ନିର୍ଭୟା ଦୋଷୀ ମୁକେଶ ସିଂକୁ ସୁପ୍ରିମ୍କୋର୍ଟଙ୍କ ଝଟ୍କା, ୨୦୧୨ ଡିସେମ୍ବର ୧୬ରେ ଦିଲ୍ଲୀରେ ନଥିବା ଆବେଦନ ଖାରଜ
19/03/2020 at 3:05 PM

ନୂଆଦିଲ୍ଲୀ ୧୯।୩: ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀ ମୁକେଶ ସିଂକୁ ସୁପ୍ରିମକୋର୍ଟରୁ ଝଟକା । ମୁକେଶ ଦାଖଲ କରିଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ପୂର୍ବରୁ ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଏହାକୁ ଖାରଜ କରିଦେଇଥିଲେ ।
ନିର୍ଭୟାଙ୍କ ସହ ଯେଉଁଦିନ ଜଘନ୍ୟ କାଣ୍ଡ ଘଟିଥିଲା ସେଦିନ ରାତିରେ ମୁକେଶ ଦିଲ୍ଲୀରେ ନଥିବା ଆବେଦନରେ ଦର୍ଶାଇଥିଲା । ତେଣୁ ଫାଶୀଦଣ୍ଡ ରବ୍ଦ କରିବାକୁ ସେ ଆବେଦନରେ ଦର୍ଶାଇଥିଲା । ମୁକେଶ ତରଫରୁ ବରିଷ୍ଠ ଓକିଲ ଏମଏଲ ଶର୍ମା ପଟିଆଲା ହାଉସ କୋର୍ଟରେ ଏହି ଆବେଦନ ଦାଖଲ କରିଥିଲେ।
ମୁକେଶ ନିଜ ଆବେଦନରେ କହିଥିଲା ଯେ, ଡିସେମ୍ବର ୧୭, ୨୦୧୨ ରାତିରେ ତାକୁ ଦିଲ୍ଲୀ ପୋଲିସ ରାଜସ୍ଥାନରୁ ଆଣିଥିଲା। ସେ ୧୬ ଡିସେମ୍ବରରେ ଦିଲ୍ଲୀରେ ନଥିଲା। ତେବେ ପଟିଆଲା ହାଉସ କୋର୍ଟ ଏହାକୁ ଖାରଜ କରିଦେଇଛନ୍ତି ।
ଚଳିତ ବର୍ଷ ମାର୍ଚ୍ଚ ୫ତାରିଖରେ ଟ୍ରାଏଲ କୋର୍ଟ ମାର୍ଚ୍ଚ ୨୦ ତାରିଖ ୫ଟା ୩୦ମିନିଟ୍ ରେ ଫାଶୀ ଦେବା ଲାଗି ନୂଆ ଡେଥ୍ ୱାରେଣ୍ଟ ଜାରି କରିଛନ୍ତି । ଏହି ମାମଲାରେ ଚାରିଜଣ ଦୋଷୀ ମୁକେଶ ସିଂ (୩୨), ପୱନ ଗୁପ୍ତା (୨୫), ବିନୟ ଶର୍ମା (୨୬) ଏବଂ ଅକ୍ଷୟ କୁମାର ସିଂ (୩୧)ଙ୍କୁ ଫାଶୀ ଦିଆଯିବ ।
ଦୋଷୀମାନଙ୍କ ବିରୋଧରେ ଏହା ହେଉଛି ଚତୁର୍ଥ ଡେଥ୍ ୱାରେଣ୍ଟ । ଏହା ପୂର୍ବ ତିନୋଟି ଡେଥ୍ ୱାରେଣ୍ଟକୁ ଦୋଷୀମାନଙ୍କ ଦ୍ବାରା ଆଇନଗତ ପ୍ରତିକାର ଶେଷ ହେବା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା ।