AGR ପୁନଃ ଆକଳନ ଲାଗି ନିବେଦନ ଖାରଜ, ସରକାରଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଲେ ସୁପ୍ରିମକୋର୍ଟ

Published By : Prameya-News7 Bureau | March 18, 2020 IST

ନୂଆଦିଲ୍ଲୀ ୧୮।୩:  ଟେଲିକମ୍ କମ୍ପାନୀମାନଙ୍କୁ ପୈଠ କରିବାକୁ ଥିବା ଆଡଜଷ୍ଟେଡ ଗ୍ରସ୍ ରେଭିନ୍ୟୁ (ଏଜିଆର)ର ପୁନଃ ଆକଳନ ଲାଗି ସୁପ୍ରିମକୋର୍ଟ ବୁଧବାର ମନା କରିଦେଇଛନ୍ତି। ଜଷ୍ଟିସ୍ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଟେଲିକମ କମ୍ପାନୀଙ୍କ ଉପରେ ବକେୟା ଏଜିଆରର ପୁନଃ ଆକଳନ ଲାଗି ସରକାରଙ୍କ ନିବେଦନର ଶୁଣାଣି କରି ଏହା କହିଛନ୍ତି। ପ୍ରସଙ୍ଗରେ କୋର୍ଟ ସରକାରଙ୍କ  ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

ନିବେଦନର ଶୁଣାଣି କରି କୋର୍ଟ ପୁନଃ ଆକଳନ ଲାଗି ଅନୁମତି କିଏ ଦେବେ ବୋଲି  ପଚାରିଥିଲେ। ଆମେ ସବୁ କ‘ଣ ଏଠାରେ ବୋକା? ବୋଲି ଜଷ୍ଟିସ୍ ମିଶ୍ର କହିବା ସହ ମୂଳ ରାୟ ଅନୁସାରେ ଟେଲିକମ କମ୍ପାନୀମାନଙ୍କୁ ସମସ୍ତ ବକେୟା, ସୁଧ  ଜରିମାନା ସହ ପୈଠ କରିବାକୁ ପଡିବ ବୋଲି କହିଛନ୍ତି। ଯଦି ପୁନଃ ଆକଳନ ଲାଗି କୁହାଯାଏ ତେବେ ଏହା କୋର୍ଟଙ୍କ ସହ ଠକେଇ ବୁଝାଯିବ ବୋଲି କହିଛନ୍ତି ବିଚାରପତି। ଏପରି କରିବାକୁ ଚାହୁଁଥିବା ଅଧିକାରୀଙ୍କୁ ଆମେ ଅନୁମତି ଦେଇ ପାରିବା ନାହିଁ। ଯଦି ଏଭଳି କୌଣସି ପଦକ୍ଷେପ ନିଆଯାଇଥାଏ ତେବେ ଏଥିରୁ ଟେଲିକମ ବିଭାଗ (ଡିଓଟି) ଓହରି ଆସନ୍ତୁ ବୋଲି କୋର୍ଟ ଆଦେଶ ଦେଇଛନ୍ତି।

ଏଜିଆରକୁ ନେଇ ଡଟ୍ ଓ ଟେଲିକମ କମ୍ପାନୀଙ୍କ ବିବାଦ ଦୀର୍ଘ ୧୪ ବର୍ଷର। ଏଥିଲାଗି ଡଟ୍ ଯେଉଁ ତଥ୍ୟ ଦେଇଛନ୍ତି ସେହି ଆଧାରରେ ହିଁ ମୋକଦ୍ଦମା ଚାଲିଥିଲା ଓ କୋର୍ଟ ଏହାର ରାୟ ଦେଇସାରିଛନ୍ତି। ଅକ୍ଟୋବର ୨୪ର ଏହି ରାୟରେ କୋର୍ଟ ଟେଲିକମ୍ କମ୍ପାନୀମାନଙ୍କୁ କେଉଁ ବାବଦରେ ବକେୟା ପୈଠ କରିବେ ତାହା ମଧ୍ୟ ସ୍ପଷ୍ଟ କରିଥିଲେ ବୋଲି ଜଷ୍ଟିସ୍ ମିଶ୍ର କହିଛନ୍ତି। ତେବେ ଏହା ସର୍ବସଧାରଣଙ୍କ ଟଙ୍କା ବୋଲି କୋର୍ଟ ସତର୍କ କରାଇଦେଇଛନ୍ତି। ଯାହାକୁ କିଛି କମ୍ପାନୀ ହଡପ କରିଯିବା ଭଳି ଚିନ୍ତାରେ ଥିବା ନେଇ କୋର୍ଟ ସନ୍ଦେହ ପ୍ରକଟ କରିଥିବା ବେଳେ ଏଥିରେ ସରକାରଙ୍କ ଆଭିମୁଖ୍ୟ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି କୋର୍ଟ କହିଛନ୍ତି। ଯଦି ସରକାରଙ୍କ ଆଭିମୁଖ୍ୟ ଏପରି  ହୁଏ ତେବେ ବକେୟା ରାଜସ୍ୱ ଅସୁଲ ନେଇ କୋର୍ଟସନ୍ଦେହ ପ୍ରକାଶ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.