ ଖାରଜ କରିଛନ୍ତି। ଅର୍ଣ୍ଣବ ତାଙ୍କ ବିରୋଧରେ ସାଂପ୍ରଦାୟିକ ଘୃଣା ଭାବ ସୃଷ୍ଟି କରିବା ମାମଲାର ତଦନ୍ତଭାର ମହାରାଷ୍ଟ୍ର ପୋଲିସଠୁ କାଢି ସିବିଆଇକୁ ହସ୍ତାନ୍ତର କରିବାକୁ ସର୍ବୋଚ୍ଚ ଅଦାଲତରେ ଆବେଦନ ଦାଖଲ କରିଥିଲେ।

ମେ ୧୧ରେ ଜଷ୍ଟିସ ଡି ଓ୍ଵାଇ ଚନ୍ଦ୍ରଚୂଡ ଓ ଏମଆର ଶାହା ଗୋସ୍ଵାମୀଙ୍କ ଆବେଦନ ଉପରେ ରାୟ ସଂରକ୍ଷିତ ରଖିଥିଲେ। ତାଙ୍କ ବିରୋଧରେ ପାଲଘର ହତ୍ୟାକାଣ୍ଡ ଓ ବାନ୍ଦ୍ରା ପ୍ରବାସୀ ଶ୍ରମିକ ପ୍ରସଙ୍ଗରେ ନିଜ ଶୋରେ ଦେଇଥିବା ବିବାଦୀୟ ବୟାନକୁ ନେଇ ଯାଞ୍ଚ ଜାରି ରହିଛି। ଏହାର ତଦନ୍ତ ମହାରାଷ୍ଟ୍ର ପୋଲିସଠୁ କାଢି ନେଇ ସିବିଆଇକୁ ହସ୍ତାନ୍ତର କରିବାକୁ ଅର୍ଣ୍ଣବ କୋର୍ଟରେ ଆବେଦନ କରି ନିବେଦନ କରିଥିଲେ। ସେ ଆବେଦନରେ କହିଛନ୍ତି ଯେ, ଜଣେ ସାମ୍ବାଦିକ ଭାବେ ତାଙ୍କ ସ୍ଵରକୁ ଦବାଇବାକୁ ଚେଷ୍ଟା କରାଯାଉଛି।

ଜଷ୍ଟିସ ଡିଓ୍ଵାଇ ଚନ୍ଦ୍ରଚୂଡଙ୍କ ପୀଠ ଗଣମାଧ୍ୟମର ସ୍ଵାଧିନତା ଏବଂ ନିରପେକ୍ଷ ଉପରେ ଗୁରୁତ୍ଵାରୋପ କରିଛନ୍ତି। ମାତ୍ର ଏହି ମାମଲାରେ ଗଣମାଧ୍ୟମ ନିରପେକ୍ଷା ନଥିଲା। ପରିଣାମସ୍ଵରୂପ ଅଦାଲତ ଗୋସ୍ଵାମୀଙ୍କ ବିରୋଧରେ ଦାୟର ମାମଲା ରୁଜୁ କରିବାକୁ ମନା କରି ଦେଇଛନ୍ତି। କିନ୍ତୁ ଏହା କହିଛନ୍ତି, ଏମିତି କରିବାକୁ ହେଲେ ସିଆରପିସିର ଧାରା ୪୮୨ ଆଧାରରେ ବମ୍ଵେ ଉଚ୍ଚନ୍ୟାୟାଳୟର ଦ୍ଵାରସ୍ଥ ହେବାକୁ ପଡିବ।

ବିଭିନ୍ନ ରାଜ୍ୟରେ ପାଲଘର ସମ୍ବନ୍ଧରେ ଗୋସ୍ଵାମୀଙ୍କ ବିରୋଧରେ ଅନେକ ମାମଲା ରୁଜୁ କରାଯାଇଥିଲା। ଅଦାଲତ ମୁମ୍ଵାଇରେ ବର୍ତ୍ତମାନ ଚାଲୁଥିବା ଗୋଟିଏ ମାମଲାର ଯାଞ୍ଚକୁ ଛାଡି ଅନ୍ୟ ମାମଲା ବନ୍ଦ କରିବାକୁ ସହମତି ହୋଇଛନ୍ତି।

ମାମଲାକୁ ମହାରାଷ୍ଟ୍ର ପୋଲିସଠୁ ସିବିଆଇକୁ ସ୍ଥାନାନ୍ତର କରିବା ପ୍ରସଙ୍ଗରେ ବିଚାରପତି କହିଛନ୍ତି, ପୋଲିସକୁ ଏହି ମାମଲାରେ ଯାଞ୍ଚ କରିବାର ଅଧିକାର ରହିଛି। ଏହି ମାମଲାକୁ ସ୍ଥାନାନ୍ତର କରିବାର କୌଣସି ଆଧାର ନାହିଁ।

ଅନ୍ୟପଟେ ଗୋସ୍ଵାମୀଙ୍କ ଗିରଫଦାରୀକୁ କୋର୍ଟ ତିନି ସପ୍ତାହ ଘୁଞ୍ଚାଇ ଦେଇଛନ୍ତି। ଗୋସ୍ଵାମୀ ପାଲଘର ଓ ବାନ୍ଦ୍ରା ଷ୍ଟେସନ୍‌ରେ ପ୍ରବାସୀ ପ୍ରସଙ୍ଗରେ ତାଙ୍କ ବିରୋଧରେ ରୁଜୁ ମାମଲା ବିରୋଧରେ କୋର୍ଟରେ ଆବେଦନ ଦାଖଲ କରିଥିଲେ। ଏପ୍ରିଲ ୨୪ରେ ଶୁଣାଣିର ପ୍ରଥମ ଦିନରେ ସର୍ବୋଚ୍ଚ ଅଦାଲତ ଗୋସ୍ଵାମୀଙ୍କ ଗିରଫଦାରୀ ଉପରେ ରୋକ୍ ଲଗାଇ ମହାରାଷ୍ଟ୍ର ବ୍ୟତୀତ ଅନ୍ୟ ସବୁ ବାହାର ରାଜ୍ୟ ପାଲଘର ସମ୍ବନ୍ଧରେ ରୁଜୁ କରିଥିବା ଏଫଆଇଆର ଉପରେ ରୋକ୍ ଲଗାଇଥିଲେ।

ମେ ୧୧ରେ ଦ୍ଵିତୀୟ ଶୁଣାଣିରେ ଦୁଇ ଏଫଆଇଆର ରଦ୍ଦ କରିବାକୁ ଗୋସ୍ଵାମୀ କୋର୍ଟରେ ଅନୁରୋଧ କରିଥିଲେ। ମାତ୍ର ବିଚାରପତି ତାଙ୍କୁ ହାଇକୋର୍ଟ ଯିବାକୁ କହିଥିଲେ। ଏହା ପରେ ତାଙ୍କ ବରିଷ୍ଠ ଓକିଲ  ହରିଶ ସାଲଭେ ମାମଲାର ତଦନ୍ତ ମହାରାଷ୍ଟ୍ର ପୋଲିସ ପରିବର୍ତ୍ତେ ସିବିଆଇ ଦ୍ଵାରା କରିବାକୁ କହିଥିଲେ। ଏହି ଶୁଣାଣି ଭିଡିଓ କନଫରେନ୍ସିଂ ଜରିଆରୋ ହୋଇଛି।

   Related Posts