‘ବିନା ସ୍କିନ ଟୁ ସ୍କିନରେ ଛୁଇଁବା ଅପରାଧ ନୁହେଁ’, ବମ୍ବେ ହାଇକୋର୍ଟର ନିଷ୍ପତ୍ତି ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ
27/01/2021 at 3:57 PM

ନୂଆଦିଲ୍ଲୀ ୨୭।୦୧: ବମ୍ଵେ ହାଇକୋର୍ଟ ଦ୍ଵାରା ‘ସ୍କିନ ଟୁ ସ୍କିନ କଣ୍ଟାକ୍ଟ’ ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟ ବୁଧବାର ରୋକ୍ ଲଗାଇ ହାଇକୋର୍ଟଠୁ ବିସ୍ତୃତ ସୂଚନା ମାଗିଛନ୍ତି। ପୋସ୍କୋର ଏକ କେସ୍ରେ ବମ୍ବେ ହାଇକୋର୍ଟ ଅଭିଯୁକ୍ତକୁ ନିର୍ଦ୍ଦୋଷରେ ମୁକ୍ତ କରିବା ମାମଲାରେ ପ୍ରଧାନ ବିଚାରପତି କହିଛନ୍ତି ହାଇକୋର୍ଟକୁ ବିସ୍ତୃତ ସୂଚନା ଦେବାକୁ କୁହାଯାଇଛି। ଆଟର୍ଣ୍ଣି ଜେନେରାଲ ଅଦାଲତରେ ଏହି ମାମଲାକୁ ଉଠାଇଥିଲେ।
ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। କିନ୍ତୁ ପୋସ୍କୋ ଆକ୍ଟ ଅନୁଯାୟୀ ଉକ୍ତ ବ୍ୟକ୍ତି ଦୋଷୀ ଥିଲେ। କେବଳ ଏହି ଆଧାର ଥିଲା ଯେ, ନାବାଳିକା ସହିତ ତାଙ୍କର ସିଧାସଳଖ ଶାରୀରିକ ସଂପର୍କ ନଥିଲା। ଉଚ୍ଚ ନ୍ୟାୟାଳୟଙ୍କ ଏହି ଆଦେଶ ଉପରେ ପ୍ରଶ୍ନ ଉଠାଇ ଆଟର୍ଣ୍ଣି ଜେନେରାଲ ଏହାକୁ ବିପଦଜ୍ଜନକ ଦର୍ଶାଇଥିଲେ। ଏହା ପରେ ସର୍ବୋଚ୍ଚ ନ୍ୟାୟାଳୟ ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚର ଏହି ନିଷ୍ପତ୍ତି ଉପରେ ରହିତାଦେଶ ଜାରି କରିବା ସହ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ମୁକ୍ତ କରିବା ଉପରେ ମଧ୍ୟ ରୋକ୍ ଲଗାଇଛନ୍ତି।
ସୂଚନାଯୋଗ୍ୟ, ବମ୍ବେ ଉଚ୍ଚ ନ୍ୟାୟାଳୟ ନିଜର ଏକ ଆଦେଶରେ କହିଛନ୍ତି ଯେ, କୌଣସି ନାବାଳିକାଙ୍କ ସ୍ତନକୁ ବିନା ସ୍କିନ ଟୁ ସ୍କିନରେ ସ୍ପର୍ଶ କରିବା ପୋସ୍କୋ ଆକ୍ଟ ଆଧାରରେ ଯୌନ ଶୋଷଣ ଶ୍ରେଣୀରେ ଆସିବ ନାହିଁ।
ହାଇକୋର୍ଟର ନାଗପୁର ବେଞ୍ଚର ବିଚାପତି ପୁଷ୍ପା ଗନେଡିଓ୍ଵାଲା ନିଜର ଜାନୁଆରୀ ୧୯ରେ ପାରିତ ଏକ ଆଦେଶରେ କହିଥିଲେ ଯେ, କୌଣସି ବି ଦୁର୍ବ୍ୟବହାର ଘଟଣାକୁ ଯୌନ ଶୋଷଣ ଶ୍ରେଣୀରେ ରଖାଯାଇ ପାରିବ ନାହିଁ। ବିଶେଷ କରି ଯୌନ ଉଦ୍ଦେଶ୍ୟରେ ସ୍କିନ ଟୁ ସ୍କିନ କଣ୍ଟାକ୍ଟକୁ ହିଁ ଯୌନ ଶୋଷଣ କୁହାଯିବ। ଯଦି ବିନା ସ୍କିନ ଟୁ ସ୍କିନରେ ସ୍ପର୍ଶ କରାଯାଏ ତେବେ ଏହା ଯୌନ ଶୋଷଣ ଶ୍ରେଣୀରେ ଆସିବ ନାହିଁ। ଉଲ୍ଲେଖଯୋଗ୍ୟ, ସେସନ କୋର୍ଟ ଜଣେ ୩୯ ବର୍ଷୀୟ ବ୍ୟକ୍ତିଙ୍କୁ ୧୨ ବର୍ଷର ନାବାଳିକା ସହ ଯୌନ ଶୋଷଣ ଅପରାଧରେ ତିନି ବର୍ଷର ଜେଲ ସଜା ଶୁଣାଇଥିଲେ।